ଭୁବନମୋହିନୀ ମାଆ
ଭୁବନମୋହିନୀ ମାଆ
ଜଗତ କଲ୍ୟାଣୀ ଶକ୍ତିପ୍ରଦାୟିନୀ ଭୁବନମୋହିନୀ ମାଆ
ତ୍ରୈଲୋକ୍ୟବାସିନୀ ଦୁର୍ଗତିନାସିନୀ ମରତକୁ ହୁଅ ସାହା ।
ଶରତ ଶ୍ୟାମଳା ଚାରୁ ବର୍ଣ୍ଣମାଳା ବିଶ୍ୱ ତବ ରଙ୍ଗ ବିଭା
ସୁନୀଳ ଆକାଶେ ଅରୁଣୀମା ହସେ ଧରି ତୁମ ରଙ୍ଗ ଆଭା ।
ତଟିନୀର ଅଂକେ କାଶତଣ୍ଡି ଖେଳେ ପ୍ରଣୟ ବିଧୁରା ଛନ୍ଦେ,
ଶେଫାଳି,କାମିନୀ,ଯୁଇ ଯାଇ ହେନା ବାସିଲେଣି ମଧୁ ଗନ୍ଧେ ।
ତବ ଆବାହନୀ ମଧୁର ଗୁଞ୍ଜନ ଭକ୍ତିପୂତ ଚୈତନ୍ୟରେ
ବାଢ଼ି ଦେଉଅଛି ଖୋଲି ଦେଇ ମୋର ବିବେକର ଚୌହଦିରେ ।
ସ୍ଥାବର ଜଙ୍ଗମ କୀଟଠୁ ପତଙ୍ଗ ସର୍ଵଘଟେ ବିଦ୍ୟମାନ
ତବ ଆବାହନେ ପାଷାଣରେ ପ୍ରାଣ ହୁଏ ମାଗୋ ଦିବ୍ୟଜ୍ଞାନ ।
ତୁମରି ସ୍ୱରୂପ ସବୁରି ଅନ୍ତରେ ହେଉ ମାଲୋ ପ୍ରକାଶିତ,
ଦିବ୍ୟ ଚେତନାର ଦିବ୍ୟ ମହକରେ ହେଉ ବାରେ ଉଦ୍ଭାସିତ ।
ଆସ ଅବତରି ତିମିର ଅନ୍ଧାରେ ଚେତନାର ମଧୁକୁଞ୍ଜେ,
ହୃଦୟ ମଣ୍ଡପେ ବାଢୁଛି ନୈବେଦ୍ୟ ବିଧୁର ପ୍ରାଣର ସଞ୍ଜେ ।
