ବୋଉ
ବୋଉ
ଦୃଶ୍ୟହୀନ ସମୟର ଲମ୍ବ ଦୂରତ୍ୱରେ
ଯେତେ ଯେତେ ଥର ମୁଁ ପହଞ୍ଚେ
ଗାଁଆର ସେ ଖୁନ୍ଦାଖୁନ୍ଦି ଘର ଅଗଣାରେ ।
ନିମିଷକେ ବୋଉ ଭାଙ୍ଗି ଚୁରମାର୍ କରିଦିଏ
ସବୁ କ୍ଳାନ୍ତି ଭାରାକ୍ରାନ୍ତ ଆଉ ଅନ୍ୟମନସ୍କତା ଯାହା ରହିଥାଏ ଭରି
ବିଦାୟର ଦୁଇ ଟୋପା ଲୁହରୁ ଆଉ
ଫେରିବାର ଉଲ୍ଲାସତା ଯାଏଁ ।
ବାସନ୍ତୀ ପବନ ପ୍ରାୟେ ମାଡିଆସେ ଯେତେ ଯେତେ ସ୍ନେହ ଆଉ ପ୍ରେମ
ଲମ୍ବି ଆସେ କେଉଁ ଏକ ବିଶାଳ ହୃଦରୁ ।
କେଜାଣି କେଉଁଠି ସାଇତି ରଖିଥାଏ
ପଖାଳ ସାଥେ ଆଣି ଥୋଇଦିଏ
ବସାଦହି ବଡିଚୋରା କଳା କଞ୍ଚା ଲଙ୍କା
ଲେଉଟିଆଶାଗ ଆଉ ଖମ୍ବଆଳୁ ଭଜା
ସଜନା ଛୁଇଁ ଶିମ୍ବରାଇ ଝୁରିମାଛଭଜା
ଆମ୍ବୁଲ ଚଟଣୀ ଯେବେ ଥୋଇ ଦିଏ
ଖାଇବାକୁ ଲାଗେ ଭାରିମଜା ।
ବେଳେବେଳେ ରଖିଥାଏ ସାଇତି ଛେନା ପୋଡଦିଆ ଥାଳି ସିଝା ମୁଆଁ ପିଠା
ଆଉ ମଣ୍ଡା ଓ ଆରିସା
ବିରି ଚକୁଳି ବିରି ବରା ଆଦି ପିଠାମାନ
ବହଳିଆ ମୁଗଡାଲି ସହ
ବସୁମତୀ ଚାଉଳରେ କରିଥାଏ
କେତେ ଯେ ବ୍ୟଞ୍ଜନ ।
ଖାଇସାରି ଟିକିଏ ଗଡିପଡିଲେ ଖଟିଆରେ
କହିପକାଏ
"ଶୋଇପଡ ଶୋଇପଡ ଧନରେ
ଧାଇଁ ଧାଇଁ ଆସିଛୁ କାହିଁ କେତେ ବାଟରୁ କେତେଦିନ ପରେ "
ପୁଣି ମୁଣ୍ଡ ପାଖେ ବସିରହି
କପାଳରେ ହାତକୁ ବୁଲାଇ
ମୁହଁକୁ ଅନାଇଁ କୋମଳ ସ୍ୱରରେ କହଇ
"ଧନ ମୋର ପଡିଗଲାଣି କଳାକାଠ
ବିଶ୍ରାମ ନପାଇ "
ପରନ୍ତୁ ମୁଁ
ଦେଖି ପାରେ ନାହିଁ ବୋଉର ଦିହ ଛାଲ
ଲୋଚାକୋଚା ମୁଣ୍ଡର ଅଲରା କେଶରେ ତେଲ ଲାଗିଚି କି ନାହିଁ ।
ମୋ ପାଖରେ ତର ନାହିଁ ବୁଝିବାକୁ
ରକ୍ତଚାପ ଆଉ ଅମ୍ଳର ଔଷଧ ତା' ପାଖରେ ଅଛି କି ନ ଅଛି
ଗ୍ରୀଷ୍ମର ସାମ୍ରାଜ୍ୟ
ସହ୍ୟ କି ଆସହ୍ୟ ।।
