ଚାବି ହଜିଛି
ଚାବି ହଜିଛି


ହୁରି ପଡିଛି,
ଚାବି ହଜିଛି,
କୁଞ୍ଚ କାନିରେ ବାନ୍ଧି ରଖିଥିଲି ମୋ
ସବୁ ଆଶା, ସ୍ଵପ୍ନର ସ୍ମୃତିମାନଙ୍କୁ ପୁଟୁଳା କରି
ସାଇତି ଥିଲି ଯା' ଭାନୁମତୀର ପେଡିରେ |
ଖୋଜିଲି, ବହୁତ ଖୋଜିଲି
ସାତ ତଳ ପଙ୍କରେ ପୋତା
ସିନ୍ଧୁକରେ ବନ୍ଦ
ଫରୁଆ ଭିତରେ |
ଆଉ ନିଧି ବୁଢାର ଚାରିପୁଅମାନେ
ଖୋଳିଥିବା ବାରିପଟ ବଗିଚା ମାଟିରେ,
କାଳେ ଗୁପ୍ତଧନ ସହ ପୋତି ହେଇ ଯାଇଥିବ !
କଲୁରିବେଣ୍ଟର ବୁଢୀ ପରି ଏଠି ଅଛି, ସେଠି ଅଛିର
ଖୋଜାରେ ବାଟବଣା ହେଉଛି ଯାହା |
ଅଥଚ, ଖୋଜିଲିନି ତା'କୁ ମୋ
ମନ ଗହନରେ, ବିବେକରେ, ବୁଦ୍ଧିରେ,
ମୋ ପାରିଲା ଓ ନିପାରିଲା ପଣର ଛାଞ୍ଚରେ |
ବେଢେଇ ରହିଛି ସେ ସର୍ବଦା ମୋ ଇଛିବା ପଣରେ
କସ୍ତୁରୀ ମୃଗର ନାଭିରେ ଥିବା କସ୍ତୁରୀ ପରି,
ଅଥଚ, ଠିକଣାଟା ଯା' ମୁଁ ବେଳେ ବେଳେ ଯାଉଛି ପାସୋରି |