ବିଦ୍ୟା
ବିଦ୍ୟା
ବିଦ୍ୟା ଅଟଇ ମହାଧନ
ବାଳକେ କର ଉପାର୍ଜନ।
ବିଦ୍ୟା ଏକ ଶକ୍ତି ପ୍ରବେଶ କରିଲେ
ମଣିଷ ହୃଦର ମଧ୍ୟେ
ପରିବର୍ତ୍ତନର ଝଙ୍କାର ତୋଳଇ
ଅସତ୍ୟର ପଥ ରୁଦ୍ଧେ ।
ଦୁନିଆର ସବୁ ଖବର ଜାଣଇ
ହୁଏ ପରା ସିଏ ଶିକ୍ଷିତ
ଭଲ ମନ୍ଦ ବାଛି ବିଚାର କରଇ
ବଢଇ ମାନ ଓ ମହତ ।
ବିଦ୍ୟା ଵୁଦ୍ଧିବଳେ କରମ କରଇ
ସତ୍ୟ ଅସତ୍ୟର ଠିକଣା
ଈଶ୍ବର ଭକତି ଆସଇ ଆସକ୍ତି
ବିଦ୍ବାନରେ ହୁଏ ସେ ଗଣା ।
ଆଦର୍ଶରେ ହୁଏ ସେ ଅନୁପ୍ରାଣିତ
ସହନ ଶକତି ବଳରେ
ଅସାଧ୍ୟକୁ କରେ ସେହୁ ଯେ ସାଧନ
ପିତା ମାତା ଆଶିର୍ବାଦରେ ।
ବିଦ୍ୟା ଯୋଗୁଁ ବସେ ମାନ୍ୟଗଣ୍ୟ ସଙ୍ଗେ
କରଇ ଦେଶର ଉନ୍ନତି
ନାନା ପଦବୀରେ ହୁଏ ବିଭୁଷିତ
ଖୋଜଇ ଦେଶର ପ୍ରଗତି ।
ପିତାମାତା ପଦେ ରଖିଥାଏ ଧ୍ୟାନ
କରେ ପରିବାର ପୋଷଣ
ଗୁରୁଙ୍କୁ ସମ୍ମାନ ବଢେ ତାର ଜ୍ଞାନ
ଇତରେ ନ ଦିଏ କଷଣ ।
ବିଦ୍ୟା ହିଁ ଦେଖାଏ ରୋଜଗାର ପନ୍ଥା
ବିଦ୍ୟା ବଳେ ସବୁ ସମ୍ଭବ
କୁକର୍ମ ଦେଖିଲେ ଦିଏ ପଛଘୁଞ୍ଚା
ବିଦ୍ୟା ଚେତନାର ରକ୍ଷକ ।
ବିଦ୍ୟା ବିନୁ ସବୁ ଅସାର ହୁଅଇ
ହୋଇଥିଲେ ମଧ୍ୟ ମଣିଷ
ବିଦ୍ୟା ଅଟେ ଶ୍ରେଷ୍ଠ ଏହି ଜଗତରେ
ବିଦ୍ୟା ହିଁ ଦେଖାଏ ସୁପଥ ।
