ଛାଡଖାଇ
ଛାଡଖାଇ
ମାସ ଯାକ ଧର୍ମ ପାଳିଲେ ବହୁତ
ଏକା ଦିନେ ପାପ ଅର୍ଜିବେ
ମାଛ ଛେଳି ଆଉ କୁକୁଡା ମାନଙ୍କୁ
ମାରି ସର୍ବେ ଆଜି ଗିଳିବେ ।
ମାଛ କହେ ଜଳେ ଆହେ ନାରାୟଣ
ଏ କେମିତିକା ଯେ ବିଚାର
ପଶୁ ଠାରୁ ହୀନ ପାଲଟି ଯାଇଛି
ମଣିଷ ମାନଙ୍କ ଆଚାର ।
ଛେଳି କହେ ପୁଣି କୁକୁଡାକୁ ଚାହିଁ
ନାମକୁ ଯେ ଧର୍ମ ପାଳନ୍ତି
ଏକା ଦିନେ ଶହ ଶହ ପ୍ରଣୀଙ୍କର
ବଅଁଶ ସେମାନେ ବୁଡାନ୍ତି ।
ଧରମ ନାମରେ ରକ୍ତାତ କରନ୍ତି
ଧରଣୀ ମାଆର ଛାତିକୁ
ଅବିବେକ ଆଜି ମଣିଷ ସମାଜ
ଗଲାଣିତ ରସାତଳକୁ ।
ଯାହା ହେବା କଥା ହେବ ଲୋ କୁକୁଡା
ମନ ଦୁଃଖ କାହିଁ କରୁଛୁ
ସ୍ବାର୍ଥପର ଏଇ ମଣିଷ ଗୁଡାକୁ
ନିଜ ଗୁଣେ କ୍ଷମା କରୁଛୁ ।
ଛାଡ ଖାଇ ଅର୍ଥ ଅଲଗା ଯେ ସବୁ
ସେମାନେ କାହୁଁବା ବୁଝିବେ
ଜାଣ ଅଜାଣନ୍ତେ ଆଜି ସେଇ ମାନେ
ଲକ୍ଷେଜନ୍ମ ପାପ ଅର୍ଜିବେ ।
