ଛୋଟ ମୋର ଗାଁଆଟି
ଛୋଟ ମୋର ଗାଁଆଟି
ସୁନ୍ଦର ମୋର ଏ ଗାଆଁଟି,
ଏନ୍ତୁଡ଼ିଶାଳ ମୋ ନଈର କୂଳ
ବରଗଛ ମୂଳେ ସାଥୀଙ୍କ ମେଳ
ମୋହେ ସଭିଙ୍କର ମନଟି,
ସୁନ୍ଦର ମୋର ଏ ଗାଆଁଟି।
ବିଦ୍ୟାଳୟ ମୋର ଭାରି ସୁନ୍ଦର
ନପଢିଲେ ପୁଣି ଛାଟ ପାହାର
କି ସୁନ୍ଦର ପରିବେଶଟି,
ସୁନ୍ଦର ମୋର ଏ ଗାଆଁଟି।
ଗାଁର ପରବ ଯାନିଯାତରା
ଚଉକିଦାରଙ୍କ କଡ଼ା ପହରା
"ସାବଧାନ"ର ସେ ଡାକଟି,
ସୁନ୍ଦର ମୋର ଏ ଗାଆଁଟି।
ଗାଁ ପାଖର ସେ ପୋଖରୀ ତୁଠ
ଗ୍ରାମ ଭୁଆସୁଣୀ ହୁଅନ୍ତି ଭେଟ
ଖୋଲିଥା'ନ୍ତି ଗପ ପେଡିଟି,
ସୁନ୍ଦର ମୋର ଏ ଗାଆଁଟି।
ଗ୍ରାମର ମଝିରେ ଦିଅଁ ମନ୍ଦିର
କାନରେ ବାଜଇ ବେଦ ମନ୍ତର
ସଂଜେ ଦୀପବତୀ ଜଳେଟି,
ସୁନ୍ଦର ମୋର ଏ ଗାଆଁଟି।
ଗ୍ରାମ ଶେଷ ହୁଏ ଶମଶାନରେ
ଯହିଁ ସବୁ ଗର୍ବ ମିଶେ ମାଟିରେ
କରମ ଫଳକୁ ଦିଏଟି,
ସୁନ୍ଦର ମୋର ଏ ଗାଆଁଟି।
