ବର୍ଣ୍ଣାଢ୍ୟ ଭୁବନେଶ୍ୱର
ବର୍ଣ୍ଣାଢ୍ୟ ଭୁବନେଶ୍ୱର


ବିଶ୍ୱ ଭୂଗୋଳର ସର୍ବାଙ୍ଗ ସୁନ୍ଦରୀ
ନଗରୀ ଭୁବନେଶ୍ୱର ।
ସୁରମାରେ ରମ୍ୟା ରୂପଶ୍ରୀ ସୁରମ୍ୟା
ଗୁଣ ଗରିମା ଗମ୍ଭୀର ।।
ବେଦାନୁମୋଦିତ ଆର୍ଯ୍ୟ ଭାରତରେ
ପୁରେ ପୁରେ ପରିଚିତା ।
ଅର୍ଥ ଶାସ୍ତ୍ର ଆଉ ଧର୍ମ ସଂହିତାରେ
ସର୍ବାଗ୍ରେ ଜଗତଜିତା !!
ଭୌଗୋଳିକ ତଥ୍ୟ ଚିରନ୍ତନ ସତ୍ୟ
ଶ୍ରୀକ୍ଷେତ୍ରେ ସ୍ୱର୍ଣ୍ଣ ତ୍ରିଭୂଜ ।
ସେଇ ତ୍ରିଭୂଜର କୈନ୍ଦ୍ରିକ ସଂସ୍ଥିତି
ନଗରୀ ଗନ୍ଧର୍ବରାଜ ।।
ଶ୍ରୀକ୍ଷେତ୍ର ପୁରୀର ଅଙ୍ଗବସ୍ତ୍ର ପରି
ଅର୍କ ତୀର୍ଥ କୋଣାରକ ।
ତୀର୍ଥ କୋଣାର୍କର ଅନତିଦୂରରେ
ନଗରୀ ତ୍ରିଗୁଣାତ୍ମକ ।।
କୀର୍ତ୍ତି କାରିଗରୀ ସୁଦୂର ପ୍ରସାରି
କଳା ଭାସ୍କର୍ଯ୍ୟ ନିପୁଣା ।
ସତେକି କବିଙ୍କ କଳ୍ପନା କୃତିରେ
ଲାବଣ୍ୟବତୀ ଅଙ୍ଗନା !!
ମନ୍ଦିର ମାଳିନୀ ସୁଷମା ଶାଳିନୀ
ନଗରୀ ଭୁବନେଶ୍ୱର ।
ଉତ୍କଳ ଜନନୀ ପ୍ରାଚୀ ପଣତରେ
ସୁନ୍ଦର ସ୍ମୃତି ମନ୍ଦିର !।
ପୂର୍ବେ ତୀର୍ଥକ୍ଷେତ୍ର ପବିତ୍ର ଶ୍ରୀକ୍ଷେତ୍ର
ପଶ୍ଚିମେ ପଶ୍ଚିମାଞ୍ଚଳ ।
ବଙ୍ଗ ଗଡଜାତ ଉତ୍ତରରେ ସ୍ଥିତ
ଦକ୍ଷିଣେ ଆନ୍ଧ୍ର ଅଞ୍ଚଳ ।।
ପ୍ରଭୁ ଲିଙ୍ଗରାଜ ମନ୍ଦିର ବେଢାରେ
ଦେବ ଦେବ ମହାଦେବ ।
ସଂସ୍କୃତି ସ୍ମାରକ ପ୍ରକୃତି ସନ୍ତକ
ଧରିତ୍ରୀ ଧର୍ମ ବିଭବ
।।
ଶ୍ରାବଣ ଆକାଶୁ ଇନ୍ଦ୍ରଧନୁ ରଙ୍ଗେ
ଏ ସହର ଗୀତ ଗାଏ ।
ଧଉଳି ପର୍ବତୁ ଖଣ୍ଡଗିରି ଯାଏ
ସବୁଜିମା ବୁଣି ଦିଏ ।।
ନନ୍ଦନକାନନ ରମ୍ୟ ନିକାଞ୍ଚନ
ବନ୍ୟଜନ୍ତୁ ସଂରକ୍ଷଣେ ।
ଅନୁଭବିଛ କି ଅରଣ୍ୟ ବିଭବେ
ହସେ ଆତ୍ମୀୟତା ପଣେ !
ଐର ଖାରବେଳ ପୁନଶ୍ଚ ଅଶୋକ
ଏ ମାଟିର ମହକରେ ।
ଧର୍ମ ସଂସ୍ଥାପନେ କର୍ମ ବିସ୍ଥାପନେ
ଚିର ଅମର ବିଶ୍ୱରେ ।।
ବ୍ରହ୍ମଗିରି ଠାରୁ ଖଣ୍ଡଗିରି ଯାଏ
ଟାଙ୍ଗିଠାରୁ ଟଙ୍କପାଣି ।
ଲୋକର ଅରଣ୍ୟ ଅରଣ୍ୟରେ ଲୋକ
ତୀର୍ଯ୍ୟକ୍ ତାଙ୍କ କାହାଣୀ ।।
ମହାଭାରତର ହସ୍ତିନାପୁର ତ
ଦୁର୍ଯ୍ୟୋଧନ ରଙ୍ଗଶାଳା ।
ପ୍ରାଚୀନ ଏକାମ୍ର ଏ ଆମ ସହର
ରାଜନୀତିର ମେଖଳା ।।
ଧଉଳି ପାହାଡ଼ ନୀରବେ ନୀରବେ
ଗାଏ ଗଉରବ ଗାଥା ।
ଇତିହାସ ପୃଷ୍ଠା ତାମ୍ର ଫଳକରେ
ଲିପିବଦ୍ଧ ବୀର ବାର୍ତ୍ତା ।।
ରଙ୍ଗ ବେରଙ୍ଗର ମଣିଷଙ୍କୁ ନେଇ
ବର୍ଣ୍ଣାଢ୍ୟ ଭୁବନେଶ୍ୱର ।
ପ୍ରାଚୀନ ସଂସ୍କୃତି ପରମ୍ପରା ତା'ର
କୀର୍ତ୍ତିରେ ଚିର ଭାସ୍ବର ।।
ରାଜ୍ୟ ରାଜଧାନୀ ଉତ୍କଳ କାହାଣୀ
ବିଜ୍ଞାନ ପ୍ରଜ୍ଞା ପ୍ରାଚୀର ।
ସହର ସୁନ୍ଦରୀ ଗୋ ଭୁବନେଶ୍ଵରୀ
ତୋତେ କୋଟି ନମସ୍କାର !!