STORYMIRROR

Bauribandhu Lenka

Others

5.0  

Bauribandhu Lenka

Others

ବନ୍ଦନ

ବନ୍ଦନ

1 min
2.4K


ନନ୍ଦନ ବନର ଚନ୍ଦନରେ ତୁମ

ବନ୍ଦନ କରନ୍ତି ମୁହିଁ

କୁନ୍ଦ ଫୁଲ ମନ୍ଦ ସୁଗନ୍ଧରେ ତୁମ

ମନ ମୁଁ ନିଅନ୍ତି ମୋହି ॥ ୦ ॥

ତୁଳସୀ ମାଳରେ ତୁଳସୀ ଚୂଳରେ

ଶ୍ରୀଅଙ୍ଗ ଭୂଷିତ କରି

ଖଣ୍ତୁଆ ପାଟ ମୁଁ ପିନ୍ଧାଇ ଦିଅନ୍ତି

ବାନ୍ଧି ରେଶମର ଡୋରି

ସକାଳ ଖେଚୁଡି ଖୁଆଇ ଦିଅନ୍ତି

ତୁମକୁ ପେଟ ପୁରାଇ

ନନ୍ଦନ ବନର ଚନ୍ଦନରେ ତୁମ

ବନ୍ଦନ କରନ୍ତି ମୁହିଁ ॥ ୧ ॥

ଲଲାଟ ପଟଳେ ଲଗାଇ ଦିଅନ୍ତି

ଇନ୍ଦୀବର କାନ୍ତି ମଣି

କର୍ଣ୍ଣରେ କୁଣ୍ଡଳ ନାକେ ନାକୁଆସି

ପିନ୍ଧାଇ ଦିଅନ୍ତି ଆଣି

ରତନ ପଲଙ୍କେ ଶୁଆଇ ଦିଅନ୍ତି

ଶ୍ରୀଗୀତଗୋବିନ୍ଦ ଗାଇ

ନନ୍ଦନ ବନର ଚନ୍ଦନରେ ତୁମ

ବନ୍ଦନ କରନ୍ତି ମୁହିଁ ॥ ୨ ॥

ସିନ୍ଧୁ ରାଜଜେମା ହୃଦ ମନ ଲୋଭା

ତୁମ ସେ ବାଙ୍କ ଚାହାଣି

ରଙ୍ଗା ଅଧରରେ ମନ୍ଦହାସ ତୁମ

କୋଟି ମନ ନିଏ କିଣି

ସେ ବାଙ୍କ ଚାହାଣି ସେ ମନ୍ଦ ହାସରେ

ଯାଆନ୍ତି କି ଲୀନ ହୋଇ

ନନ୍ଦନ ବନର ଚନ୍ଦନରେ ତୁମ

ବନ୍ଦନ କରନ୍ତି ମୁହିଁ ॥ ୩ ॥

ତୁମେ ଜଗତ୍‌କର୍ତ୍ତା ଜଗତ ନିୟନ୍ତା

ଜଗତ ମଉଡମଣି

ଝରୁଥାଉ ତୁମ ଆଶିଷର ଧାରା

ହସୁଥାଉ ଏ ଧରଣୀ

ଦିନ ମୋର ସରିଯାଆନ୍ତା କି ପ୍ରଭୁ

ତୁମ ନାମ ଗାଇ ଗାଇ

ନନ୍ଦନ ବନର ଚନ୍ଦନରେ ତୁମ

ବନ୍ଦନ କରନ୍ତି ମୁହିଁ ॥ ୪ ॥

********


Rate this content
Log in