STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଚାଲ ମକର ବସିବା

ଚାଲ ମକର ବସିବା

1 min
262



ଏ ସଖୀ ଚାଲ୍ ନାଁ ମକର ବସିବା

ସେ ଦିନକୁ ଆଉଥରେ ଫେରାଇ ଆଣିବା

ହାୟ ହାଲୋର ହୁତାଶନରେ

ଉଡିଯାଇଥିବା ରାଣୀ ମଧୁ ମକ୍ଷୀକାକୁ

ପୁଣି ଥରେ ଛତାକୁ ଫେରିବାର ନିମନ୍ତ୍ରଣ ଦେବା

ଚାଲ୍ ନାଁ ମକର ବସିବା।


ସବୁ ଅତୀତକୁ ନିଆଁ ଲଗାଇ

ଆନନ୍ଦରେ ଗୀତ ଗାଇ ନିଆଁ ଚାରିପଟେ ଖୁବ୍ ନାଚି ନାଚି

ଆମ ଭିତରେ ଜମାଟ ବାନ୍ଧିଥିବା

ଟନ୍ ଟନ୍ ବରଫକୁ ତରଳାଇ ଦେବା

ଏ ଏକସିଂଘା ସହରରୁ କିଛି ସମୟ ପାଇଁ

ପ୍ରକୃତିର ଅଗଣାରେ ବଣ ଭୋଜି କରି

ପୁଣି ଥରେ ନିଜକୁ ପାଇବା

ଚାଲ୍ ନାଁ ମକର ବସିବା।


ଫେରି ଯିବା ସେ ଯୁଗକୁ

ସଂପୂର୍ଣ୍ଣ ଶୁଦ୍ଧତାର ସମୟକୁ

ନିଜ ତିଆରି ଜେଲ୍ ର କାନ୍ଥଗୁଡା ଭାଙ୍ଗି ଦେଇ

ନୂଆ ନୂଆ ଅମଳ କରିଥିବା ଶ୍ରମର ଫଳକୁ

ମନର ମାଧୁର୍ଯ୍ୟ ଦେଇ କଞ୍ଚା ଚୋବାଇବା

ଚାଲ୍ ନାଁ ମକର ବସିବା।


କଳା କଳା ରାଶି ସହ ସଂପର୍କର

ଅଠାଳିଆ ଗୁଡ଼ ଦେଇ ନିଜ ହାତେ ଲଡ଼ୁ ବଳିଦେବା

ଯାହା ଦ୍ଵାରା ମୁହଁର ତିକ୍ତତାକୁ ଦୂର କରିଦେବା

ଚାଲ ଆମେ ସୂର୍ଯ୍ୟ ପୂଜା କରି ସୂର୍ଯ୍ୟମୁଖୀ ହେବା

ଉତ୍ତରାୟଣର ପ୍ରାରମ୍ଭରେ ସକଳ ଶକ୍ତିର ଆବାହନ କରି

ଉତ୍ତରୋତ୍ତର ଉନ୍ନତିର କାମନା କରିବା

ଚାଲ୍ ନାଁ ମକର ବସିବା।


ସପନର ଲମ୍ବା ସୂତା ବାନ୍ଧି

ଜୀବନର ଗୁଡ଼ି ଉଡ଼ାଇବା

ତାକୁ ପହଞ୍ଚାଇବା ସପ୍ତମ ଆକାଶ ପାର

ପବିତ୍ର ଏବଂ ସଂପୂର୍ଣ୍ଣ ଆନନ୍ଦମୟ ଅଞ୍ଚଳରେ

ଇର୍ଷା, ଦ୍ୱେଷ,ଲୋଭ,ମୋହ ଏବଂ

ଅହଂକାରର ଘନ ବାଦଲ ସେପଟେ

ସାଥି ହୋଇ ମଜା ଲୁଟୁଥିବା

ବୈରୀ ହୋଇ ପରଷ୍ପରର ଗୁଡ଼ିକୁ କେବେ ନକାଟିବା

ଚାଲ୍ ନାଁ ମକର ବସିବା।


ପାପ କୁମ୍ଭ ନଦୀ ଜଳେ ବିସର୍ଜନ କରି

ପୂଣ୍ୟ କୁମ୍ଭ ସଂପୂର୍ଣ୍ଣ କରିବା

ସଂଗମରେ ସବୁ ଭେଦଭାବକୁ ଭସାଇ ଦେଇ

ବାସ୍ ମେଳାରେ ମିଳନର ଉତ୍ସବ ପାଳିବା

ନିଜକୁ ନିଜ ସହ, ପରଷ୍ପର ସହ ଏବଂ

ପରାତ୍ପର ସହ।

ପ୍ରୟାଗରେ ସ୍ନାନ କରି ନୂଆ ହୋଇଯିବା

ଚାଲ୍ ନାଁ ମକର ବସିବା।


ବାଳ ଅରୁଣିମା ତଳେ ବାର୍ଦ୍ଧକ୍ୟକୁ ଜଳାଞ୍ଜଳି ଦେଇ

ପୁଣି ଥରେ ନିଜକୁ ତରୁଣ ମଣିବା

ପାକୁଆ ପାଟିକୁ ଚ୍ୟାଲେଞ୍ଜ କରି

ମକର ଚାଉଳରୁ ମୁଠାଏ

ତୁ ମୋ ପାଟିରେ ଦେବୁ ଆଉ ମୁଁ ତୋ ପାଟିରେ

ଗୁଡ, ନଡ଼ିଆ, ଛେନାର ମିଠାପଣ ମିଳେଇ ଯିବ ସିନା

ଆମେ କିନ୍ତୁ ଦିବ୍ୟ ଏବଂ ଚିରନ୍ତନ ସଂପର୍କରେ

ବାନ୍ଧି ହୋଇଯିବା।

ଚାଲ୍ ନାଁ ମକର ବସିବା।


© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ଅଗରତାଲା, ତ୍ରିପୁରା


Rate this content
Log in