ବିକାଶର ବାଇଶି ପାହାଚ
ବିକାଶର ବାଇଶି ପାହାଚ
ନିରାକାର ଦାସ
ହେ ଭାଇମାନେ
ସଂଶୟରେ ଶୋଇଥିବା ସନ୍ୟାସୀଙ୍କୁ
ବିକଳରେ ବାଉଳୁଥିବା ସନ୍ଥଙ୍କୁ
ସଙ୍କଟରେ ସଂଜ୍ଞାହୀନ ସାମ୍ୟବାଦୀଙ୍କୁ
ଛଳନାର ଛାଇ ତଳେ ହାଇ ମାରି
ଛପନ ଭୋଗ, ଚଉଷଠି ବ୍ୟଞ୍ଜନ ଖାଉଥିବ ଛତ୍ରଧାରୀଙ୍କୁ
ଭାବନାର ଭାବସାଗରେ ଭାସୁଥିବା ଭାବୁକ –ଭାବଗ୍ରାହୀଙ୍କୁ
ଚେତନାର ଚିନ୍ତାରେ ଚିନ୍ତିତ ଚିନ୍ତାମଣିଙ୍କୁ
ସାଙ୍ଗରେ ନେଇ
ଶୋଷଣର ସମ୍ବିଧାନ ସହ ସମ୍ଭୋଗରତ
ବେପାରି ବାଡିକୁ ଆଶ୍ରା କରି
ବିକାଶର ବାଇଶି ପାହାଚ ଚଢିବି କେମିତି?
ସମାନତାର ଶଙ୍ଖନାଦ ସଂସାରକୁ ଶୁଣାଇବ କେମିତି?
ଚାରିଆଡେ ତ ଚାଲିଛି ସଂଶୟର
ଶାସ୍ତ୍ରୀୟ ସଙ୍ଗୀତ ପାଠ,
ସମ୍ପ୍ରଦାୟିକତା ସଂସ୍କାର
ଶିଳପୁଆରେ ଚାଲିଚି
ଦେଶପ୍ରେମର ବେସରବଟା ନାଟ ।
ଭାଗଭାଗ ହେଉଛି ଭାବନା
ମରିମରି ଯାଉଛି ସମ୍ଭାବନା
ସରିସରି ଯାଉଛି ମାଟିର ଆୟୁଷ,
ଆକାଶର ଉର୍ଜନା,
ଲମ୍ବିଲମ୍ବି ଯାଉଛି ଜୀବନ ଯନ୍ତ୍ରଣା ।
ତଥାପି ଭଙ୍ଗା ଛାତ ଉପରେ
ଠିଆ ହୋଇ ଚାଲିଛି
ଆକାଶ ଛୁଆଁ ଯୋଜନା ।
ଫଟା କାନ୍ଥରେ ଫମ୍ପା ଶବ୍ଦରେ
ଧାଡିବାନ୍ଧି ଲେଖା ହେଉଛି
ମିଛିମିଛିକା ବିଦ୍ରୋହର ସୂଚନା ।
