ଭୁଲିଯାଉ ମାଆ କଥା
ଭୁଲିଯାଉ ମାଆ କଥା
ମୃତ୍ୟୁ ସାଥେ ଖେଳ କେମିତି ଖେଳୁଛି
ଦେଖ ଆଜିର ଲଳନା,
ରାଜ ରାସ୍ତା ପରେ ଚାଲିପାରୁନାହିଁ
ହୋଇଯାଏ ସେ ଖେଳନା।
ମାନବ ହୋଇକି ଦାନବ ସାଜୁଛୁ
ଲାଗୁନାହିଁ ତୋତେ ବ୍ୟଥା,
ସେହି ନାରୀ କୋଳେ ଦୁନିଆ ଦେଖି ବି
ଭୁଲିଯାଉ ମାଆ କଥା।
ନାରୀ ଜାତି ନୁହେଁ ଅବଳା ଦୁର୍ବଳା
ରଖିଥା’ ମନେ, ମଣିଷ
ଦୁର୍ଗା ରୂପ ଥରେ ସାଜି ଗଲେ ସିଏ
ହୋଇଯିବ ତୋ'ର ଧ୍ୱଂସ।
ଧିକ ତୋ ଜନମ ମଣିଷ ପଣିଆ
ରାକ୍ଷସ ଭାବରେ ସୃଷ୍ଟି,
ବାଟେ ଚାଲୁଥିବା ଲଳନା ମାନଙ୍କୁ
ରଖୁଛୁ ଖରାପ ଦୃଷ୍ଟି।
ଯେଉଁ ନାରୀକୁ ତୁ ଝାମ୍ପି ପଡୁଥିଲୁ
ନିକାଞ୍ଚନ ଅଞ୍ଚଳରେ,
ଯେତେବେଳେ ତୋ'ର ଝିଅଟିଏ ହେବ
ଚିନ୍ତା ପଡ଼ିବ ମୁଣ୍ଡରେ।
ବେଳ ଥାଉ ଥାଉ ସାବଧାନ ହେଲେ
ଖୁସିରେ ରହିବୁ ତୁହି,
ଭବିଷ୍ୟତ ତୋ'ର ଉଜ୍ଜ୍ୱଳ ହୋଇବ
ନୂତନ ଆଲୋକ ପାଇଁ।।
କେ.ନିର୍ମଳ
ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)
ମୋବାଇଲ :-୯୫୬୬୧୧୩୬୦୭