STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ବର୍ଷାର ସ୍ବର

ବର୍ଷାର ସ୍ବର

1 min
27.4K


ଫୁଲ ବଗିଚାରେ ରିମଝିମ୍ ସୁର

ଘାସ ଗାଲିଚାରେ ଟୁପୁରୁ ଟାପର

କଳା ମେଘ ଦୋଳାୟିତ ,

ମୟୂର ନର୍ତ୍ତନେ ଉଲ୍ଲସିତ ପ୍ରାଣ

ଶ୍ୟାମ ରଂଗେ ବିଭୂଷିତ ।।

ଗ୍ରୀଷ୍ମର ନିଦାଘ ତତଲା ପବନ

କାଳବଇଶାଖୀ ହୃଦୟ ଦହନ

ଅପସରି ଯାଏ ମନୁ,

ଶୀତଳ ପବନ ସବୁଜ ବଳୟ

ପୁଲକିତ କରେ ତନୁ ।।

ନାଲି ଟୁକୁ ଟୁକୁ ସାଧବର ବୋହୂ

ସାତ ରଂଗେ ସାଜେ ଝରିପଡେ ମହୁ

ଖୋଷାରେ ତା' କୃଷ୍ଣଚୂଡା,

ମଧୁ ମାଳତିରେ ସୁବାସିତ ଅଙ୍ଗ

ଓଠ ତା' ପ୍ରୀତିର ବେଢା ।।

ସବୁଜ ଧରଣୀ ପୁଷ୍ପେ ବିମଣ୍ଡିତା

ନୀଳ ନଳିନୀରେ ତନୁ ସୁଶୋଭିତ

ସ୍ବପ୍ନସିକ୍ତା ନେତ୍ର ଦ୍ଵୟ ,

ବରଷା ବଉଦ ମେଘର ସହରେ

ପ୍ରୀତି ସୁର ଛନ୍ଦମୟ ।।

ନଦନଦୀ ଜଳ ଢଳ ଢଳ ଦିଶେ

ଝରିଝରି ଯାଇ ସାଗରରେ ମିଶେ

ସରଗେ ଉଅଁଇ ଇନ୍ଦୁ,

ଛାଇ ଆଲୁଅର ଖେଳ ଖେଳୁଥାଇ

ଝରିପଡେ ଅଶ୍ରୁ ବିନ୍ଦୁ ।।

ପହିଲି ଆଷାଢ ପହିଲି ବରଷା

ଭିଜା ଭିଜା ସ୍ମୃତି ଆଶା ଓ ନିରାଶା

ମାଟି ଲାଗେ ଅଭିଶପ୍ତା,

ବରଷା ବଧୂର ନୁପୂରର ଶବ୍ଦ

ଭାଙ୍ଗିଦେଉ ନୀରବତା ।।

ସନ୍ତାପିତ ପ୍ରାଣ ଶେଷହୀନ ତାତି

ଅସରନ୍ତି ସ୍ଵପ୍ନ ପାହି ଆସେ ରାତି

ବର୍ଷା ଖେଳୁଥାଇ ଦୋଳି,

ମୋ ଜୀବନ ବୀଣା ବେସୁରା ରାଗିଣୀ

ମୂର୍ଚ୍ଛନା ପାରେନି ତୋଳି ।।

କୃଷ୍ଣା-କାବେରୀଙ୍କ ହିଲ୍ଲୋଳିତ ମନ

ପହିଲି ବର୍ଷା ର ମଧୁର ବର୍ଷଣ

ଭିଜନ୍ତି ବଉଦ ଧାରେ,

ଅଶ୍ରୁସିକ୍ତ ମନ ଖୋଜେ ଟିକେ ପ୍ରୀତି

ଟିପ୍ ଟିପ୍ ବର୍ଷା ସ୍ବରେ ।।

---------------------------------

ଶରତ କୁମାର ଦାସ

ଅଧ୍ୟାପକ,ବଡବିଲ ମହାବିଦ୍ୟାଳୟ,ବଡବିଲ,କେନ୍ଦୁଝର।

ମୋ-୯୪୩୮୨୪୩୧୪୯

sarata.das69@gmail.com


Rate this content
Log in