ବୋଝ
ବୋଝ
ବୋଝ ବୋହିବାର ସାହସ ଶକତି ଯେବେ ହୁଏ ଉତ୍ପନ୍ନ,
ଯେତେ ବୋଝ ଆସେ ବୋହି ନେଇହୁଏ ଲାଗେ ନାହିଁ ତ ବିଷର୍ଣ୍ଣ |୧|
ଯେତେ ବଡ଼ କାମ ହୋଇଥାଉ ପଛେ ବୋଝ ବୋଲି ଭାବ ନାହିଁ,
ମନର ଭାବନା ସହଜ ହୋଇଲେ ସହଜ ହୁଅଇ ସେହି |୨|
ରୋଗୀଣା ଦେହକୁ ବୋଝ ହୁଏ ରୋଗ ଓଉଷଧ ପଥି ରାଗ,
ମନ ବିଷେଇଲେ ବୋଝ ବଢ଼ିଯାଏ ପିତା ଲାଗେ ସବୁ ଭୋଗ |୩|
କରୋନା ବେଳରେ ବଡ଼ ବୋଝ ଲାଗେ କରୋନା ଭୟର ଭୂତ,
ସବୁ ବୋଝଠାରୁ ପ୍ରଶାସନ ବୋଝ ବଳିପଡ଼େ ଅକସ୍ମାତ | ୪|
ପରିବାର ବୋଝ ସବୁଠୁଁ କଠିନ ବୋହିବା ଲୋକ ହିଁ ଜାଣେ,
ପିଠି ଅଣ୍ଟା ହାଡ଼ ବଙ୍କା ପଡ଼ିଯାଏ ମରମକୁ ନିତି ହାଣେ |୫|
ଅଲାଜୁକି ଯେବେ ଝିଅ ହୋଇଯାଏ ଘରର ଲଜ୍ଜାକୁ ଖାଏ,
ଅଣ୍ଟି ଛୁରି ହୋଇ ତଣ୍ଟିକୁ କାଟେ ସେ ବିରାଟ ବୋଝ ବୋଲାଏ |୬|
ନାଲାଇକ ପୁଅ ନିଶା ଦରବରେ ଯେବେ ଦେଇଦିଏ ମନ,
କି ବୋଝ କହିବା ତାହାର ନାମଟି ପିତା ହୁଏ ହୀନିମାନ |୭|
ପକେଟରେ ନାହିଁ ଗରମ ବାପୁଡ଼ା ସ୍ତ୍ରୀ ବାନ୍ଧୁଥାଏ ବରତ,
ଅକାଳ ଚଡ଼କ ମାଡ଼ିଆସେ ପରା ବେକ କାଟିନିଏ କରତ |୮|
ବୋଝର ପାହାଡ଼ କେହି ଦିଅନ୍ତିନି ଦେଇଥାନ୍ତି ନିଜ ଲୋକ,
ଭାରି ଭୟଙ୍କର ବୋଝର ପସରା ବୁଡ଼ିଯାଏ ଭୋକଶୋଷ |୯|
ପଢ଼ିବାରେ ବୋଝ ଶୋଇବାରେ ବୋଝ ଯଦି ବୋଝ ଭାବୁଥାଅ,
ମନରୁ ବୋଝକୁ ହଟାଇ ଦିଅନ୍ତୁ ସୁଖେ ଦିନ କାଟୁଥିଅ | ୧୦|