STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ବୃଦ୍ଧ

ବୃଦ୍ଧ

2 mins
254

ସମୟର ପରିବର୍ତ୍ତନେ ବଦଳି

ସୂକ୍ଷ୍ମ ଶରୀର ସ୍ବରୂପ

କୈଶୋର , ଯୌବନ ଉପରାନ୍ତେ ମିଳେ

ବାର୍ଦ୍ଧକ୍ୟର ଜୀର୍ଣ୍ଣ ରୂପ। (୧)

ଜୀବନର ଶେଷ ସୋପାନେ ଏହି ତ

ପ୍ରକୃତିର ଉପହାର

ବୋଝ ବୋଲି କେବେ ନ ମଣ ସେହିତ

ସୌଧଟି ଅଭିଜ୍ଞତାର। (୨)

କେତେ ଯେ ବରଷା ବ‌ଇଶାଖ ପୁଣି

କେତେ ଯେ ସହି ବସନ୍ତ

ଶକତ ହୋଇଛି ଏଇ ଅବୟବ

କହିଲେ ହେବନି ଅନ୍ତ। (୩)

ଶିଥିଳତା ଭରି ଯାଇଛି ଇନ୍ଦ୍ରିୟେ

ଉର୍ଜା ନାହିଁ ଶରୀରରେ

ଲୋଳିତ କୁଞ୍ଚିତ ହୋଇଛି ଏ ଚର୍ମ

ବୟସ ଅପରାହ୍ନରେ। (୪)

ପକ୍ବକେଶେ ବୟସ୍କତା ଉଙ୍କି ମାରେ

ଦୃଷ୍ଟି ଶକ୍ତି ହୋଇ କ୍ଷୁର୍ଣ୍ଣ

ତଥାପି ହୋଇଛି ଜୀବନ କଳସୀ

ପରିପକ୍ବ ଜ୍ଞାନେ ପୂର୍ଣ୍ଣ। (୫)

ସେ ଜ୍ଞାନେ ଉତ୍ତର ପିଢିଙ୍କର କର

ଜୀବନକୁ ଆଲୋକିତ

ଉତ୍ତମ ସଂସ୍କାର ବୁଣି ହୃଦେ ତାଙ୍କ

ଗଢି ଦିଅ ଭବିଷ୍ୟତ। (୬)

ଏହି ଯେ ଅଟ‌ଇ ସର୍ବୋତ୍କୃଷ୍ଟ ବେଳା

ତେଜ ମିଛ ମୋହ ମାୟା

ଏକାଗ୍ର ଚିତ୍ତରେ ଭଜି ରାମନାମ

ଶୁଦ୍ଧପୂତ କର କାୟା। (୭)

ଲୟ ରଖି ସଦା ବିଭୁ ପଦ୍ମ ପାଦେ

ବିତାଇ ଦିଅ ସମୟ

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ

ହେବେ ତୁମକୁ ସଦୟ। (୮)

ଜଞ୍ଜାଳ ଜାଲରୁ ମିଳିବ ମୁକତି

ଅରଜିବ କୋଟି ପୂଣ୍ୟ

ମହି ମଣ୍ଡଳରୁ ମୋକ୍ଷ ଗତି ପାଇ

ନର ଜନ୍ମ ହେବ ଧନ୍ୟ। (୯)

ମାଟିର ଏ ଦେହ ମାଟିରେ ମିଶିବ

ଏକଥା ସର୍ବଥା ସତ

ସ୍ମରିଲେ ହରିହର ଭବ ସାଗରୁ

ତରିଯିବ ମନ ମିତ। (୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍