ବଂଶୀର ମୂର୍ଚ୍ଛନା ପରି
ବଂଶୀର ମୂର୍ଚ୍ଛନା ପରି
ବଂଶୀର ମୂର୍ଚ୍ଛନା ପରି
ତୁମେ ଆଚ୍ଛନ୍ନ କରି ରଖ
ଏ ସଂସାର-ମନସ୍କ ଆସକ୍ତ ଚିତ୍ତକୁ
କେବେ ହସେଇ ମଜେଇ
କେବେ କନ୍ଦେଇ ଭଣ୍ଡେଇ।
ତୁମେ ଥାଅ କି ନଥାଅ କିନ୍ତୁ
ସବୁ ନଥିଲାପଣରେ ତୁମେ ଛାଡ଼ିଦେଇଯାଅ
ତୁମ ଉପସ୍ଥିତିର ସ୍ପଷ୍ଟ ସନ୍ତକ
ଘମାଘୋଟ ଜୀବନ ସଂଗ୍ରାମେ
କାନରୁ ମନ ପର୍ଯ୍ୟନ୍ତ ପ୍ରସାରିତ ହୁଏ
ତୁମ ସ୍ୱର ତରଙ୍ଗିତ ହୋଇ
ଚିହ୍ନିପାରେ ତୁମର ସେ ସ୍ୱରକୁ ଯେ
ଏ କାନଫଟା ଭିଡ଼ କୋଳାହଳେ
ତୁମେ ହିଁ ତ ଚିହ୍ନାଦିଅ ତାକୁ
ସଂସାର ପଥରେ ଯେବେ ମନବୁଦ୍ଧି ଭ୍ରମେ।
କେବେ ପୁଲକିତ କରିଦିଅ ଫୁଲଟିଏ ହୋଇ
କଣ୍ଟକିତ ଜୀବନର ତପ୍ତ ରାଜପଥେ
ରୋମାଞ୍ଚିତ ହୋଇଉଠେ ଦେହ ମନ ପ୍ରାଣ
ଆଦେଖାରେ ଥାଇ ଯେବେ ଦେଖାଦିଅ ଗୁପ୍ତେ।
ବହୁବାର ଓ ବାରମ୍ବାର ମୁଁ ପଥଭ୍ରଷ୍ଟ ହୁଏ
ଜାଣି ଜାଣି କେବେ ଅଜାଣତେ ମୁଁ ଦିଗଭ୍ରଷ୍ଟ ହୁଏ
ତୁମେ କିନ୍ତୁ ବଞ୍ଚିତ କରିନ କେବେ ତୁମ କରୁଣାରୁ
ଆକର୍ଷିତ କରିନିଅ ଯେନ ତେନ ପ୍ରକାରରେ
ଏ ମନ ଯେବେ ତୁମକୁ ଭୁଲି ଆନମନା ହୁଏ।
ତୁମେ ବଜାଇ ଚାଲ ଆଖି ବୁଝି
କେଉଁ ଏକ ତୁମ ସଂରଚିତ କଦମ୍ବ ମୂଳରେ
ମୁଁ ଧାଇଁଚାଲେ ଗାଭୀସମ ଅନୁସରି ସେ ବଂଶୀ ସ୍ଵନକୁ
ତୁମେ ହିଁ ଜାଣ ଠାକୁରେ ତୁମକୁ ମୁଁ ପ୍ରାପ୍ତ ହେବି
କେଉଁଦିନ କେଉଁଠାବେ କେଉଁ ପରକାରେ।
ଏ ସଂସାରର ଯେତେ ସବୁ ରାଗ ଋଷା ଭିତରେ ବି
ମୁଁ ସାଜେ ତୁମ ପାଇଁ ଆସକ୍ତ ବୈରାଗୀ
ମୋର ଯେତେ ସବୁ ମାନୁଷୀ ଇଚ୍ଛା ଓ ଆଶା ଭିତରେ ବି
ମୁଁ ଖୋଜେ ତୁମକୁ ଓ କେବଳ ତୁମକୁ
ସମସ୍ତ ଭୋଗର ପ୍ରାଚୁର୍ଯ୍ୟ ଭିତରେ ବି
ମୁଁ ସାଜେ ତୁମ ଧ୍ୟାନେ ତୁମେମୟ ଯୋଗୀ।