STORYMIRROR

BISWESWAR MAJHI

Others

4  

BISWESWAR MAJHI

Others

ବର୍ଷାର ମଧୁର ସ୍ମୃତି

ବର୍ଷାର ମଧୁର ସ୍ମୃତି

1 min
141

ବାଳୁତ କାଳର ବରଷା ଦିନର ଅନିର୍ବଚନୀୟ ସ୍ମୃତି

ପହିଲି ମୌସୁମୀ ପରଶ ଜଗାଏ ଅତୀତର ଅନୁଭୂତି ।

ଖାତା ଚିରି କାଗଜରେ ଡଙ୍ଗା କରି ଭସାଇବା ସ୍ରୋତ ଧାରେ,

ଯାଆ ଭାସିଯା କାଗଜ ଡଙ୍ଗା ମୋ ମିଶିଯାଆ ସାଗରରେ ।

ଟାପୁରୁ ଟାପୁରୁ ମେଘ ବରଷିଲେ ସାଧବ ବୋହୁର ମେଳା

ନାଲି ପାଟ ପିନ୍ଧି ସବୁଜ ପଡିଆ କ୍ଷେତରେ କରନ୍ତି ଲୀଳା ।


ଗାଆଁ ପୁଷ୍କରିଣୀ ସ୍ଫିତ ଜଳ ଘେନି ବଗ ଜଗି ବସେ ମୀନ

ଗୋଟିଏ ଗୋଡରେ ବକ ଧ୍ୟାନ କରେ ତପ ମୂର୍ତ୍ତି ସନ୍ଦିହାନ

ସାରୁ ପତରରେ କଂକି ଧରିବାରେ ମାହାର୍ଗ ସେ ଅନୁଭୂତି

ପୋଖରୀରେ କଇଁ ତୋଳିବାକୁ ଯାଇ ନାକ ବୁଡି ଜଳମତି

ନଦୀ ବଢି ଦୁଇ କୁଳ ଖାଉଥାଇ ଭାସିଯାଏ ଘରଦ୍ବାର

ଗାଇ ଲାଞ୍ଜ ଧରି ଗୋପାଳ ପହଁରି ଯାଏ ନଦୀ ଆରପାର।


ମୁଷଳ ବରଷା ଛୁଟିକୁ ଭରଷା ଘର ବାହୁଡିବା ବେଳେ

ଓଦା ସରସର ଡାକିଆଣେ ଜର ଶର୍ଦ୍ଦି କାଶ ଅବଲୀଳେ ।

ବରଷାରେ ଭିଜି ବାଧକି ଅରଜି ବୋଉ କୋଳର ସୋହାଗ

ବାପାଙ୍କର ସ୍ନେହ ହେଲେହେଁ ଦୁରୂହ ମିଳି ଯାଏ ତହିଁ ଆଗ

ଭୋଦୁଅ ସକାଳ ଖୁଦୁରୁକୁଣୀର ବାଲୁଙ୍କା ପୂଜଇ ସଖି

ଢିଙ୍କିଶାଳେ ହୁଳହୁଳି ପୂଜା ଢାଳି ତଅପୋଇ ନିରିମାଖୀ ।


ସାଧବ ଦୁଲଣୀ ମୁଷା ମାଟି ଘେନି ଭାତ ଖୋଜୁ ଥାଏ ତହିଁ

ସାନ ଭାଉଜର ପାଳି ଦିନ ଭାତ ସହିତ ତିଅଣ ଦେଇ ।

ବରଷା ସମୟ ମଂଗଳ ମୟ ଧାନ ବିଲ ସବୁଜିମା

ଜହ୍ନି ଫୁଲ ଠୋ ଠା ସଂଗୀତର ଲଠା କିଶୋରୀର ଅରୁଣିମା ।

ମଉସୁମୀ ଆଜି ମୁହଁ ମୋଡିଲାଣି ଗଡୁନାହିଁ ଚାଳ ପାଣି

ଭରଚୁଆଲ ଗେମ୍ ନିଶାରେ କାଗଜ ଡଂଗା ମନୁ ଲିଭିଲାଣି

ମନ ପବନର କୁହୁକ ଯାନରେ ଶୈଶବ ରାଇଜେ ଗଲେ

ଫେରିବାକୁ ମନ ବଳେ ନାହିଁ ସ୍ୱନ ମଧୁର ମୁର୍ଛନା ତୋଳେ ।



Rate this content
Log in