STORYMIRROR

SOUBHAGYA GIRI

Others

4.9  

SOUBHAGYA GIRI

Others

ବିଦେଶିନୀ ବନାମ ରଜପର୍ବ

ବିଦେଶିନୀ ବନାମ ରଜପର୍ବ

12 mins
11.8K


■ବିଦେଶିନୀ ବନାମ ରଜପର୍ବ■

ଏକ ଶାନ୍ତ ଅପରାହ୍ନ l ଶାନ୍ତିଦେବୀ ବସିଥାନ୍ତି ବୈଠକ ଘରେ l ଭାରି ରକ୍ଷଣଶୀଳା,ଧର୍ମପରାୟଣ ମହିଳା l ପେପର୍ ଟା ଓଲଟେଉଥାନ୍ତି l ଏଇ ସମୟରେ ଫୋନ ଟା ରିଙ୍ଗ ହେଲା l

ସେପଟୁ ପୁଅ ବିକାଶ ର ସ୍ୱର :-" ମା' ,ଆମେ କାଲି ଦଶଟାରେ ଏୟାରପୋର୍ଟ ରେ ପହଞ୍ଚିବୁ l ତୁ ରାମୁ କାକା ଙ୍କୁ କହିଦବୁ ସେ ଏୟାରପୋର୍ଟ ଆସିଥିବେ l ଦେଖ୍ ମା, କାଲି ପ୍ରଥମ ଥର ବନ୍ଦିତା ଆମଘରେ ପାଦ ଦେବ l ତୁ ରାଗିବୁନି ମା l ମୁଁ ସତ କହୁଛି, ବନ୍ଦିତା ତୋ ପସନ୍ଦ ର ଝିଅ l

 ଫୋନ ରଖିଲେ ଶାନ୍ତି ଦେବି l ଅଶାନ୍ତି ରେ ଭରା ମନ l କେମିତି ବା ଅଶାନ୍ତି ହେବନି l କେତେ ସ୍ବପ୍ନ ଦେଖିଥିଲେ ସେ l ତାଙ୍କ ପୁଅ ବଡ ହେବ l ଚାକିରି କରିବ l ସେ ବୁଲି ବୁଲି ବୋହୁ ଚୟନ କରିବେ l ବାଛି ବାଛି ଗୋଟେ ସର୍ବ ଗୁଣ ସମ୍ପର୍ଣ ଝିଅ କୁ ବୋହୁ କରିବେ l ଯିଏ ରୂପରେ,ଗୁଣରେ,ସଂସ୍କାରରେ ସବୁଥିରେ ଏକ ନମ୍ବର ହୋଇଥିବ l ଆଉ ପୂଜାପାଠ,ଓଷା ବାର ସବୁଥିରେ ପାରଙ୍ଗମ ହୋଇଥିବ l 

    ହେଲେ କଣ ହେବ ? ପାଠ ପଢ଼େଇ ପୁଅ କୁ ଉଚ୍ଚ ଶିକ୍ଷିତ କଲେ l ପୁଅ ଚାକିରି କରିବାକୁ ବିଦେଶ ଚାଲିଗଲା l ଆମେରିକା ରେ ଦୁଇ ବର୍ଷ ରହିଲା ପରେ ଏଇ ବର୍ଷେ ହେବ ଅଷ୍ଟ୍ରେଲିଆ ଯାଇଛି l ସେଇଠୁ ପ୍ରେମ କରି ବାହା ହୋଇ ପଡିଚି ଗୋଟେ ବିଦେଶୀ ଝିଅ କୁ l ଯେକି ବଢିଛି ସମ୍ପୂର୍ଣ ସହରୀ ସଭ୍ୟତାରେ l 

          ଛି.. ଛି.. ଛି... କି ବେଳ ହେଲା କେଜାଣି ଏ ପିଲାଗୁଡ଼ା ଆଉ ବାପା ମା ଙ୍କୁ ମାନିବାକୁ ପ୍ରସ୍ତୁତ ନୁହନ୍ତି l ନିଜେ ନିଜେ ଦେଖି ବାହା ହେଇ ପଡୁଛନ୍ତି l କେତେ ସୁନ୍ଦର ଥିଲା ଆମ ସମୟ l ବାପା ମା ଯୋଉଠି ଠିକ କରୁଥିଲେ ଆମେ ସେଇଠି ହଁ କରୁଥିଲୁ l ହଁ କରିବା ଗୋଟାଏ କଣ ମ ? ବାପା ମା ଠିକ କରିବା ଅର୍ଥ ସେଇଟା ହେଲା ଆମର ହଁ l ବଡ଼ମାନେ ବାହାଘର କଥା ହେଲାବେଳେ ଆମେ କୋଉଠି କେମିତି ଟିକେ ଲୁଚିକି ପଦେ ଅଧେ ଶୁଣି ଦେଉଥିଲୁ l ଆଉ ପୁଅ ଝିଅ ପରସ୍ପରକୁ ଦେଖିବା ସେତେବେଳେ ବିଲକୁଲ ଗୋଟେ ଅସମ୍ଭବ କଥା ଥିଲା l ବାହାଘର ଦିନ ବି ଦେଖି ହେଉନଥିଲା l ଚଉଠି ରାତିରେ ଝାସପା ଝାସପା ଦୀପ ଆଲୁଅରେ ବରକନିଆ ପରସ୍ପରକୁ ଦେଖୁଥିଲେ l ତାପରେ ସଂସାର ଆରମ୍ଭ କଲେ ଯାଇ ଭଲସେ ଦେଖାଚାହାଁ l 

     ଆଉ ଇଏ ଯୋଉ ଯୁଗ l ବାହାଘର ନ ହେଉଣୁ ପୁଅ ଝିଅ ଯାଇ ଆଗେ ମୁଦି ପିନ୍ଧା ପିନ୍ଧି ହେଉଛନ୍ତି l ସେଇଟା ନିଜେ ଠିକ କରିବା ବାହାଘର ହେଉ କି ବାପା ମା ଠିକ କରିବା ବାହାଘର ହେଉ l ମୁଦି ପିନ୍ଧା ସାରିଲେ ପୁଣି ଫିଲ୍ମ ସୁଟିଂ କରିବାକୁ ପଳାଉଛନ୍ତି l କଣ ଗୋଟାଏ କହୁଛନ୍ତି ତ ତାକୁ....... ମୋର କଣ ମନେପଡୁଛି l ସେଇ ଯୋଉ ସୁଟିଂ ଟା ବାହାଘର ଆଗରୁ ହୁଏ ସେଇଟା l ସେତିକି ରେ କଣ ସରିଲା l ବାହାଘର ସୁଟିଂ, ବାହାଘର ପରେ ଗୋଟଏ ସୁଟିଂ l ଆହୁରି ପୁଣି ପିଲା ପିଲି ହେବାକୁ ଥିଲେ ସେଇଟା ବି ଗୋଟାଏ ସୁଟିଂ l ଆଜି କାଲିକା ଝିଅ ଙ୍କୁ ଆଉ ଲାଜ ସରମ ନାଇଁ l ସେଗୁଡା ସବୁ ପୋଡିକି ଖାଇ ସାରିଲେଣି l କହିଲେ କହୁଛନ୍ତି ସେମାନେ ସବୁ ମଡର୍ଣ ଯୁଗର ଝିଅ l ଆଉ ଆମେ ସବୁ କାଳେ ଷାଠିଏ ମସିହା ଲୋକ l କିଛି ଅନ୍ଧବିଶ୍ୱାସ ଆଉ କୁସଂସ୍କାର ଛାଡିଦେଲେ ଆମେ କାଳେ କିଛି ଜାଣିନୁ l ତାଙ୍କ ହାବଭାବ ଚାଲିଚଳନ ଦେଖିଲେ ଦେହରେ ନିଆଁ ଲାଗିଯାଉଛି l ଝିଅ ଗୁଡା ଟାଇଟ ଜିନ୍ସ ପିନ୍ଧୁଛନ୍ତି l ଆଉ ବୋହୁ ଗୁଡା ବି ଆଜି କାଲି ଝିଅ ଙ୍କୁ ବଳି ଗଲେଣି l ମୁଣ୍ଡରେ ଓଢଣା ନାଇଁ, ହାତରେ ଚୁଡି ଶଙ୍ଖା ନାଇଁ, ମଥାରେ ସିନ୍ଦୁର ଟୋପାଏ ବି ନାହିଁ l ଘର ଛାଡି ସବୁ ଯାଇ ବାହାରେ l ଖାଲି ପାନରୁ ଚୁନ ଖସିଲେ ସ୍ୱାମୀ ଶ୍ୱଶୁର ଙ୍କ ନାଁ ରେ ଯୌତୁକ ନିର୍ଯାତନା କେସ୍ l ନହେଲେ ସ୍ୱାମୀ ଠାରୁ ଛାଡପତ୍ର l ଆଉ ଅଧେ ତ ବାହାଘର ପରେ ବି ବାପଘର ଛାଡ଼ୁନାହାନ୍ତି l ସ୍ୱାମୀ କୁ ଶିଖେଇ ଆଣି ବାପଘରେ ଘରଜ୍ୱାଇଁ ସଜାଉଛନ୍ତି l ଆଜି କାଲି ସ୍ତ୍ରୀ ଙ୍କର କଣ ଆଉ ସ୍ୱାମୀ ର ମାନମର୍ଯ୍ୟାଦା ଗଲା କି ରହିଲା ସେ ବିଷୟରେ କିଛି ଚିନ୍ତା ଅଛି ? 

      ଏଇମିତି ଗରଗର ହେଉଥାନ୍ତି ରାଗରେ l ମନରେ ତାଙ୍କର ବୋହୁ ପାଇଁ ବହୁତ ଘୃଣା l ହେଲେ ଗୋଟାଏ ବୋଲି ପୁଅ l କିଛି କହିଦେଲେ ସେ କାଳେ ଘରକୁ ଆସିବା ବନ୍ଦ କରିଦେବ l ତେଣୁ ବାଧ୍ୟତାମୂଳକ ଭାବେ ଟିକେ ଖୁସି ହେବାର ଅଭିନୟ କରିବାକୁ ପଡିବ l 

   ବର୍ଷକୁ ଥରେ ରଜ ଛୁଟି ରେ ଘରକୁ ଆସେ ପୁଅ l ଆମ ଗାଁ ରେ ରଜ ପର୍ବ ଟା ସବୁଠୁ ବଡ l ସେଇ ସମୟରେ ଗାଁ ରେ ଯାତ୍ରା ହୁଏ l ବାହାରେ ରହୁଥିବା ଗାଁ ର ଯୁବକ ହୁଅନ୍ତୁ କି ଝିଅଝିଆଣି ସମସ୍ତେ ଗାଁ କୁ ଆସନ୍ତି l ବଡ ଧୁମ୍ ଧାମ୍ ରେ ରଜ ପର୍ବ ପାଳନ ହୁଏ l ତାପରେ ପୁଣି ସବୁ ଯେଝା ବାଟରେ ଯେଝା ଯା'ନ୍ତି l  ହୁଁ.... ମୋ ଘରେ ଆଉ ରଜ କଣ ? ଘରକୁ ସଂସ୍କାରୀ ଓଡ଼ିଆଣୀ ବୋହୂଟିଏ ଆଣିଥିଲେ ସିନା ସେ ରଜ କରିଥା'ନ୍ତା l ହେଲେ ମୋ ଘରକୁ ଆସୁଛି ଗୋଟେ ବିଦେଶିନୀ l ସିଏ ବା କଣ ବୁଝିବ ରଜ ପର୍ବ ବିଷୟରେ l ଛାଡ଼, ସବୁ ମୋ ଫଟା କପାଳ ର ଦୋଷ l କପାଳ କୁ ନିନ୍ଦା କରିବା ଛଡା ଆଉ ବା କଣ ଉପାୟ ଅଛି ତାଙ୍କ ପାଖରେ ?  

       ତା ପରଦିନ ଠିକ ସମୟରେ ପୁଅ ବୋହୁ ପହଁଚିଲେ l ଗାଡ଼ିରୁ ଓହ୍ଲେଇ ପଡିଲା ବୋହୁ l ଦେହରେ ନାଲି ଶାଢ଼ୀ, ଶଙ୍ଖା ଚୁଡି, ପାଦରେ ପାଉଁଜି, ହେଲେ ମୁହଁ ଟା ଦିଶୁନଥିଲା l ମଥା ଲୁଚି ଯାଇଥିଲା ଓଢଣା ରେ l ଇଏ କଣ ଦେଖୁଛନ୍ତି ଶାନ୍ତି ଦେବୀ ! ପୁଅ ତ କହିଥିଲା ସେ ଗୋଟେ ବିଦେଶୀ ଝିଅ କୁ ବାହା ହେଇଚି l ତା ନାଁ...... କଣ ଗୋଟାଏ ବିଦେଶୀ ନାଁ କହୁଥିଲା l ଆଉ ଇଏ ପୁଣି କିଏ ? ମନରେ ତାଙ୍କର ଅନେକ ପ୍ରଶ୍ନ l ହେଲେ ବି ବନ୍ଦାପନା ଥାଳି ଟା ଆଣି ବୋହୁ କୁ ବନ୍ଦେଇଲେ l

    ଆରେ ୟାକୁ ମୁଁ କଣ କହି ଭିତରକୁ ଡାକିବି l ଇଏ ତ କିଛି ବୁଝିବନି l ମୁଁ ତ ସେ ଇଂରାଜୀ କହିପାରିବିନି l ଏବେ ଡାକିବି କେମିତି ? ମନ କଥା ମନରେ ଅଛି, ବୋହୁ ପଚାରିଲା :- ମା' , ମୁଁ ଏବେ ଭିତରକୁ ଆସିପାରିବି ?  

ଆହୁରି ଆଶ୍ଚର୍ଯ୍ୟ ବଢିଗଲା ଶାନ୍ତି ଦେବୀଙ୍କର l ପୁଅ କ'ଣ ତେବେ ମୋତେ ମିଛ କହିଛି, ଇଏ କ'ଣ ବିଦେଶୀ ଝିଅ ନୁହେଁ ?  

ତର ତର ହୋଇ କହିଲେ -" ହଁ , ହଁରେ ମା ଭିତରକୁ ଆ l  

      ବିକାଶ ଆଉ ଚାହୁଁ ନଥିଲା ତା ମା ର ମୁଣ୍ଡ ଗୋଳମାଳିଆ ହେଉ. କହିଲା -" ମା ,ମୁଁ ତୋତେ ସତ କହିଚି, ଇଏ ଅଷ୍ଟ୍ରେଲିଆ ଝିଅ ବ୍ରୁକଲିନ୍ l ହେଲେ ମୁଁ ଡାକେ ବନ୍ଦିତା l ତୁ ବି ସେୟା ଡାକିବୁ l ଆଶ୍ଚର୍ଯ୍ୟ ହ ନା ମା' l . ସେ ଓଡ଼ିଆ ଜାଣିଛି l ମୁଁ ତାକୁ ଓଡ଼ିଆ ଶିଖେଇ ସାରିଛି l କେବଳ ଓଡ଼ିଆ ଭାଷା ନୁହେଁ ମା, ଓଡ଼ିଆ ଘରର ସଂସ୍କୃତି,ପରମ୍ପରା,ପର୍ବପର୍ବାଣି ସବୁ ତାକୁ ଜଣା l 

   ହଉ ଶୁଣ୍ ମା, ତୁ କଣ ଖାଇବାକୁ କରିଚୁ ବାଢିଲୁ l ମୋତେ ପ୍ରବଳ ଭୋକ l  

    " ହଁ ତୁମେ ଦୁଇ ଜଣ ଧୁଆ ଧୁଇ ହୋଇପଡ଼ ଟିକେ l ମୁଁ ଖାଇବା ବାଢି ଦେଉଚି l "

     ଖାଇବା ବାଢିବା ପୂର୍ବରୁ ଶାଶୁଙ୍କ ହାତରୁ ନେଇଗଲା ବନ୍ଦିତା l ନିଜେ ଖାଇବା ବାଢିଲା l ଖାଇସାରି ଟିକେ ବିଶ୍ରାମ କଲେ ପୁଅ ବୋହୁ l ଶାନ୍ତି ଦେବୀଙ୍କ ମନ ସେମିତି ଗୋଳେଇ ଘାଣ୍ଟି ହେଉଥାଏ l 

     ରାତିରେ ରୋଷେଇ କରିବାକୁ ଗଲା ବନ୍ଦିତା l ଶାଶୁ ପଛରେ ଧାଇଁଗଲେ l

      "ଆମର ଏଇଟା ଗାଁ, ଏଠି ସବୁ ରାତିରେ ଆମେ ଭାତ ଖାଉ l ତୁ ଜାଣିବୁନି l ତୁ ଯା,ମୁଁ ରୋଷେଇ କରୁଛି l ତୋପାଇଁ ରୁଟି ଦିଟା କରିଦେବି l 

     "ନା ମା' , ମୁଁ ରୋଷେଇ କରିବି l ରୋଷେଇ କରିବା ପାଇଁ ଜିଦ୍ ଦେଖି ଶାନ୍ତି ଦେବୀ ବାଧ୍ୟ ହୋଇ ରୋଷେଇ ଘରୁ ଚାଲି ଆସିଲେ l 

 ରୋଷେଇ ସରିଲା l ସମସ୍ତେ ଖାଇ ବସିଲେ l ଭାତ, ହରଡ଼ ଡାଲି, ପୋଟଳ ତରକାରୀ, ଭେଣ୍ଡି ଭଜା l ପ୍ରତିଟି କାମ ଆଶ୍ଚର୍ଯ୍ୟ ହେଉଥାଏ ଶାନ୍ତି ଦେବୀ ଙ୍କର l କାମ ସାରି ରାତିରେ ବନ୍ଦିତା ଶାଶୁଙ୍କ ଗୋଡ ହାତ ଘଷିଦେଲା l

 ବୋହୂ ହାତର ସ୍ପର୍ଶ ପାଇ କେତେବେଳେ ଶାନ୍ତି ଦେବୀ ଙ୍କର ନିଦ ଲାଗି ଯାଇଛି l 

ରାତି ଚାରିଟା ବାଜିଲାଣି l ଉଠିଲା ବନ୍ଦିତା l ଗୋବର ପାଣି କରି ପବିତ୍ର ପାଣି ପକେଇଲା l ଦାଣ୍ଡ ଓଳେଇଲା, ଘର ଖରକିଲା l ବାଡ଼ି ସାରା ବୁଲି ନାନା ରକମର ଫୁଲ ତୋଳିଲା l ହଳଦୀ ଗିନାଟା ଧରି ଗାଧୋଇ ବାହାରିପଡିଲା l କୂଅ ମୂଳେ ପହଂଚି ସାରିଥିଲା l ହେଲେ ପାଣିତ ଏତେ ଭିତରେ l ସେ ଏବେ ପାଣି କେମିତି ଆଣିବ ସେଠୁ l ସେଇଠୁ ଫେରିଲା l ବିକାଶ କୁ ଡାକିଲା l ବିକାଶ ଶିଖେଇଦେଲା ପାଣି କଢ଼ା l ଠାକୁର ଘର କୁ ଗଲା ଗାଧୋଇ ସାରି l

  " ଓଁ ଗଂ ଗଣପତୟେ ନମଃ " ରୁ ପୂଜା ଆରମ୍ଭ କଲା l ତାପରେ ବିଭିନ୍ନ ମନ୍ତ୍ର l ତାପରେ ପୂଜା ପାଠ, ଧୂପ ଦୀପ ଇତ୍ୟାଦି l ଘଣ୍ଟ ଶବ୍ଦ ରେ ନିଦ ଭାଙ୍ଗିଗଲା ଶାନ୍ତି ଦେବୀ ଙ୍କର l ଫର୍ଚ୍ଚା ହେଇ ଆସୁଥାଏ l  

      ଏତେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ତ୍ର ପାଠ ସହ ଦେବପୂଜା l ବିକାଶ କଣ ଏବେ ପୂଜା ପାଠ ରେ ମନ ଦେଲାଣି l ହଉ ଭଲ ହେଲା l 

  ଶାନ୍ତି ଦେବୀ ନିଜ ହାତ ପାପୁଲି ଦ୍ବୟ କୁ ଦେଖି ଦେଖି ମନ୍ତ୍ର ପାଠ କଲେ.  

       " କରାଗ୍ରେ ବସତେ ଲଷ୍ମୀ କରମଧେ ସରସ୍ବତୀ, 

        କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍. "

 ଏଇ ମନ୍ତ୍ର ରୁ ଆରମ୍ଭ ହୁଏ ତାଙ୍କ ଦିନ l 

ରଥାରୂଢ ହେଉଥିଲେ ସୂର୍ଯ୍ୟ ଆକାଶ ବକ୍ଷକୁ ଉଠିବା ପାଇଁ l 

" ଓଁ ଆଦିତ୍ୟାୟ ବିଦ୍ମହେ ମହାତେଜାୟ ଧୀମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍ "

 " ଓଁ ଘୃଣି ସୂର୍ଯ୍ୟାୟ ନମ: "- ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିଲା ବନ୍ଦିତା l 

ସୂର୍ଯ୍ୟପୂଜା ପରେ ଆଳତୀ ଘରେ ବୁଲେଇଲା l ଶାଶୁଙ୍କ ପାଦ ଛୁଇଁ ପ୍ରଣାମ କଲା l ଶାନ୍ତି ଦେବୀ ଏ କଣ ଦେଖୁଛନ୍ତି ! ବୋହୂ ପିନ୍ଧିଛି ତାଙ୍କ ଆଲମାରୀର କର୍ପୂର ଦିଆ ଶାଢୀ l ଧିରେଧିରେ ବଢି ଚାଲିଥାଏ ତାଙ୍କ ମନର ଆଶ୍ଚର୍ଯ୍ୟ ଆଉ କମି ଚାଲିଥାଏ ବୋହୂ ପ୍ରତି ଥିବା ଘୃଣା ଭାବ l 

ବନ୍ଦିତା ଚାଲିଗଲା ରୋଷେଇ ଘରକୁ l ଚୂଲି ଲଗାଇ ଆଗେ ଚା' ହାଣ୍ଡିଟା ବସେଇଲା l ତା'ପରେ ଜଳଖିଆ ତିଆରି କଲା l ସମସ୍ତେ ଜଳଖିଆ ଖାଇଲେ l 

ବିକାଶ ଚାଲିଗଲା ଗାଁ ଭିତରକୁ l ଆଉ ଶାନ୍ତି ଦେବୀ ପଡିଶା ଘରକୁ l ଲୀନା ବୋଉ,କାଳିଆ ବୋଉ,ରତନୀ ମା' ଏମିତି ସମସ୍ତଙ୍କୁ ଜଣେଇ ଦେଇ ଆସିବେ ବୋହୂଟା ତାଙ୍କର ବିଦେଶୀ ଝିଅ ହେଲେ ବି ଓଡିଆଣୀଠୁ କୋଉ ଗୁଣରେ କମ୍ ନୁହେଁ l 

  ବନ୍ଦିତା ଗାଧୁଆବେଳ ପାଇଁ ରୋଷେଇ ଆରମ୍ଭ କଲା l ସେଇଠି ଜିରା,ଲଙ୍କା,ହଳଦୀ ସବୁ ଗୋଟେ ଗୋଟେ ଗୁଣ୍ଡ କରି ରଖୁଥାଏ l ହେମଦସ୍ତାକୁ ଚାପି ଧରିଧରି ଗୋରା ହାତଟା ଏକଦମ୍ ନାଲି ପଡି ଯାଇଥାଏ l ଆଉ କେଇଟା ଦିନ ରହିଲା ରଜ l ରଜ ତିିନି ଦିନ ତ କୁଟା,ବଟା,ଛେଚା ସବୁ ବନ୍ଦ l ସେଥିପାଇଁ ଆଗରୁ ସବୁ ପ୍ରସ୍ତୁତ କରି ରଖିବାକୁ ପଡିବ l 

ୟା ଭିତରେ ଶାନ୍ତିଦେବୀଙ୍କର ଦିନଗୁଡା କେମିତି କଟିଯାଉଛି କିଛି ଜଣା ପଡୁନି l ତାଙ୍କର ତ ଏବେ ସେଇ ଗୋଟିଏ ହି କାମ l ଗାଁ ସାରା ବୁଲି ନିଜ ବୋହୂର ଭୁରିଭୁରି ପ୍ରଶଂସା କରିବା l 

ରଜ ଆଉ ଦି' ଟା ଦିନ l କାଲିକି ସଜବାଜ l ଶାନ୍ତିଦେବୀ ଭାବିଲେ ଯାଉଛି ଗାଁ ଯାକର ଝିଅଙ୍କୁ କହି ଦେଇ ଆସିବି " ଆମ ଘରକୁ ରଜ ବୁଲି ଆସିବ,ନୂଆ ଭାଉଜଙ୍କୁ ବି ଦେଖି ଆସିବ " l 

ସେପଟୁ ବନ୍ଦିତା ଡାକିଲା - ମା' ,ଟିକେ ଶୁଣ l ଏତିକି ବିରି ଚୁରି ଦେଉଛି l ଏତିକି ଚାଉଳ ପୋଡପିଠା ପାଇଁ l ଏତିକି ଆରିଷା ପିଠା ଛାଣିବା l ଆଉ ଏତିକି ଚକୁଳି ଆଣ କରିବା l ଅଲଗା ଅଲଗା କରି ଦେଖାଇଲା l 

   " ଆଲୋ ମା,ଆମେ ତ ଲୋକ ବୋଲି ତିନି ଜଣ l ତୁ ଏତେ ସବୁ ବିରିଚାଉଳ କାହିଁ ପକେଇଛୁ ?"

   " ମା' , ପହରଦିନ ରଜ l ଆମ ଗାଁ ଝିଅମାନେ ଆମ ଘରକୁ ରଜବୁଲି ଆସିବେ l ସେମାନେ ଖାଇବେ l ସାଇପଡିଶାଙ୍କୁ ବଣ୍ଟା ହେବ l ଆଉ ଚାଉଳ କମେଇ ଦେଲେ ହେବନି ବୋଧେ l

  ଶାନ୍ତିଦେବୀ ଭାବିଲେ " ବୋହୂ ମୋ ମନକଥା ଜାଣିଲା କେମିତି ? ସେ କେମିତି ଜାଣିଲା ଯେ ରଜରେ ଝିଅମାନେ ବୁଲି ଆସନ୍ତି ବୋଲି ?

  ଆଉ ଶୁଣ ମା' ୟାଙ୍କୁ ଟିକେ କହଦେବ ଆଜି ବଜାରରୁ ପାନ,ଗୁଆ,ମିଠାମସଲା ଆଣିବେ l ଆଉ ଆମ୍ବ,ପଣସ,ସପୁରୀ ଏମିତି କିଛି ଫଳ ବି ଆଣିବେ l ତମେ ଗାଁ ଭିତରୁ ଆସିଲେ ଆମେ ଚାରିଟା ବେଳକୁ ଆରିଷା ପିଠା ଛାଣିଦେବା l ଆଉ ପୋଡପିଠା ତ କାଲି ରାତିକି ବସାହେବ l 

 " ହଉ,ତୁ ସବୁ ସଜାଡି ରଖ୍ l ମୁଁ ଯାଉଛି ଗାଁ ଭିତରୁ ଆସେ l 

 ଶାନ୍ତିଦେବୀ ଚାଲିଗଲେ ଗାଁ ଭିତରକୁ l ବନ୍ଦିତା ତା'ର ଚାଲିଚଳଣ,କଥାବାର୍ତ୍ତା,ସଂସ୍କାର ଆଉ ମାର୍ଜିତ ବ୍ୟବହାର ରେ ଶାଶୁଙ୍କ ମନ କିଣି ସାରିଲାଣି l 

 ରାତିରେ ବନ୍ଦିତା ଶାଶୁଙ୍କ ଗୋଡ ମୋଡି ଦେଉଥାଏ l 

 " ମା' ରେ , ତୁ କାଲି ଯେତିକି କାମ ସାରିବା କଥା ସାରିଦେବୁ l ଆଉ ଯାହା ରହିଲା ମୁଁ କରିବି l ରଜରେ ତୁ ଆଉ କିଛି ବି କାମ କରିବୁନି l ତୋର ପରା ଏଇଟା ପ୍ରଥମ ରଜ l ଏଇ ତିନିଦିନ କାମ ମୁଁ କରିବି l ହଉ,ଉଠିିକି ଗଲୁ ସେ ଆଲମାରୀରେ ଗୋଟେ ନାଲିଆ ରଙ୍ଗର ଜରି ଅଛି ଆଣିବୁ l 

    ବନ୍ଦିତା ଉଠିଯାଇ ଜରି ଆଣିଲା l 

ଶାଶୁ ଜରି ଖୋଲି ଦେଖାଇଲେ ଗୋଟେ ନୂଆ ଶାଢୀ,ଚୁଡି,ଅଳତା,ସିନ୍ଦୁର ଆହୁରି କେତେ ସବୁ ସଜବାଜ ଜିନିଷ l 

" ଦେଖିଲୁ ,ଏ ଶାଢୀ ତୋ ମନକୁ ଯାଉଚି ତ ? "

 " ହଁ ମା' , ବଢିଆ ହେଇଛି l "

 ଆଜି ସଜବାଜ l ସବୁ କାମଗୁଡା ସାରିବାକୁ ପଡିବ l କାମଗୁଡା ବାକି ରହିଗଲେ ମା' ଏତେ କାମ ଏକା କରିବାକୁ ହଇରାଣ ହେବେ l ଆଉ ଟିକେ ହାତ ଫୁର୍ତ୍ତି କଲା ବନ୍ଦିତା l 

   ସବୁକାମ ସରିଗଲାଣି l ଏଇ ପୋଡପିଠାଟା ବସେଇଦେଲେ ସରିଲା l ନିଦ ବି ଜୋର୍ ରେ ଆସିଲାଣି l 

 ତା' ପରଦିନ ରାତିରୁ ଉଠିଲା ବନ୍ଦିତା l ବଟା ହଳଦୀ ମାରିହେଇ ଗାଧେଇଲା l ନୂଆଶାଢୀ,ଶଙ୍ଖାଚୁଡି,ଗହଣା ସବୁ ପିନ୍ଧିଲା l କେଶସଜ୍ଜା କଲା l ଅଳତା ଲଗେଇଲା l ଠାକୁରପୂଜା କରିବାକୁ ଚାଲିଗଲା l ସେଦିନ ଶାନ୍ତି ଦେବୀ ବି ସକାଳୁ କାମରେ ଲାଗି ଯାଇଥା'ନ୍ତି l ପିଠା,ତରକାରୀ ଏଇସବୁ କରୁଥା'ନ୍ତି l 

  ଶାଶୁଙ୍କୁ ପ୍ରଣାମ କରିସାରି ଆସୁଥାଏ ବନ୍ଦିତା l ହାତ ଧରି ଭିଡିନେଲା ବିକାଶ l " ଆସ ଦେଖିବ,ତମ ପାଇଁ ଗୋଟେ ସରପ୍ରାଇଜ୍ ଅଛି l "

  " କି ସରପ୍ରାଇଜ୍ ମ ସକାଳୁ ସକାଳୁ ?"

 " ଏଇ ଦେଖ "

" ଆରେ ଇଏ ତ ଦୋଳି l ପାର୍କରେ ଲାଗିଥାଏ l ହେଲେ ସେଇଟା ଲୁହାରେ ତିଆରି ହେଇଥାଏ l ଆଉ ତମେ ଏଇଟା ଲଗେଇଚ ବାଉଁଶ ଆଉ କାଠପଟାରେ l କିନ୍ତୁ ତମେ ତ କହିଥିଲ ରଜ ତିନି ଦିନ ଧରିତ୍ରୀ ମାତା ରଜସ୍ୱଳା ହୁଅନ୍ତି l ତେଣୁ ମାଟି ହାଣିବା,ଖୋଳିବା ବା ମାଟିକୁ କିଛି ବି କଷ୍ଟ ଦେବା ପାପ l ଏବେ ତମେ ନିଜେ ପୁଣି ଏ ଦୋଳି କାହିଁକି ଲଗେଇଲ l ପରେ ଲଗେଇଥିଲେ ହେଇନଥାନ୍ତା l "

    " ନା, ଏ ଦୋଳି ପରେ ଲଗେଇଥିଲେ ହେଇ ନଥାନ୍ତା l ଇଏ ପରା ରଜଦୋଳି l ରଜଦୋଳି ରଜରେ ସବୁ ଝିଅ ବୋହୂମାନେ ଖେଳନ୍ତି l ହେଲେ ପୁଅପିଲା ବି ଛାଡନ୍ତିନି l ଟିକିଏ ସୁଯୋଗ ପାଇଲେ ଆସି ବସିପଡନ୍ତି l ମୁଁ ଏ ଦୋଳି ଆଜି ଲଗେଇନି l କାଲିଠୁ ଲଗେଇ ଦେଇଥିଲି l ତେଣୁ ତମେ କିଛି ଚିନ୍ତା କରନି l "

   " ତମେ ତ ମତେ ଏ ରଜଦୋଳି କଥା ଆଗରୁ କହି ନଥିଲ ? ତମେ ତ କହିଥିଲ ଝିଅମାନେ ଗାଁ ବୁଲନ୍ତି,ରଜପାନ ଖାଆନ୍ତି,ପୁଚି ଖେଳନ୍ତି,ଲୁଡୁ ଖେଳନ୍ତି l ଆଉ ପୁଅମାନଙ୍କର ବାଗୁଡି ପ୍ରତିଯୋଗିତା ହୁଏ l "

    " ସବୁ କଥା ଯଦି ତମକୁ ଆଗୁଆ କହି ଦେଇଥା'ନ୍ତି ତାହାଲେ ସରପ୍ରାଇଜ୍ କ'ଣ ଦେଇଥା'ନ୍ତି l ଆସ, ଦୋଳିରେ ବସ ମୁଁ ଝୁଲେଇ ଦେଉଛି l "

   " ନା ନା, ଥାଉ l ଏଇଟା ଗାଁ l କିଏ ଦେଖିଲେ କ'ଣ ଭାବିବେ ? ଗାଁ ଝିଅମାନେ ଆସନ୍ତୁ l ଆମେ ମିଶିକି ଖେଳିବୁ l " ବିକାଶଙ୍କ ହାତରୁ ଖସି ଚାଲିଗଲା ବନ୍ଦିତା l

     ଗାଁ ଝିଅ ମାନେ ଆସିଲେଣି l ଶାନ୍ତି ଦେବୀ ପରଶି ଦେଲେ ନାନା ରକମର ଖାଇବା l ଚକୁଳି ପିଠା,ତରକାରୀ,ପୋଡ ପିଠା,ଆରିଷା ପିଠା,ମିଠା,ପାଚିଲା ଆମ୍ବ,ସପୁରୀ ଏମିତି କେତେ କଅଣ l ସମସ୍ତେ ମିଶି ଖାଇଲେ l ଖାଇବା ଶେଷରେ ପୁଣି ଲବଙ୍ଗଦିଆ ବନାରସୀ ପାନ l 

ସମସ୍ତେ ଚାଲିଲେ ବାଡିକୁ l ଦୋଳି ଖେଳିବାକୁ l ଶାନ୍ତି ଦେବୀ ବି ସେମାନଙ୍କ ସହିତ l 

     " ଆରେ ତମେମାନେ ସବୁ ଏଇଠି ଖେଳ l ମୁଁ ଚାଲିଲି l ଆମର ଆଜି ଆର ସାହି ପିଲାଙ୍କ ସହିତ ବାଗୁଡି ପ୍ରତିଯୋଗିତା l ଆଜି ଯିଏ ଜିତିବ କାଲି ସିଏ ଆର ଗାଁ ପିଲାଙ୍କ ସହିତ ଖେଳିବ l - ବିକାଶ ଚାଲିଗଲା ଗାଁ ପଡିଆକୁ l 

 ଲିପି ଖାଲି ପାଦରେ ଆସି ଦୋଳି ପାଖରେ l ବନ୍ଦିତା ଦେଖିଦେଇ କହିଲା - " ଲିପି,ଯାଅ ଚପଲ ପିନ୍ଧି ଆସ l ତମେ ଜାଣିନ କି ରଜରେ ଝିଅମାନେ ଖାଲି ପାଦରେ ଭୂମି ଉପରେ ଚାଲିବା ମନା l ଆଗରୁ ଝିଅମାନେ ଗୁଆ ଖୋଳପାରେ ଜୋତା ତିଆରି କରି ଏହି ରଜ ତିନି ଦିନ ପିନ୍ଧୁଥିଲେ l ଏବେ ତ ଆଉ ସେକଥା ନାହିଁ l ହେଲେ,ପ୍ରଥା ପରମ୍ପରାକୁ ତ ମାନିବାକୁ ପଡିବ l ତମେ ଯାଅ ଚପଲ ପିନ୍ଧି ଆସ l 

 " ହଁ ଭାଉଜ,ଏଇନେ ଯାଉଛି l ଆମର ଗାଁ କଥା ତ l ଆମେ ଅଧିକାଂଶ ସମୟ ଖାଲି ପାଦରେ ବି ଗାଁ ଦାଣ୍ଡରେ ଏଣେତେଣେ ବୁଲୁଥାଉ l ତେଣୁ ଚପଲ ପିନ୍ଧାଟା ଏତେ ମନେ ପଡେନି l - ଲିପି ଚପଲ ପିନ୍ଧି ଆସିଲା l

      "ଭାଉଜ, ତମେ ବହୁତ ଭଲ, କେତେକଥା ଜାଣିଛ | ମୋ ଭାଉଜ ଓଡ଼ିଆଣୀ, ହେଲେ ସେ ମୋତେ ଏସବୁ ଶିଖେଇ ନାହାନ୍ତି - ଲିପି କହିଲା |

   "ହେଲେ ମୁଁ ମୋ ନଣନ୍ଦ ମାନଙ୍କୁ ସବୁ ଶିଖେଇଦେବି "| ଆହୁରି ଶୁଣ, ରଜପର୍ବର ପ୍ରକୃତ ଉଦ୍ଦେଶ୍ୟ ହେଲା ଏହି ସମୟରେ ପୃଥିବୀ ମାତା ରଜସ୍ୱଳା ହୁଅନ୍ତି | ଏହି ଦିନରେ ଆମ ଚାଷୀ ଭାଇମାନେ ହଳଲଙ୍ଗଳ ପୂଜା କରିବା ସହିତ କାମ ବନ୍ଦ କରି ରଖନ୍ତି | ଏ ରଜପର୍ବ କୁଆଁରୀ ମାନଙ୍କୁ ଅନେକ ଶିକ୍ଷା ଦେଇଯାଏ | ସମସ୍ତ ମାତୃଜାତି ଭିତରେ ଉତ୍ସାହ, ଉଦ୍ଦୀପନା ଓ ନୂତନ ଶକ୍ତିର ଜାଗରଣ ହୁଏ | ଗୋଟେ ଝିଅ ନାରୀର ଚଳଣି, ଆଚାରବ୍ୟବହାର, ସଂସ୍କାର କୁ ଵିଧିବଦ୍ଧ ଭାବେ ପାଳନ କରି ଭବିଷ୍ୟତରେ ଗୋଟେ ସମ୍ପୂର୍ଣା ଓ ମା' ଭୂମିକାରେ ଅବତୀର୍ଣ ହୋଇ ନିଜ ଭବିଷ୍ୟତ ସାଂସାରିକ ଜୀବନ କୁ କିପରି ସୁଖମୟ କରିବ,ସେଇ ସଂକେତ ଦେଇଯାଇଥଏ ରଜପର୍ବ |ଏଇ ପର୍ବରୁ ଝିଅ ମାନେ ଶିଖିଥା'ନ୍ତି ଯେ ସେମାନେ କିପରି ନିଜ କର୍ତଵ୍ୟକୁ ସୁଚାରୁ ରୂପେ ତୁଲାଇବା ସହିତ ଭବିଷ୍ୟତରେ ତାଙ୍କ ଝିଅମାନଙ୍କୁ ବି ଏହିପରି ସଂସ୍କାରରେ ଭରା ସଂସାର ନିୟମ ଶିଖାଇବେ |" - ବନ୍ଦିତା କହିଚାଲିଥିଲା | ଅନ୍ୟ ଝିଅମାନଙ୍କ ସହିତ ଶାନ୍ତିଦେବୀ ବି ସତେ ଯେମିତି ଢକ ଢକ କରି ପିଇଯାଉଥିଲେ ସେ କଥାଗୁଡ଼ାକ |

    ଦୋଳିଖେଳରେ ନୀରବତା ଦେଖି ବନ୍ଦିତା କହିଲା, ତମେମାନେ ଚୁପ କାହିଁକି ? ଗୀତ ଗାଅ ନା...... 

  " ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, 

   ଆସିଛି ରଜ ଲୋ ଘେନି ନୂଆ ସଜବାଜ, 

   ରଜଦୋଳି କଟକଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, 

   ସୁନା ମୁକୁଟ ଲୋ ଦିଶୁଥାଇ ଝଟଝଟ l

     ବନ୍ଦିତା ସହିତ ପାଳି ଧରି ସମସ୍ତେ ଆରମ୍ଭ କରିଦେଲେ ଗୀତ ବୋଲା | ଏଇମିତି ହସଖୁସି ଭିତରେ ରଜ ତିନିଦିନ କେମିତି କଟିଗଲା ଜଣାପଡ଼ିଲାନି | ଆଜି ବସୁମତୀ ସ୍ନାନ l ବନ୍ଦିତା ସକାଳୁ ଗାଧୋଇପଡ଼ି ପିଢା ଉପରେ ଧରିତ୍ରୀ ମାତାଙ୍କ ସ୍ୱରୂପ ଶିଳପୁଆ କୁ ସ୍ଥାପନ କଲା | ହଳଦୀ, ସିନ୍ଦୁର ଲଗେଇଲା l ଆମ୍ବଡାଳ ଦେଇ କ୍ଷୀରଢାଳି ବିଶୁଦ୍ଧ ସ୍ନାନ କରାଇଲା | ଧୂପ, ଦୀପ, ନୈବେଦ୍ୟ ଦେଇ ଭକ୍ତି ରେ ଧରିତ୍ରୀ ମାତାଙ୍କୁ ପୂଜାକରି ଆଶୀର୍ବାଦ ଭିକ୍ଷା କଲା | 

    ନିଜ ଜୀବନର ପ୍ରଥମ ରଜକୁ ମନଭରି ଉପଭୋଗ କରିଥିଲା ବନ୍ଦିତା | ଗାଁ ସାରା ସବୁ ଲୋକଙ୍କ ମୁହଁରେ ଥିଲା ଗୋଟିଏ କଥା - ବନ୍ଦିତା ଏ ଗାଁ ର ଏକ ନମ୍ବର ବୋହୁ | ଶାନ୍ତି ବହୁତ ଭାଗ୍ୟବତୀ | ଏମିତି ଝିଅ କୁ ବୋହୁ ରୂପରେ ପାଇଛି l ଗାଁର ବୁଢାବୁଢ଼ୀ ଲୋକଙ୍କର ଆଶୀର୍ବାଦର ହାତ ଆପଣାଛାଏଁ ଉଠିଯାଉଥିଲା ବନ୍ଦିତା ପାଇଁ |

   ରଜପର୍ବ ସରିବା ସହିତ ବିକାଶ ର ଛୁଟି ବି ସରିଗଲା | କାଲି ସକାଳୁ ସେମାନେ ବାହାରି ପଡିବେ | ରାତିରେ ଖାଇବା ବେଳେ ବନ୍ଦିତା କହିଲା - "ମା ମୁଁ ଆଉ କିଛିଦିନ ଏଇଠି ତମ ପାଖେ ରହିବାକୁ ଚାହୁଁଚି |" 

  " ଆଲୋ ମା, ତୁ ଏଠି ରହିଲେ ପୁଅଟା ମୋର ସେଠି ଖାଇବା ପିଇବାରେ ହଇରାଣ ହେବ l ତୁ ତା ସାଙ୍ଗରେ ଯା l ପୁଣି ଛୁଟି ହେଲେ ଆସିବୁ |" 

  "ମା, ସେ ଯଦି ଚାହୁଁଚି ଆଉ କିଛିଦିନ ତୋ ପାଖେ ରହିବାକୁ ତାହେଲେ, ସେ ଥାଉ | ମୁଁ ପୁଣି କେବେ ମଝିରେ ଆସି ତାକୁ ନେଇଯିବି "- ବିକାଶ କହିଲା | 

  ତା ପରଦିନ ସକାଳେ ବିକାଶ ବାହାରିଲା l ଟ୍ୟାକ୍ସି ଘର ଆଗରେ ଲାଗିଲାଣି l ଜିନିଷପତ୍ର ଗୁଡା ବଢ଼େଇଦେଲା ବିକାଶ ଟ୍ୟାକ୍ସି ଵାଲା ହାତକୁ | ଘର ଦୁଆର ମୁଁହରେ ଛିଡା ହୋଇ ଶାନ୍ତିଦେବୀ ଆଉ ବନ୍ଦିତା ବିଦାୟ ଦେଉଥିଲେ ବିକାଶ କୁ | ବିକାଶ ବୁଲି ଚାହିଁଲା l ମା' ର ସେ ସ୍ନେହବୋଳା ମୁଁହଟା ସ୍ପଷ୍ଟ ଦିଶୁଥିଲା | ହେଲେ ତା ପ୍ରାଣପ୍ରିୟାର ମୁହଁ ଝାପ୍ସା ଦିଶୁଥିଲା ଓଢଣା ଫାଙ୍କରୁ |

   " ଭାଇ ଯିବା ? - ଡ୍ରାଇଭର ପଚାରିଲା |

 " ହଁ, ହଁ ଚାଲ "

    ଡ୍ରାଇଭର ଗାଡି ଷ୍ଟାର୍ଟ କଲା l ଗାଡି ସହିତ ଆଗେଇଯାଉଥିଲା ବିକାଶର ସ୍ବପ୍ନ ଓ ଆଧୁନିକତା | ପଛରେ ରହିଯାଉଥିଲା ଗାଁର ସେ ପ୍ରଥା, ପରମ୍ପରା ଓ ସଂସ୍କୃତି | ବିକାଶ ଯେତିକି ଆଗଉଥିଲା ସଂସ୍କାର ସେତିକି ପଛାଉଥିଲା ଦୂରକୁ ଦୂରକୁ........ ବହୁ ଦୂରକୁ.....


Rate this content
Log in