ବର୍ଷା
ବର୍ଷା
ଆଉ ଡାକନାହିଁ
ଶ୍ରାବଣ ଗୋ ତୁମେ
ଭିଜିବାକୁ ବରଷାରେ
ଅନେକ ଭିଜିଛି
ଲୁହର ବର୍ଷାରେ
ଏକା ଏକା ଗୋପନରେ ।
ଜଳିଛି ନୀରବେ
ବିରହ ଜୁଇରେ
ପ୍ରୀତି ଘୃତ ଦେହେ ମାଖି
ହୃଦୟ ବେଢାରେ
ତଥାପି ମହକେ
ପ୍ରୀତିପୁଷ୍ପ ନୀରୀମାଖି ।
ଵିନ୍ଦୁଏ ସପନ
ସିନ୍ଧୁଏ ଯନ୍ତ୍ରଣା
ସଳିତା ପରିକା ଜଳେ
ଆଞ୍ଜୁଳେ ଲୁହରେ
ପାପୁଲିଏ ଖୁସି
ହୃଦୟ ପଞ୍ଜରେ ଖେଳେ ।
ସ୍ମୃତିର ମେଖଳା
ଲହୁରେ ପଖଳା
ଶୂନ୍ୟତାରେ ନିତି ଭିଜେ
ଆଉଟା କୋହର
ସାଉଁଟା ମୋହରେ
ମହାଶୂନ୍ୟେ କାହିଁ ହଜେ ।
ଭିଜିଥିଲା ଦିନେ
ଦେହ ମନ ପ୍ରାଣ
ପାଇ ତୁମ ପ୍ରୀତି ସ୍ପର୍ଶ
ନିରୁଦ୍ଧିଷ୍ଟ ଆଜି
ସେ ମିଠା କାହାଣୀ
ବିତିଲାଣି ଦିନ ବର୍ଷ ।
ଋତୁ ପରେ ଋତୁ
ରଚେ ଇତିହାସ
ରଙ୍ଗର ପସରା ଖୋଲି
ଫିକା ଫିକା ସବୁ
ଶବ୍ଦର ପାଖୁଡା
ସ୍ୱପ୍ନ ସବୁ ମରୁବାଲି ।
ଆଉ ଡାକନାହିଁ
ଭିଜିବାକୁ ମତେ
ନିରୋଳାରେ ତୁମ ସାଥେ
ବୈଶାଖୀ ତାତିରେ
କେବେଠୁଁ ଶୁଖିଛି
ଭିଜିବାର ଇଚ୍ଛା ଯେତେ ।