STORYMIRROR

Narendra Sahu

Others

3  

Narendra Sahu

Others

ବହୁଦିନ ପରେ ମୋ ଗାଆଁ

ବହୁଦିନ ପରେ ମୋ ଗାଆଁ

1 min
9.7K



ବହୁ ଦିନ ପରେ ଗାଁ କୁ ଗଲା ପରେ

ଦେଖିଲି ଯାହା ନୟନେ,

ଗାଆଁ ପ୍ରତିଛବି ଆଉ କି କହିବି

ବିଶ୍ୱାସ ନ ହୁଏ ମନେ।୧।


ଗାଆଁ ର ଆରମ୍ଭ ଉସ୍ତ ବର ନିମ୍ବ

ମୋତେ ଲାଗୁଥିଲେ ଖାଁ ଖାଁ,

ବିଶ୍ରାମଗାରା ଟା ହାରି ଅସ୍ତିତ୍ୱଟା

ସେଠି ଲେଖା ଖାଲି ନାଆଁ।୨।


ଗାଁ ମଠେ ଦେଖିଲି ଚେହେରାଟା ଖାଲି

ଚୂନ ରଂଗ ଅଛି ଝଡି,

ପୂଜା ନୀତି ରୀତି ଯାଇଛି ବଦଳି

କର୍ପୂର ଭଳି ଯେ ଉଡି।୩।


ଗାଆଁ ଟୋକା ଦଳେ ଗାଁ ଆଖଡା ଶାଳେ

ତାସ୍ ଖେଳେ ଥିଲେ ମାତି,

ଗାଆଁ ମିଶ୍ର ପୁଅ ନେଇଛି ଯେ ଝିଅ

ଭୂଲି ତାର ନିଜ ଜାତି।୪।


ମୋତେ ଦେଖି କିଏ ନ କହି ପଦଟିଏ

ଆସିଲୁ କି କେତେବେଳେ,

ଜଳକା ପରି କା ଯାଉଥିଲି ଏକା

ଉଦୁଉଦିଆ ଖରାବେଳେ।୫।


ରାଧୁଆ ଦଦେଇ ଚିହ୍ନି ନ ପାରଇ

ବୟସର ଅପରାହ୍ନେ,

ଗାଆଁ ପାର ନାନୀ କିଛି କହିଲାନି

ଦେଖିଲେ ବି ବହୁଦିନେ।୬।


ଗାଆଁ ସ୍କୁଲ ପିଣ୍ଢା ଆଉ ତା ବାରଣ୍ଡା

କାଠ ଅଙ୍ଗାରରେ ଲେଖା,

ଘର ପାଖା ପାଖି ଗୋବିନ୍ଦ ଭାଇ କି

ମଦୁଆ ବେଶରେ ଦେଖା।୭।


ମୋବାଇଲ ଧରି ଟୋକା ଦୁଇ ଚାରି

ହସୁଥିଲେ ଖିଲି ଖିଲି,

ଗାଆଁ ଗୁଡିଆଟା ସବୁଦିନ ଭଳି

ଦୋକାନ ଦେଇଛି ମେଲି।୮।


ଦିଶିଲାନି କାହିଁ ଲୁଡୁ ବୋହୂଚୋରି

କିବା ଗୁଲି ଖଟି ମଜା,

ଗାଆଁ କୋଠାଘରେ ଦେଖିଲି ନଜରେ

ପଡିଅଛି ଭଙ୍ଗା ବାଜା।୯।


ମଦନା ପଦନା ଦୁଇ ଜଣ ନନା

ନ ହୁଅନ୍ତି କଥା ଶୁଣି,

ରାଜନୀତି ରଣେ ହାରିଅଛି ଜଣେ

ଜିତିଅଛି ଜଣେ ପୁଣି।୧୦।


ସତରେ ମୋ ଗାଆଁ ବଦଳିଛି ଆହା

ଆଧୁନିକ ତାଳେ ତାଳେ,

ଭାଇ ଚାରା ଏଠି ବଳି ପଡିଅଛି

କୂଟ ରାଜନୀତି ଆଳେ।୧୧।


ଇର୍ଷା ହିଂସା ବେଶେ ଗାଆଁ ପରିବେଶେ

ରହିଛନ୍ତି ଗାଆଁ ଲୋକେ,

ଧନୀ କି ଗରିବ ଯାହାକୁ ଦେଖିବ

ନାହାନ୍ତି ବି କେହି ସୁଖେ।୧୨।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍