ଛନ୍ଦା ଚରଣରେ ବନ୍ଧା ଏ ଜୀବନ
ଛନ୍ଦା ଚରଣରେ ବନ୍ଧା ଏ ଜୀବନ
ହେ ମଙ୍ଗଳମୟ ଲୀଳାମୟ ପ୍ରଭୋ
ତୁମେ ତ ଜଗତ ପ୍ରାଣ,
ଛନ୍ଦା ଚରଣରେ ବନ୍ଧା ଏ ଜୀବନ
ମୁକ୍ତି ଦେବ କେଉଁ ଦିନ ।
ତୁମ କୃପା ହେଲେ ଦେବ ଦରଶନ
ମୋକ୍ଷ ମିଳିଯିବ ମୋତେ,
ତୁମରି ଦେହରେ ଲୀନ ହୋଇଯିବି
ଏଡ଼େ ଭାଗ୍ୟ ହେବ ସତେ !
ସଂସାର ଜଞ୍ଜାଳ ଭଲ ଲାଗୁନାହିଁ
ସରି ଆସିଲାଣି ଆୟୁ,
ତୁମରି ଦୂଆରେ ବସିଛି ଠାକୁରେ
ମୋ ଡାକ ଶୁଣିବା ହେଉ ।
ମାଗିନି ଜୀବନେ ଧନ ମାନ କିଛି
ତଥାପି ଦେଇଛ ଢାଳି,
ତୁମ କରୁଣାର ଦାନ ସବୁ ପ୍ରଭୁ
ରକ୍ଷାକର ଦୟାମାଳୀ ।
ମୋର ବୋଲି କିଛି ନିଜର କରି ମୁଁ
କେବେ ପ୍ରଭୋ ଭାବିନାହିଁ,
ସବୁ ତ ତୁମର ଏ ସାରା ଜଞ୍ଜାଳ
ଆଶ୍ୱସ୍ତ ମୁଁ ଟେକିଦେଇ ।
ପାପ ପୂଣ୍ୟ ଯେତେ କରାଇଛ ତୁମେ
ତୁମ ବିନା ନାହିଁ ଗତି,
ଦୁଃଖ ଦେଲେ ଦିଅ ଅବା ସୁଖ ଦିଅ
ସେଥିରେ ମୋ ସନମତି ।
ଶେଷ ଇଛା ମୋର ମରଣ ପର୍ଯ୍ୟନ୍ତ
ତୁମ ଠାରେ ରହୁ ମନ,
ଦୂରେଇ ଦେବନି ଛନ୍ଦା ଚରଣରୁ
ସମର୍ପିତ ମୋ ଜୀବନ ।