STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ବିବାହ

ବିବାହ

1 min
242


ବିବାହ ନୁହଁଇ ସଂପର୍କ ଗୋଟିଏ ଦିନର

ସାତ ଜନ୍ମ ପାଇଁ ତାକୁ ଗଢିଛନ୍ତି ଈଶ୍ବର।

ପରିବାର ମଧ୍ୟେ ନ ଥାଇ ପୂର୍ବ ପରିଚୟ 

ମିଳନ ହୋଇଯାଏ ଦୁଇ ଅଜଣା ହୃଦୟ।

ସ୍ନେହ,ପ୍ରେମ,ମମତାରେ ବାନ୍ଧି ଦେଇ ସଭିଙ୍କୁ

ଭାବରେ ଭାବରେ ଆପଣାର କରେ ପରଙ୍କୁ।

ବିଶ୍ବାସ ଓ ଭରସାର ଦେଇ ସାତ ବଚନ

ହାତ ଧରି ଚାଲୁଥାନ୍ତି ଦୁହେଁ ସାରା ଜୀବନ।

ନାଲି ଶଙ୍ଖା,ଶାଢୀ,ଚୁଡି ସଧବାର ସନ୍ତକ

ନାରୀ ଭାଗ୍ୟ ବଦଳାଏ ସିନ୍ଦୂରର ଝଲକ।

ସାତ ଦୀପ ଆଠ କଳସ ଦଶ ଦିଗପାଳ

ବିଶ୍ବାସେ ବନ୍ଧା ହୁଏ ଭରସାର ଗଇଣ୍ଠାଳ।

ଅର୍ଜନ୍ତି ପୂଣ୍ୟ ଜନ୍ମଦାତା କରି କନ୍ୟାଦାନ

ଅମାନିଆ ଆଖି ଲୁହେ ଓଦା ହୁଏ ନୟନ।

ଗର୍ଭେ ଧରି ଦଶ ମାସ ଦେଲା ଜନମ ଯିଏ

ତାକୁ ପର କରି ଆଜି ଆନ ଉଆସେ ଯାଏ।

ଅପା,ଭାଇ,ସାଥିଙ୍କ ସାଥେ କଟିଗଲା ବେଳ

ପାସୋରି ଯାଏ ଚାଲି ଆମ୍ବତୋଟା ଦୋଳି ଖେଳ।

କୁଆଁର ପୁନେଇଁର ପୂଜା ଜହ୍ନି ଫୁଲ ଗୀତ

କରୁଥିଲେ ମଜା ମିଳିମିଶି ସଙ୍ଗାତ ମିତ।

ଫୁଲେ ଫୁଲେ ଉଡୁଥିଲା ଯେ ସାଜି ପ୍ରଜାପତି

ବଧୂ ହୋଇ ଜାଳିଦେବ ସେ ଆଜି ସଂଜବତୀ।

ହାତଗଣ୍ଠି ପଡିଲେ ସରେ କୁଆଁରି ସମୟ

ସୃଷ୍ଟି କରେ ଜୀବନରେ ଏକ ନୂଆ ଅଧ୍ୟାୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍