STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଚକୁଳିଆ ପଣ୍ଡା ଗୀତ

ଚକୁଳିଆ ପଣ୍ଡା ଗୀତ

1 min
11.8K


ଧର୍ମ ମାସ କାର୍ତ୍ତିକରେ ଆସିଛୁ ଦୁଆର

ଚାଉଳ ପରିବା ଦେବ ପଇସା ଆବର ।


ଆମକୁ ଦେଲେ ନ ଯିବ ପାଣିକୁ ତୁମର

ଏକ ଦେଲେ ଲକ୍ଷ ମିଳେ ରଖିବ ମନର ।


ମାଉସୀ ଲୋ ଶୁଣ କଳିଯୁଗର ବେଭାର

ଉମରମତା ମଣିଷ ଭୁଲିଛି ଈଶ୍ବର।


ବାହୁବଳେ ଅର୍ଥବଳେ ପଦବୀର ବଳେ

ଧରାକୁ ମଣଇ ସରା ସ୍ୱଇଛାରେ ଚଳେ ।


ଆହୁରି କଥାଏ ମାଆ କହୁଛି ଲୋ ଶୁଣ

ସତ୍ୟ ନ୍ୟାୟ ଧର୍ମ ପ୍ରତି ହୁଏ ଅଚେତନ। 


ଗଢିଛି ମନ୍ଦିର ବଡ ଭକ୍ତି ଭାବ ନାହିଁ

ପିତାମାତା ସେବା ପାଇଁ ସମୟ ତା କାହିଁ !


ଭାରିଜାକୁ କରିଅଛି କର୍ତ୍ତ୍ରୀ ସର୍ବମୟ

ପିତାମାତା ଘରକୋଣେ ଭାଳୁଛନ୍ତି ଲୁହ ।


ଶଳା ଶାଳୀ ପାଇଁ ନାନା ଫେସନ ବ୍ୟସନ

ସାନ ଭାଇ ଭଉଣୀଙ୍କ ଘରେ ନାହିଁ ସ୍ଥାନ।


ସେବା ପାଇଁ ଚାକିରୀରେ ଲାଞ୍ଚ ହେଲା ମୂଳ

ନିଜ ସୁଖ ପାଇଁ ଲାଗେ ସରକାରୀ କଳ ।


ବ୍ୟବସାୟୀ ଭେଜାଲରେ ବାଣ୍ଟୁଅଛି ବିଷ

ଔଷଧରେ ରୋଗ ବଢେ ଡାକ୍ତର ହରଷ ।


ନେତା ହୋଇ ଜନତାଙ୍କୁ ଲୁଟି ଖାଉଛନ୍ତି

ସ୍କାମ୍ ପରେ ସ୍କାମ୍ କରି ଫାଇଲ୍ ହଜାନ୍ତି। 


ଭୋଟ ପାଇଁ ନୋଟ ଦେଇ ଭକୁଆ ବନାନ୍ତି

ଦରଦାମକୁ ଲଗାମ ଛଡା ସେ କରନ୍ତି। 


ମାଳିକା ବଚନ ଆଜି ହୋଇଲାଣି ସତ

କୋକୁଆ ଭୟରେ ସବୁ ଖୋଜୁଛନ୍ତି ଗାତ ।


ଗୋରୁ ପରି ତୁଣ୍ଡି ବାନ୍ଧି ଘରୁ ବାହାରନ୍ତି

ମଣିଷ ଗୋଟା ଦେଖିଲେ ଛାନିଆଁ ହୁଅନ୍ତି। 


ଲୁଚିଲେ ଭୂତାଣୁ କିବା ଛାଡି ଦେବ ବାବୁ

ଆମେରିକା ପରି ଶକ୍ତି ପାଉନାହିଁ କାବୁ ।


ବିଜ୍ଞାନର କରାମତି ଦେଉନାହିଁ ଫଳ

ଅଦୃଶ୍ୟ ଶକ୍ତିର ଖେଳ ମଣିଷର କାଳ ।


ଏଘର ମାଉସୀ ଦେଲା ସେ ଘର ନ ଦିଏ

ମଲା ବେଳେ ବହି ନେବ ସାଥିରେ ପରାଏ ।


ଚକୁଳିଆ ପଣ୍ଡା ମା ଲୋ ଲୋପ ପାଇଲାଣି

କିଏ ଆଉ ଶୁଣାଇବ ଧର୍ମ କର୍ମ ବାଣୀ ।


କାହିଁ ଗଲ ଭାଇନା ହେ ହୋଇ ଲୋଭଗ୍ରସ୍ତ 

ଶଅଳ ପକାଅ ପାଦ ଶେଷ କରି ଗସ୍ତ।


ପଣ୍ଡିଆଣି ତେଣେ ମୋର ଚାହିଁ ବସିଥିବ

ଜଗତ ଉଦ୍ଧାର କର ଆହେ ବାସୁଦେବ। 



Rate this content
Log in