ବର୍ଷାରାଣୀ
ବର୍ଷାରାଣୀ
1 min
170
ବର୍ଷାରାଣୀ ତୁମ ପହିଲି ସ୍ପର୍ଶରେ
ତନୁମନେ ଶିହରଣ
ହୃଦୟ କନ୍ଦରେ ପ୍ରୀତିର ଉଛ୍ୱାସ
ଭରିଦିଏ ଆଲୋଡନ ।
ଭିଜୁଛି ଧରିତ୍ରୀ ତୁମରି ବୁନ୍ଦାରେ
ମହକୁଛି ସୁଗନ୍ଧରେ
ମେଘମାଳା ସାଥେ ବିଜୁଳି ଚମକେ
ନୀଳରଙ୍ଗୀ ଗଗନରେ ।
ନିଦାଘର ଜ୍ୱାଳା ଭୁଲିଛି ପ୍ରକୃତି
ହସୁଅଛି ଖିଲିଖିଲି
ସବୁଜ ରଙ୍ଗର ସଜେଇ ନିଜକୁ
ବୋହୂ ବେଶ ହେବ ବୋଲି ।
ତୁମ ଛୁଆଁ ପରେ ମୟୁର ନାଚୁଛି
ସୁବିସ୍ତୀର୍ଣ୍ଣ ବନାନୀରେ
ଜିମୂତ ଆଚ୍ଛନ୍ନ ଶଶୀକୁ ନଦେଖି
କଇଁ କିନ୍ତୁ ଝୁରି ମରେ ।
ତୁମ ଆଗମନେ ଜଳେ ପୂର୍ଣ୍ଣ ହୋଇ
ନଦୀ ଖୋଜେ ସାଗରକୁ
ତୁମ ବାରିଧାରା ଭାରି ଭଲ ଲାଗେ
ତୃଷାତୁର ପଥିକକୁ ।
ମଣ୍ଡୁକ କରୁଛି ତୁମରି ପ୍ରଂଶସା
ବାଡ଼ି ସାରୁବୁଦା ମୂଳେ
ମୁଁ କିନ୍ତୁ ଅନ୍ତରେ ପ୍ରିୟାକୁ ଖୋଜୁଛି
ନିତି ବିରହରେ ଜଳେ ।