ଚାଲ ଫେରିବା ଏଥର
ଚାଲ ଫେରିବା ଏଥର
1 min
257
ଢେର୍ ହେଇଗଲା,
ଏ ଉଡାଣ,
ଏ ଧାଁ ଧପଡ଼,
ଏ ଭିଡ଼ରେ ଆକ୍ତାମାକ୍ତା ହୋଇ
ଅଣନିଶ୍ୱାସୀ ହେବା ।
ଚାଲ,ଏଥର ବସିବା କେଉଁ ଏକ ନିର୍ଜନ ବେଳାରେ,
ଖୋଜିନେବା ନିଜପାଇଁ ମୁହୂର୍ତ୍ତଟିଏ ।
ଖୋଲା ଆକାଶରେ ଉଡ଼େଇ ଦେବା ଯେତେସବୁ ପୁରୁଣା ମାନ, ଅଭିମାନ,ଦୁଃଖ,ଯନ୍ତ୍ରଣାକୁ
ଦୁଇଟି ଗାଢ଼ ଦୀର୍ଘଶ୍ଵାସରେ ।
ମୃତ ସ୍ବପ୍ନକୁ କବରରୁ ଖୋଳି ଜୀବନ୍ୟାସ ଦେବା
ଶତ ଅନୁରାଗରେ ।
ମୁଁ ତୁମ କପାଳରେ ଆଙ୍କି ଦେବି ଶ୍ରଦ୍ଧାର ସହସ୍ର ଚୁମ୍ବନ,
ତୁମେ ଢାଳିଦେବ ଆଞ୍ଜୁଳି ଆଞ୍ଜୁଳି ପ୍ରେମ
ମୋ' ହାତ ପାପୁଲିରେ ।
ପୁରୁଣା ସ୍ମୃତିକୁ ଲୁହରେ ପଖାଳି,
ହଜିଯିବା ଦୁହେଁ ପୁଣି ଦୁହିଁଙ୍କ ଭିତରେ....।
* * *
:Mahapatra B Sunanda.
Bangalore.
