ଦାଦନ
ଦାଦନ




କାହିଁକି କେଜାଣି ଲାଗୁଛି
ଭାରି ଅସ୍ବସ୍ଥି
କିଏ ଯେମିତି ଖାଇଯାଉଛି
ଘୁଣ ଭଳି ଭିତରେ ଭିତରେ
ହୃଦୟ ଆନ୍ଦୋଳିତ, ଲାଗୁଛି
ସତେ ସବୁକିଛି ଦେଇଛି ହଜାଇ ।
ଦାଦନ ଶବ୍ଦଟି ଏତେ
ଆକ୍ରାମକ
କ୍ଷଣିକରେ ଭାଙ୍ଗି ଦେଲା
ସପନ ସୌଧ
ମନେ ପକାଇ ଦେଲା ସେ
ଦୁଇ ଲେଣ୍ଡା ଶୁଖିଲା
ଛେପର ଆବଶ୍ୟକତା।
ଥରିଗଲା ହୃଦତନ୍ତ୍ରୀ
ଆଖିରୁ ଠପଠପ ଲୋତକ
ପଡିଲା ନିଗିଡି ।
ଲଥକରି ଵସିପଡିଲି ଭୂଇଁରେ
ସତେ ଯେମିତି ପାଦତଳ ମାଟି
ଯାଇଛି ହୁଗୁଳି।
କିଏ ଜାଣିଥିଲା ,ପାଦ ଥାପୁଥାପୁ
ସବୁଯିବ ଓଲଟି
ହିଟଲର, ମୁସୋଲନୀଙ୍କ
ଭାରିବୁଟ ତଳେ
ବିଳପି ଉଠିବ ସ୍ବଭିମାନ ।
ଯାହାକୁ ଭୁଲିଵାକୁ ଚାହିଁ
ପାରୁନଥିଲି ଭୂଲି
ସେ ଶଦ୍ଦବାଣ ପୁଣି ଫେରି
ବାରମ୍ବାର କରିବ ଆଘାତ
କ୍ଷତାକ୍ତ କରି ,ବିଚ ରାସ୍ତାରେ
ଗୋଡେଇ ଗୋଡେଇ
କରିବ ଲହୁଲୁହାଣ ।
ଆତ୍ମ ସମୀକ୍ଷା ଲୋଡା,
ନିଜକୁ ତଉଲୁ ତଉଲୁ
ଉଙ୍କିମାରେ ପ୍ରଶ୍ନ
ଭୂଲ ରହିଲା କୋଉଠି ???
ଟଙ୍କେଟଙ୍କେ ପେଟରୁ କାଟି
ଯୋଡିବାର ଫଳ କଣ ଏଇଆ ।
ଦେଶ ,ପରଦେଶ ଫରକ କଣ
କର୍ମ ହିଁ ଭଗବାନ ।
ମୁଁ ନୁହଁ ନିକମା ନୁହଁ ଅଳସୁଆ
ଶ୍ରମକୁ କରେ ପୂଜା
ହେଉ ପଛେ ସେ
ସହରୀ ଭାଷାରେ ଦାଦନ।
ହଁ ମୁଁ ଦାଦନ ।