ବୁଦ୍ଧଂ ଶରଣଂ ଗଚ୍ଛାମି
ବୁଦ୍ଧଂ ଶରଣଂ ଗଚ୍ଛାମି
ବାହୁନି ବାହୁନି ରୂପଶ୍ରୀ କାନ୍ଦଇ ସାରୀପୁତ୍ତ ଫେରିଆ
ହୀନିକପାଳି ମୁଁ ଏକୋଇର ବଳା ଆଉ ନାହିଁ କେହି ସାହା ।।
ତୁ’ତ ମୋର କୋଟି ସଂପଦର ଧନ ମୋ ମନ ଆକାଶ ଜହ୍ନ
ତୋ ବିନା ମୋ ଘର ଶ୍ମଶାନ ଲାଗଇ ଫେରିଆ ଫେରିଆ ଧନ ।।
ସାରୀପୁତ୍ତ ପରା ପ୍ରଭୁ ବୁଦ୍ଧଙ୍କର ପଟ୍ଟଶିଷ୍ୟ ଶିରୋମଣି
ତାଙ୍କର ମହିମା ବଳେ ଉତଫୁଲ୍ଲିତ ହୋଇଉଠେ ଏ ଧରଣୀ ।।
ମା' ର ମନରେ ଦିଏ ନାହିଁ ଶାନ୍ତି ଅଶାନ୍ତ ଅଧୀର ମନ
ଲୋଡା ନାହିଁ ସେହି ଗରବ ଗୈାରବ କ୍ଷମାକର ଭଗବାନ ।।
ବୁଦ୍ଧଂ ଶରଣଂ ଗଚ୍ଛାମି ଭିକ୍ଷାଂଦେହି ଭିକ୍ଷାଂଦେହି
କୁଟୀର ଦ୍ଵାରରୁ ଶବଦ ଶୁଭିଲା ରୂପଶ୍ରୀ ଆସିଲା ଧାଇଁ ।।
ଶୀର୍ଣ୍ଣ କାୟ ରୂପ ଲଣ୍ଡିତ ମସ୍ତକ ମୁଖରୁ ଝରଇ ଜ୍ୟୋତି
କୁହ କୁହ ଭିକ୍ଷୁ ମୋ ପୁତ୍ର ଖବର ସାରୀପୁତ୍ତେ ଦେଖିଛକି ।।
ମୁଁ ସାରୀପୁତ୍ତ ତୁମରି ତନୟ ଆସିଛି ଭିକ୍ଷାର ଆଶେ
ଦିଅ ଏହି ଭିକ୍ଷା ନିଅ ମାତ ଦୀକ୍ଷା ଆସ ମା ନିର୍ବାଣ ପଥେ ।।
ଫେରିଯାଅ ଭିକ୍ଷୁ ଫେରିଯାଅ ଯାଅ ଲୋଡା ନାହିଁ ମୋ ନିର୍ବାଣ
ମାଟିରେ ବିଲୀନ ହେଉ ତୋ ଏ ସଂଘ ମା’ ଅଭିଶାପ ଘେନ ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
