ବିନତି
ବିନତି
ଅନାଦି ଅକ୍ଷର ଅବ୍ୟକ୍ତ ହରି ଘେନ ପ୍ରଣତି
ଆହେ ଆର୍ତ୍ତତ୍ରାଣ ଆରତ ଫେଡ କଳାମୂରତି ।
ଇତର ଜନ ମୁଁ ପଡୁଛି ଶୀରି ପୟର ଧରି
ଈଶ୍ଵର କରିଣ କୁରୁପା କୋଳେ ନିଅ ଶ୍ରୀହରି ।
ଉଠରେ ମାନସ ଚନ୍ଦ୍ରମା ଦେଖ ଶ୍ରୀ ବିଭୁ କାନ୍ତି
ଊଣା କରନାହିଁ ମନକୁ ଡାକ ରଖ ଶ୍ରୀପତି ।
ଋଦ୍ଧି ସିଦ୍ଧି ବିଧିଦାୟକ ସେ ତ କମଳାକାନ୍ତ
ଋଷ୍ଟିଖଣ୍ଡନ ଯେ କରିବେ ଫେଡି ସର୍ବ ଆରତ ।
ଏକମାତ୍ର ସତ୍ୟ ସୁନ୍ଦର ସେ ତ ଅମୀୟଧାରା
ଐକୁଣ୍ଠ ରାଜନ ତ୍ରିଲୋକେ ଧର୍ମେ ରଖିଛି ଧରା ।
କୋଟିକୋଟି ସୃଷ୍ଟି ଧାରଣ କରି ବ୍ରହ୍ମାଣ୍ଡ ପତି
ଖଳ ନାଶି ପାପ ବିନାଶି ପୂଣ୍ୟ କରି ସଂସ୍ଥିତି ।
ଗରୁଡ ପୃଷ୍ଠରେ ବିରାଜମାନ କରି ମୂରାରି
ଘନ ଅନ୍ଧକାର ନାଶନ୍ତି ଦୁଷ୍ଟ ବଳ ସଂହାରି ।
ଚିତ୍ତ ବିନୋଦିଆ ଠାକୁର ଶୀରେ ଚନ୍ଦ୍ରଶୋଭନା
ଛନ୍ଦମନ୍ଦ ବହୁ ଜାଣହେ ସନ୍ଥ ପାଳନେ ସିନା ।
ଜଗତର ନାଥ ବୋଲାଅ ବିଶ୍ଵ ମଙ୍ଗଳ ପାଇଁ
ଝଟିକା ବିନାଶେ ଝଟକେ ବିଜେ କଳାଗୋସାଇଁ ।
ଟଣକାରେ ବନ୍ଧା ପଡିଛ ମାତା ଯଶୋଦା ପାଶେ
ଠାଣିମାଣି ତବ ଦେଖାଇ ରଖିଥିଲଟି ବଶେ।
ଡରଭୟ ସବୁ ନିଅ ହେ କରୁଅଛି ମିନତି
ଢ଼ଳିଢ଼ଳି ନାଚୁଥାଅ ହେ ପ୍ରଭୁ ମୋର ଚୌକତି ।
ତବ ଅପରୂପ ଶୋଭାର ଦିବ୍ୟ ଦର୍ଶନ ପାଇଁ
ଥୟ ଧରି ଲୟ ଲଗାଇ ନାମ ଜପିବି ଧ୍ୟାଇ ।
ଦରଶନ ଦେବ ଦିବସନିଶି ପାଶରେ ଥାଇ
ଧରିବନି ଦୋଷ ମୋହର କରେ ମାଗୁଣି ଏହି ।
ନ ଦିଅ ପଛକେ ସୁଖ ହେ ଦୁଃଖ ଯାତନା ଦିଅ
ପର କରିବନି ଠାକୁର ଏହି ଶପଥ ନିଅ ।
ଫେରିବା ବେଳରେ ମୋ ପାଶେ ଥିବ ଆହେ ମଣିମା
ବରାଭୟ ଦେଇ ରଖିବ ତବ ଚରଣେ ସିନା ।
ଭୟଭ୍ରାନ୍ତି ଏହି ସଂସାରୁ ଯେତେ ନିଅ ଦୂରେଇ
ମନ ମୋହନିଆ ଠାକୁର ଆହେ ଜଗତସାଇଁ ।
ଯାତନା ସକଳ ହଟାଇ ଜଗତର ଠାକୁର
ରଖରଖ ଏହି ସଂସାର ପ୍ରଭୂ ରଙ୍ଗାଅଧର ।
ଲହଲହ ଜିହ୍ଵା ମେଲାଇ ମାଡିଆସେ ବିପତ୍ତି
ବଳୀୟାର ଭୁଜ କାହିଁକି ହୁଅ ନିଷ୍ଠୁର ଅତି ।
ଶକତି ଦିଅହେ ହୃଦୟେ ଭରିଦିଅ ଭକତି
ଷୋଳକଳାପୂର୍ଣ୍ଣ ଶ୍ରୀହରି ଘେନ ଏହି ବିନତି ।
ସରିସରି ଆସେ ଜୀବନ ଦୀପ କେତେ ବା କ୍ଷଣ
ହୃଷିକେଶ ହୁଅ ସଦୟ ନୁହଁ କାଷ୍ଠ ପାଷାଣ ।
କ୍ଷମାକର ସର୍ବ ଦୋଷ ହେ କରେ ଏହି ମୀନତି
କ୍ଷିତିରେ ମଙ୍ଗଳଧ୍ଵଜା ହେ ଉଡୁ ମଙ୍ଗଳମୂର୍ତ୍ତି ।
