ଚିଠି
ଚିଠି
ଡଃ ଶଶୀ ଭୂଷଣ ମହାପାତ୍ର
ତୁମେ ଲେଖିବନି ଚିଠି
ମୁଁ ଜାଣିଛି,
ତଥାପି ଲେଖୁଛି ଚିଠି ।
ଅପେକ୍ଷାରେ ରହିଛି
କାଳେ ଆସିଯିବ
ସ୍ପିଡ଼ ପୋଷ୍ଟରେ ଚିଠି ।
ଶୁଭ ସକାଳ,ଶୁଭ ସନ୍ଧ୍ୟା ,
ଶୁଭ ରାତ୍ରି,
କେଉଁଠି ପୋଷ୍ଟ କରିଥିବ ଭାବି
ଫେସ ବୁକ,ହ୍ୱାଟ୍ସ ଆପ
ଦେଖୁଛି ନୀତି ।
ମୋ ଆଖିର
କାଚ କେନ୍ଦୁ ପାଣିରେ
ପ୍ରତିଦିନ ଚହଲୁଛି
ତୁମ ପ୍ରତି ଛବି ।
ପକ୍ଷୀଙ୍କ କାକଳିରେ
ତୁମ ସ୍ୱର ଶୁଣୁଛି
ପ୍ରତିଦିନ କାନପାତି,
ପବନରେ ତୁମରି ନିଶ୍ୱାସ
ଛାତିର ବୁରୁଜ ଭାଙ୍ଗୁଛି,
ନୀରବରେ ମନ ମାରି
ସବୁକୁ ସହୁଛି ।
ତୁମେ ପ୍ରାଣର ମିତ ବୋଲି
ଅଧିକାର ସାବ୍ୟସ୍ତ କରିନି,
ଫୁଲ ଭାବି
କେବେ ଆନନ୍ଦରେ ତୋଳିନି,
ଏତେ ଦୂରେ ଥାଇ ମଧ୍ୟ
ତୁମଠୁ ଦୁରେଇ ଯାଇନି ।
ତୁମେ ଜହ୍ନଟିଏ
ରାତିର ସ୍ବପ୍ନଟିଏ
ନୀଳ ଆକାଶର ଚଢେଇଟିଏ
ମଧୁଝରା ଫୁଲଟିଏ
ସନ୍ଧ୍ୟା ଦୀପର ଶିଖାଟିଏ ।
ମିତଣୀଲୋ!
ତୁମେ କବିତାଟିଏ ।
ତୁମ ସ୍ମୃତି ଆଜି
ପାଉଁଶ ତଳର ନିଆଁଟିଏ ।
ମିତଣିଗୋ!
ଜାଣିଛି ତୁମେ ଦବନି ଚିଠି
ଆସିବନି କେବେବି
କଲଟିଏ କରିବନି,
ମୁଁ ଜାଣିଛି
ତୁମେ ଦବନି ଚିଠି ।
**************