ବର୍ଷା
ବର୍ଷା
-
ବର୍ଷା ଆସିଛି –
ଜଘନ୍ୟ ନିର୍ଭୟାକାଣ୍ଡର ପୁନରାବୃତ୍ତିରେ
ଯୋଗ ଓ ଭୋଗର ତାନ୍ତ୍ରିକ ବିତର୍କରେ
ଆତଙ୍କାଛନ୍ନ ଅଞ୍ଚଳର ଘନ ଆସ୍ତରଣରେ ।
ବର୍ଷା ଆସିଛି-
ରାଜନେତାଙ୍କ ଦକ୍ଷତା ସମୀକ୍ଷାରେ – ବ୍ୟସ୍ତତାରେ
ଅହେତୁକ ମୂଲ୍ୟବୃଦ୍ଧିର କ୍ରୂର କଷାଘାତରେ
ଦୁର୍ବିସହ ଜୀବନ ଯାହାର ଦଗ୍ଧ ଫୁଲବନରେ ।
ବର୍ଷା ଆସିଛି-
ରିମଝିମ୍ ନୃତ୍ୟରତା ବନମୟୂରୀର ଛନ୍ଦପତନରେ
ଅପରିପକ୍ୱ ଶ୍ୟାମଳିମାରେ-ଅପରିପୁଷ୍ଟ ସବୁଜିମାରେ
ଜରାଗ୍ରସ୍ତ ଜରଦଗବର ଆତ୍ମକାହାଣୀରେ ।
ବର୍ଷା ଆସିଛି-
ସରକାରୀ ଯୋଜନାର ଅର୍ଥହୀନ କ୍ରିୟାନ୍ୱୟନର
ନିର୍ବାଚନ ପ୍ରତିଶ୍ରୁତି ପୂରଣର ଫାଙ୍କା ଆୱାଜରେ
ପ୍ରଦୂଷିତ ପ୍ରଶାସନର ପରିବ୍ୟାପ୍ତ ପଶାପାଲିରେ ।
ବର୍ଷା ଆସିଛି-
ଗୋଧୂଳି-ସନ୍ୟାାପର ଚିତ୍ରିତା ନାୟିକାଙ୍କ
ରୂପର ରୋଷଣୀରେ
ଅଜଣା ବେପଥୁଭରା ଶିହରଣର ରୋମାଞ୍ଚିତ
ରୋମନ୍ଥନରେ
ବର୍ଷା ଆସିଛି-
ନୀଳପୃଷ୍ଠାର ନୀଳଜହରପୂର୍ଣ୍ଣ ନୀଳ ସ୍ଵପ୍ନର ଇଲାକାରେ ।
ନିରନ୍ନ ଜନତାଙ୍କ ଆହାରରେ
ନିରାଶ୍ରୟ ଲୋକଙ୍କ ଆଶ୍ରୟରେ
ବ୍ୟାଧିଗ୍ରସ୍ତ ରୋଗୀଙ୍କ ନିରାମୟରେ
କୃଷକଙ୍କ ଧାନବିହନ ଯୋଗାଣର ସବ୍ସିଡିରେ
ଉତ୍ପାଦିତ ଖାଦ୍ୟଶସ୍ୟର ବାର୍ଷିକ ମୂଲ୍ୟବୃଦ୍ଧିରେ
ସ୍ଵଳ୍ପକାଳୀନ କୃଷିରଣ ପ୍ରଦାନର ବୀମା
ଯୋଜନାରେ
ପକ୍କା ଘର ଓ ପାଇଖାନାର ଯୁଦ୍ଧକାଳୀନ ନିର୍ମାଣରେ
ରାସ୍ତାଘାଟ, କୋଠାବାଡି ଏକ
ନିର୍ମାଣମୟ ପରିବେଶରେ
ବର୍ଷା ଆସିଛି-
ଆନ୍ତର୍ଜାତୀୟ ରାଷ୍ଟ୍ରନୀତିର ନାଟକୀୟ
ପଟ୍ଟ ପରିବର୍ତ୍ତନରେ
ସଂଘର୍ଷମୟ ସୀମା ଓ ତଜନିତ ଅନୁପ୍ରବେଶରେ
ଅର୍ଥନୀତିର ଅଭିବୃଦ୍ଧିରେ-ବର୍ଦ୍ଧିତ
ଶ୍ରେଣୀ ବୈଷମ୍ୟରେ
କଳାଧନର ସନ୍ଧାନରେ-ପଳାତକଙ୍କ
କ୍ରମବର୍ଦ୍ଧମାନ ତାଲିକାରେ
ବର୍ଷା ଆସିବ-
ଯୁଗପୁରୁଷକ ଧରାବତରଣରେ
ମୂଲ୍ୟବୋଧଭିତ୍ତିକ ପର୍ଯ୍ୟବେକ୍ଷଣରେ
କ୍ଷୁଧାବିମୁକ୍ତ ଭାରତବର୍ଷର ସୁରଭିତ ସଂକଳ୍ପରେ
ପାହାଡ଼ିଆ ନଈର ଅପହଞ୍ଚ ଇଲାକାରେ
ପ୍ରେମୀ ଯୁଗଳଙ୍କ ତ୍ୟାଗମୟ ଆତ୍ମିକ ପ୍ରେମରେ
ସଂପ୍ରୀତି ଓ ସଂଜୀବନୀର ପୃଥିବୀକୁ ଏକ ପରିଭାଷାରେ
