ବର୍ଷା ଅନୁଭୂତି
ବର୍ଷା ଅନୁଭୂତି
ଟପ ଟପ ବର୍ଷା ଆସିଲା ସହସା
ବହିଲା ପଵନ ଖରେ
ମୁହଁ ସଞ୍ଜବେଳେ ଫେରୁଥିଲି ଘରେ
ରହିଲି ଅଧା ବାଟରେ |
ନାହିଁ ତହିଁ ରାହା ଭଙ୍ଗା ସ୍କୁଲ ସାହା
ସାଇକେଲ ସହିତରେ
ଧାଇଁ ତରତରେ ଓଦା ସରସରେ
ଚଢ଼ିଲି ବାରଣ୍ଡା ପରେ |
ସବୁ ପ୍ରକୋଷ୍ଠରେ ପଡ଼ିଅଛି ତାଲା
ଘୋଡ଼ିହୋଇ ତଉଲିଆ
କରମ ଆଦରି ଜାକିଜୁକି ହୋଇ
ସେହିଠାରେ ହେଲି ଠିଆ |
ବାରଣ୍ଡା ସାରା ତ ଭଙ୍ଗା ଆଜବେଷ୍ଟସ
ତହିଁରୁ ଗଳୁଛି ପାଣି
ମାରୁଛି ଛିଞ୍ଚଡ଼ା ତିନ୍ତୁଛି କପଡା
କପାଳ ଫାଟିଲା ଜାଣି |
ବଢ଼େ ବେଳୁବେଳ ବରଷା ପଵନ
ବିଜୁଳିକୁ ଘଡ଼ଘଡ଼ି
ଘୋଟିଲା ଅନ୍ଧାର ମାଡିଆସେ ଡର
ଭୂତ ଭୟ ଗଲା ବଢ଼ି |
ସଞ୍ଜୁଆ ମଶାଙ୍କ କାମୁଡା ଆତଙ୍କ
ମାଛିଙ୍କର ଉପଦ୍ରବ
ଓଦା ବସନକୁ କାଲୁଆ ପଵନ
ଥରାଇଲା ଅଵୟଵ |
ଏତିକି ବେଳରେ ପବନ ଝଙ୍କାରେ
ଝରକାଟେ ଗଲା ଖୋଲି
ଅଜଣା ଭୟରେ ଶିହରି ଉଠିଲି
ମୁଖେ ରାମ ରାମ ବୋଲି |
ଝରକା ଫାଙ୍କରେ ସୁ ସୁ ଗର୍ଜନ
ସତେକିଭୂତ ବାହିନୀ
ମାଡ଼ି କି ଆସନ୍ତି ଏହି କଥା ଚିନ୍ତି
ଭୟରେ ପିଳେହିପାଣି |
ଏକାଗ୍ର ଚିତ୍ତରେ ଯୋଡ଼ି ଯୁଗ୍ମ କରେ
ସ୍ମରିଲି ଜଗତନାଥ
ସହସା ଥମିଲା ପବନ ବରଷା
ଲଭିଲି ମନେ ଆଶ୍ୱସ୍ତ |
ରାତି ଆଠଟାରେ ପହଞ୍ଚିଲି ଘରେ
ମନେ ପଡ଼ିଲେ ସେ ସ୍ମୃତି
ଟାଙ୍କୁରଇ ଲୋମ ବହିଆସେ ଘର୍ମ
ଅଭୁଲା ସେ ଅନୁଭୂତି |
