ଦାରୁ ଦିଅଁ
ଦାରୁ ଦିଅଁ
ଦୀନ ଜନେ ଦୟା ରଖିଛ ବୋଲି
ଦୟାମୟ ନାମ ବୋଲାଅ ହରି ।
ଦେଖି ତୋ ନେତ କୁ ଦେଉଳ ଚୂଳେ
ଦୀନ ଦୁଃଖୀ ଜନ ଭରାଶା ବଢ଼େ ।
ଦଣ୍ଡେ ତୁଣ୍ଡେ ଧରି ଥିଲେ ନାମକୁ
ଦଣ୍ଡପାଣି ଭୟ ନ ଥାଏ ତାକୁ ।
ଦାତା ପଣେ ତୁମ ଡଙ୍କା ବାଜୁଛି
ଦୟା କରୁଣାର ହାଟ ବସିଛି ।
ଦୟଣା ମାଳିଆ କଳା ଠାକୁର
ଦାରୁବ୍ରହ୍ମ ନୀଳାଚଳ ଶେଖର ।
ଦେଇଛ ଯେତେ ମୁଁ ନୁହେଁ ଭାଜନ
ଦାତା ତୁମେ ମୁଁ ଯେ ଯାଚକ ହୀନ ।
ଦାସିଆ ନଡ଼ିଆ ହାତରେ ନେଲ
ଦରଦିବନ୍ଧୁ ହେ ସାକ୍ଷୀଗୋପାଳ ।
ଦେଇଛ ମେଲେଇ ଆନନ୍ଦ ହାଟ
ଦୀନ ଦୁଃଖୀ ଜନ ମନ ଉଚ୍ଚାଟ ।
ଦିବସ ଯାମିନୀ ଭଜିବି ନାମ
ଦିଅ ହେ ଶକତି ପୁରୁଷୋତ୍ତମ ।
ଦେହ ଧାରୀ ଦେହ ହାରିବି ଦିନେ
ଦେଇ ତୋ ଛଡା ତୁଳସୀ ବଦନେ ।
ଦେଲି ଢାଳି ପଦେ ପରାଣ ପୟ
ଦାରୁ ଦିଅଁ କୋଳେ ଦିଅ ଆଶ୍ରୟ ।
