ବର୍ଷା ସହ ପଦେ କଥା
ବର୍ଷା ସହ ପଦେ କଥା
ବର୍ଷାର ପାଣିରେ
ଲୁଚି ଯାଉଛି ମୋ ଲୁହ
ଜୀବନର ବ୍ୟସ୍ତତା ଭିତରେ
ହଜି ଜାଉଛି ମୋ କୋହ । ୧
ଦର୍ପଣ ଦେଖିଲେ ପାରୁନାହିଁ
ମୁଁ ମୋ ନିଜକୁ ଚିହ୍ନି
କି ଏକ ଘଣ୍ଟା ବାନ୍ଧିଲି ମୋ କଚିରେ
ସମୟ ଏବେ ମୋ ପଛ ହିଁ ଛାଡୁନି । ୨
ଏକ ସ୍ଥାୟୀ ଘର ବନାଇ
ଭାବିଥିଲି ପଚାରିବି ସମୟର ଖବର
ସେଇ ଏକ ସ୍ୱପ୍ନ
କରିଦେଲା ମୋତେ ଭିତରୁ ବାହାର ଯାଏଁ ଯାଯାବର । ୩
ଥକି ଯାଇ ବସିଥିଲି
ସେଇ ଭଡା ଘରର ଝରକା ପାଖରେ
ନା ଆଉ କେଉଁ ସ୍ୱପ୍ନ ଥିଲା ନା ଆଶା
ଖାଲି ଯାହା ବର୍ଷା ହିଁ ଥିଲା ମୋ ପାଖରେ । ୪
ବହୁତ ସମୟର ନୀରବତା ପରେ
ବର୍ଷା କହିଲା ପଦେ
ଯାହା ସବୁ ତୁ ଗୋଟାଇଛୁ
ସଂସାରୁ ଗଲାବେଳେ ନେଇ ପାରିବୁକି ସେଥିରୁ ଅଧେ । ୫
ମୋହ ମାୟାର ଏ ସଂସାରେ
ମିଛ ତୋର ଏ ସ୍ୱପ୍ନର ଘର
ଆସିଥିଲୁ ଜେମିତି ଯିବୁ ବି ସେମିତି
ତା ପାଇଁ କାହିଁ ପାଇଁ ଏତେ ବେପାର । ୬
ଜଳଚକ୍ରରେ ଯେମିତି
କେବେ ମେଘ ତ କେବେ ଖୋଲା ଆକାଶ
ଏ ଜୀବନ ଚକ୍ରେ ମଧ୍ୟ
କେବେ ଆଶା ତ କେବେ ନିରାଶ । ୭
ବର୍ଷା କହିଲା
ଏମିତି ନ ହେଉ କାଲି ହଜିଯିବ ଆଜି ପାଇଁ
ଆଜି ହଜି ଯିବ କାଲି ପାଇଁ
କେବେ ନ ପାରିବୁ ବଞ୍ଚି ଆଜିରେ
ଜୀବନ କଟିଯିବ କାଲି ଆଜି ଆଉ କାଲି ପାଇଁ । ୮
