STORYMIRROR

Bunee Tripathy

Others

4  

Bunee Tripathy

Others

ଚିଟାଉ

ଚିଟାଉ

1 min
311

ସମୀର ହାତରେ ଦେଇଛି ଚିଟାଉ

  ନେଇଯିବ ତୁମ ପାଶେ

    ପ୍ରେମର ରଙ୍ଗରେ

      ରଙ୍ଗି ଦେଇ ତୁମେ

       ଫେରାଇବ ମୋର ଆଶେ।


ତୁମ ମନତଳ ଅକୁହା କଥାକୁ

  ଲେଖିଦେବ କାଗଜରେ

   ତୁମରି ପ୍ରେମରେ

    ବାସ୍ନା ଭରିଦେବ

     ଛୁଇଁ ଯିବ ମୋ ଅନ୍ତର।


ଜହ୍ନକୁ କହିଛି ଦେଖାଇବ ପଥ

  ସୁଶୀତଳ ଜୋଛନାରେ

   ତୁମ ଚଲାପଥେ

    ଛାଇବ କିରଣ

     ଏଇ ମୋର ଆଶା ଭରେ।


ବରଷା ବିନ୍ଦୁରେ ଧୋଇଯିବ ତୁମ

  ମନତଳ ଆବିଳତା

   ସେହି ବାରିଧାରା

    ଆସିବତ ଝରି

     ମନେଭରି ସରସତା।


ତୁମ ସ୍ବେଦବିନ୍ଦୁ ମାଟିରେ ମିଶିଣ

  ସୃଷ୍ଟିହେବ ନିବିଡ଼ତା

   ସେହି ମାଟିଗନ୍ଧେ

     ଭରିବ ହୃଦୟ

       ଲିଭିଯିବ ନିସଂଙ୍ଗତା।


ପିକକୁ ଡାକି ମୁଁ ଦେଇଛି ବାରତା

  ଉଡିଯିବ ବସନ୍ତରେ

   ସହକାରେ ବସି

     ପ୍ରେମର ସଙ୍ଗୀତ

      ଗାଇବ ସେ ନିରବରେ।


କୃଷ୍ଣଚୂଡା ସାଜି ତୁମ ବଗିଚାରେ

  ଫୁଟୁଥିବି ଗ୍ରୀଷମରେ

   ମୋ ନାଲି ପାଖୁଡା

    ତୁମ ହୃଦୟରେ

     ପ୍ରେମର ପିଆଲା ତୋଳେ।


ପ୍ରତିକ୍ଷାର ଅନ୍ତ ହେବ ଯାମିନୀରେ

  ସପନେ ବିଭୋର ଯେଵେ

  ନିର୍ଜନ ନିଶବ୍ଦେ

   ତୁମ ଆଗମନେ

    ହୃଦୟେ ରାଗିଣୀ ସୁରେ।


ବାହୁ ବନ୍ଧନରେ ବାନ୍ଧି ଦେବ ଯେବେ

  ଦୁଇ ତନୁ ଏକ ହେଵ

   ଦୁଇଟି ନିଶ୍ବାସ

    ଏକଇ ଶବଦେ

     ପ୍ରେମ ଗୀତ ଗାଉଥିବ।


ପ୍ରଶସ୍ତ ବକ୍ଷରେ ଥାଇ ମୋର ମଥା

  ଶାନ୍ତିରେ ମୁଁ ନିଦ୍ରାଯିବି

   ସେହି ଶୟନ ତ

    ଚିରନିଦ୍ରା ମୋର

     ଶ୍ମଶାନେ ସଧବା ହେବି ।


Rate this content
Log in