ଚିତ୍ର ଆଖିର ବାଘ - ୧୪
ଚିତ୍ର ଆଖିର ବାଘ - ୧୪
ବେଳେ ବେଳେ ଇତିହାସରୁ ବାହାରି ଆସି
ବର୍ତ୍ତମାନ ଆଗରେ ଠିଆ ହେଇଯାଏ
ଗୋଟିଏ ପ୍ରାଚୀନ ବାଘ.....
ପ୍ରାଚୀନତାକୁ ନିଜ ଭିତରେ ସାଇତି
ନୂଆ ଗର୍ଜନ ଭିତରେ ଭର୍ତ୍ତି ହେଲାବେଳେ
ବାଘ ଖୋଜି ପାଏନି ନିଜ ଚେହେରା
ଚେହେରାଟିଏ ଗଢିହେବା ଓ
ନଷ୍ଟ ହେବା ଭିତରେ କେତେ ଜନ୍ମ ବିତେ
କେତେ ଥର ବୟସ୍କ ହେଣ୍ଟାଳଟିଏ
ଝର୍ଣ୍ଣା ପାଣିରେ ଭାସି ମିଳେଇଯାଇଥାଏ
ହିସାବ ପାଏନି ବାଘ.....
ଘୋରି ଯାଇଥିବା ପଂଝାରୁ
ଶୁଖିଲା ମାଟି ପରି ଝରିପଡେ
ନିଜର ମଲା ଦେହ......
ସେ ଦେହକୁ ସାଉଁଟି ପ୍ରାଚୀନ ବାଘ
ବୁଲି ଆସେ ତାର ସମଗ୍ର ଆୟୁଷ
ସବୁ ଚିତ୍କାର ସବୁ ଷଡଯନ୍ତ୍ରକୁ ବିଦାରି
ରାଶି ରାଶି ଜହ୍ନ ରାତି
ବହଳ ଅନ୍ଧାରର ବିବର୍ତ୍ତନ ଉପରେ
ନଖ ମାରି ବିବଶ ବାଘର ବିକଳପଣ
ନିଜ ଚେହେରା ଖୋଜିବା ବେଳେ
ଇତିହାସ ଦେଖେ,
ବାଘର ଆତଂକ ନେଇ ଦୌଡୁଛି ଶିକାର
ଶିକାରର ଆଗ୍ରହ ନେଇ ଦୌଡୁଛି ବାଘ
ଦିଗବଳୟ ସାରା ରକ୍ତ ଛିଟା ମାଖି
ଘୁରୁଛି ଆକାଶ
ମାଟିର ଆବରଣ ତଳୁ
ଲମ୍ବି ଆସୁଛି ଚେର
ନଈ ପାଣିରେ ଝୁଲି ଝୁଲି ଭାସି ଯାଉଛି
ଶାଗୁଆ ଜଂଗଲ
ଭ୍ରମପରି ଘୁରି ଘୁରି
ଗୋଟିଏ ବିନ୍ଦୁରେ ମିଳେଇ ଯାଉଛି ଚିତ୍ର
ଝଣ ଝାଣ ଭାଂଗି ଯାଉଛି ସିଦ୍ଧାନ୍ତ
ବିବସ୍ତ୍ର ସମୟ ଆଗ ରେ ଆଖିବୁଜି
ପଥର ପାଲଟୁଛି ଗୋଟିଏ ଭୟଂକର ଗର୍ଜନ
ଇତିହାସ ଓ ଆତଂକ ଭିତରେ ବାଘ ଗୋଟିଏ
ବିରାଟ ଶୂନ୍ୟସ୍ଥାନ.....!!
