ଚିତ୍ର ଆଖିର ବାଘ : ୧୫
ଚିତ୍ର ଆଖିର ବାଘ : ୧୫
ମାଟିର ଜଠରରେ ବୀଜର ପରିଚୟ ରୋପି
କେବେ କେବେ ସାରା ରାତି ପ୍ରଳାପ କରେ
ଗୋଟେ ଶାଗୁଆ ସ୍ୱପ୍ନ
ସ୍ୱପ୍ନ ଠିକଣା ହେଲେ
କେମିତି କେଜାଣି
ହଜିଯାଏ ଆଖି........?
ହଜିସାରିଥିବା ଆଖିରେ
ପରବର୍ତ୍ତି ସବୁ ସକାଳ ଧାଡିବାନ୍ଧି
ନିଗିଡି ପଡନ୍ତି ସୁନା ରଂଗରେ
ନାଁ ଅଜଣା ପକ୍ଷୀର ସ୍ୱରରେ
ବଦଳୁଥାଏ ଋତୁ,
କଣ୍ଟା ସବୁ ଖୁବ ତୀକ୍ଷ୍ଣ ଓ ବିଶ୍ୱସ୍ତ
ନିଜ ନିଜ ଉଦାସୀନତାରେ.....
ପ୍ରତିଶୃତି ପରି ଭବିଷ୍ୟବାଚକ ସବୁ ଶବ୍ଦ
ନଷ୍ଟ କରି
ନିଶ୍ଚଳ ସମୟ ଚାରିପାଖେ
ଘୁରୁଥାଏ ଭୋକ ଓ ଭୟ କୁ ଭୁଲିସାରିଥିବା
ଗୋଟିଏ ଅନ୍ୟମନସ୍କ ପୃଥିବୀ......
ଧୂଆଁର ବାଟରେ ଅଦୃଶ୍ୟ ପାଦଚିହ୍ନ ଛାଡି
ଚାଲୁଥାଏ ମିଛି ମିଛିକା ହଳେ ପାଦ......!
ଆଖି ନଥିବା ସ୍ୱପ୍ନର ଝାପସା ପ୍ରତିଫଳନରେ
ବାଘର ହଲଚଲ ପ୍ରତିବିମ୍ବ...
ବେଳେ ବେଳେ ଟଳମଳ ନିଶ୍ୱାସକୁ
ଆଉଟିକେ ନିବିଡ ଭାବେ ଧରି ରଖେ
ଯୋଉଠି ଆଖି କିମ୍ବା ସ୍ୱପ୍ନ
ହରେଇବା ପରେବି
ନିଜ ଭିତରେ ତଥାପି କିଛି
ବାକି ଥାଏ...
ପତ୍ରେ ସବୁଜୀମା ନେଇ
ଅଣ୍ଟା ସଳଖୁଥିବା ଚାରା ଉପରେ
ଦେହ ଥାପି ଶୋଇଥାଏ ବାଘ.....
ଅଣନିଶ୍ୱାସୀ ଚାରାଟି ପରି
ଅବଶିଷ୍ଟକୁ ଭଲପାଇବାର ଶେଷ ମୁହୂର୍ତ୍ତ ଯାଏ
କୁଣ୍ଢେଇ ନେବାକୁ ହୁଏ ନିଜ କାନ୍ଦକୁ
ନିଜକୁ ବିଦାୟ କହିପାରିବାର
ବିପୁଳ ସାମର୍ଥ୍ୟକୁ...
ସ୍ୱପ୍ନବି କେବେ କେବେ
ଦୁର୍ଘଟଣା ଭଳି......!
ଆଉ
ବାଘ ଗୋଟିଏ ନିର୍ମମ ଆତ୍ମହତ୍ୟା
ସବୁ ସମ୍ଭାବନା ସରିଯିବା ପରେ......!!
