ଚକାନୟନ ମୋ କଳାବଦନ
ଚକାନୟନ ମୋ କଳାବଦନ
1 min
137
ଡାକିବାରେ ତୋତେ ଉଣାକଲି କିରେ
ଭାଙ୍ଗିଦେଲୁ ମୋର ସୁଖ ସପନ
ଘନ ଅନ୍ଧକାର କାହିଁକିରେ ମୋର
ଆଖିରେ ଲେପିଲୁ କଳା ବଦନ I
ହାତଧରି ମୋର ଚଲାଉଥିଲୁରେ
ବିଞ୍ଚି ଦେଉଥିଲୁ ମୋ ବାଟେ ଫୁଲ
ହାତ ମୋର କିଆଁ ଛାଡିଦେଲୁ ଆଜି
ସତେ କି ମୁଁ ତୋତେ ଲାଗୁନି ଭଲ I
ଜୀବନ ନଈଟା ଜୁଆରିଆ ଭାରି
ସେ ନଈରେ ପରା ତୁ ନାଉରୀ
ଭରସାରେ ତୋର ବାଟ ମୁଁ ଚାଲୁଛି
ତୋ ବିନା ନଈ କେ କରିବ ପାରି I
କେତେକେତେ ଆଶା ସଉଧ ମୋ ମନେ
ତିଆରି ଥିଲୁ ତୁ କାହିଁକି କହ
କିଆଁ ଭାଙ୍ଗିଦେଲୁ ସପନ ମିନାର
ଆଖିତଳେ ମୋର ଭରିଲୁ ଲୁହ I
ବଇଶାଖ ଝାଞ୍ଜି ଶିଝାଇ ପାରିନି
ତୁ ଢାଳି ଦେଇଛୁ ବରଷା ଧାର
ସବୁ ଖୁସିରେ ମୋ ପାଖେପାଖେ ଅଛୁ
ଛତ୍ର ଘୋଡାଇଛୁ ଦୁଃଖରେ ମୋର I
ଆଡ ଆଖିରେ ତୁ ଚାହିଁଦେଲୁ ଯଦି
ମୋ ଲୁହରେ ତୋର ବଳିଲା ମନ
ନିଜକୁ ସମର୍ପି ଦେଲି ତୋର ପାଦେ
କନ୍ଦେଇଦେ ମୋତେ ଚକା ନୟନ I
