STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ବର୍ଷା ଆଉ ଭାବନା

ବର୍ଷା ଆଉ ଭାବନା

1 min
279




ବିଜନ ବେଳା ରେ ସୁପ୍ତ ନିରୋଳାରେ

ତୁମେ ଆସ ମୋର ଭଙ୍ଗା ଚାଳିଆରେ

ଖେଳୁଥାଅ ଦୁହେଁ ନିଜ ଅଗଣାରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ଓଦା କରେ ଜଣେ ଚିନ୍ତା ଚେତନାରେ

ଆଉ ଜଣେ ଭିଜେ ଚୌହଦୀ ଉପରେ

ଘର ଅଗଣା ଠୁ ମନ ଥାଏ ଦୂରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ମେଘ ବାଦଲ ର ନୀଳ କନ୍ଦରରେ

ରଚୁଥାଏ ପ୍ରିତି ଆପଣା ଅନ୍ତରେ

ଆଉ ଜଣେ ହୃଦ କଦମ୍ବ ରୁ ଝରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ତା ମିଠା ଚୁମ୍ବନ ଅବଶ ଶରୀରେ

ମରଣେ ପୀୟୂଷ ସତେ କିବା ଭରେ

ଆରକ ତୃପ୍ତି ର ନକଲ ଉତାରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ସାତ ସାଗରକୁ ଜଣେ ତୋଳିପାରେ

ସାରା ବ୍ରହ୍ମାଣ୍ଡକୁ ଜଣେ ଆଙ୍କି ପାରେ

ଦୁହେଁ ରାଜପୁତ ନିଜ ରାଇଜ ରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ଜଣେ ଛୁଇଁଦେଲେ ମାଟି ହସି ପାରେ

ଆରକ ପରଶେ ଆତ୍ମା ପୁନଃ ଫେରେ

ଲାଗନ୍ତି ସମାନ ଫରକ ଅନ୍ତରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ତୃଷ୍ଟ ଥିଲେ ଯିଏ ଦୁନିଆ ସଜାଡେ

ରୁଷ୍ଟ ହେଲେ ସାରା ସଂସାର ଉଜାଡେ

ସେ ଭାବେ ଅନ୍ୟଟି ବନ୍ଧା ପଞ୍ଜୁରୀ ରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ଡଙ୍ଗା ବୋହୁଥାଏ ଚହଲା ପାଣିରେ

ଆଖି ପରିଧିର ନଜର ସେପାରେ

କେବେକେବେ ଭାସେ ଚେତନା ସାଗରେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


ଆଶା ଆସୁମାରି ଫୁଲ ଫୁଟି ଝରେ

ଅସ୍ନିଗ୍ଧ ହୃଦୟ ପାଷାଣ ଛାତିରେ

ଅଭିସାର ରଚେ ଅଦିନେ ଅବେଳେ

ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ...


×-×-×-×-×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର

ଚକ୍ରଧରପୁର : କେନ୍ଦୁଝର


Rate this content
Log in