ଚାଳଘର
ଚାଳଘର
ନାହିଁ ଧନ ମାନ ଦୁଃଖୀ ମୋ ଜୀବନ
ଗରୀବର ପରିଚୟ
ବିଧାତା ଦେଇଛି ସଂସାରେ ଜନମ
ଭାଗ୍ୟ ମୋର ନିରିଦୟ ।
ଚାଳଘରଟିଏ ମୋ ପାଇଁ ଆଶରା
ଗଢିଅଛି ନିଜ ହାତେ
ବାଉଁଶ ଛଣରେ ଆବଦ୍ଧ କରିଛି
ଆପଣାର ସାଧ୍ୟମତେ ।
ଦୁଇ ବଖରାରେ କଟିଗଲାଣି ଯେ
ଅନେକ ସମୟ ମୋର
ଛୋଟ ସିନା ଘର ମୋ ପାଇଁ ସୁନ୍ଦର
ସୁଖୀ ମୋର ପରିବାର ।
ଚାଳଘର ବୋଲି ଲୋକ ତ କୁହନ୍ତି
ମୋ ପାଇଁ ସରଗପୁର
ପାଞ୍ଚପ୍ରାଣୀ ଆମେ ତା କୋଳେ ଚଳୁଛୁ
ନାହିଁ ଗ୍ରୀଷ୍ମକାଳ ଡର ।
ଶୀତ କାକରରୁ ରକ୍ଷା କରିଅଛି
ଦେଇଅଛି ସେ ସୁରକ୍ଷା
ମୋ ପାଇଁ ମନ୍ଦିର ଏଇ ଚାଳଘର
ଦେଇଛି ଶାନ୍ତିର ଶିକ୍ଷା ।
ଅନେକ ବରଷ ଠିଆ ହୋଇଅଛି
ସହିଅଛି ସେ ଆଘାତ
ବନ୍ୟାର ପ୍ରଭାବେ ଅର୍ଦ୍ଧଭଗ୍ନ ପ୍ରାୟ
ହୋଇଛି ପୁନଃ ନିର୍ମିତ ।
ଝଡ଼ ତୋଫାନର ଦାଉରେ ଉଡ଼ିଛି
ଛପର ଅନେକ ଥର
କେବେ କାନ୍ଥ ଭାଙ୍ଗି ହୋଇଛି ନିଶ୍ଚିହ୍ନ
ନାହିଁ ତାର ଉପଚାର ।
ଗଢ଼ିଛି ପୁନଶ୍ଚ ବାହୁର ବଳରେ
ବିଶ୍ୱାସରେ ଚାଳଘର
ତା ବିନା ନାହିଁ ମୋ ଅନ୍ୟ ଆଶ୍ରାସ୍ଥଳୀ
ରକ୍ଷାକର୍ତ୍ତା ଜୀବନର ।
ରାତି ଦୁଇଘଡି ତା ଚଟାଣ ପରେ
ବିତିଯାଏ ନିତି ମୋର
ଦିନସାରା କର୍ମ ଜଞ୍ଜାଳ ନିମିତ୍ତ
ମୁଁ ଯାଏ ତାହାଠୁ ଦୂର ।
ମୋ ପାଇଁ ଜୀବନେ ଏଇ ଚାଳଘର
ଅମୂଲ୍ୟ ସମ୍ପଦଟିଏ
କେତେ ସୁଖ ଦୁଃଖ ଦେଖିଛି ନୀରବେ
ସାଜି ମୁକସାକ୍ଷୀଟିଏ ।