ଭୋକ
ଭୋକ
ଭୋକ ପରି ଏକ ଛୋଟିଆ ଶବ୍ଦର
ଗଭୀରତା ଅଛି ଯେତେ
ବୁଝି ବୁଝାଇଲେ ହୃଦୟରେ ବ୍ୟଥା
ଦ୍ବିଗୁଣିତ ହୁଏ ତେବେ ।
ପେଟ ଚାଖଣ୍ତକେ ଭୋକର ଦୌରାତ୍ମ୍ୟ
ମଣିଷକୁ କରେ ଗ୍ରାସ
କର୍ମର ଅଧିନେ ପ୍ରତି ମୁହୂର୍ତ୍ତରେ
ଜୀବନ ହୁଅଇ ଦାସ ।
ଖାଦ୍ୟ ବିନା ଭୋକ ହୋଇବ କି ଶେଷ
ପିଣ୍ଡେ ପ୍ରାଣ ଥିବା ଯାଏଁ
ଭୋକ ଜ୍ୱାଳା ଯେବେ ହୁଅଇ ବିଶେଷ
ମୃତ୍ଯୁଦଣ୍ଡ ବ୍ୟକ୍ତି ସହେ ।
ଆଶାର ଭୋକଟା ମଣିଷ ମନକୁ
କରିଥାଏ ଅସ୍ତବ୍ୟସ୍ତ
ସୁନ୍ଦର,ସ୍ୱାଚ୍ଛନ୍ଦ୍ୟ ଜୀବନ ପାଇଁକି
ଖୋଜେ ମଣିଷର ଚିତ୍ତ ।
କାମନାର ଭୋକ ବିବେକକୁ ନିଶ୍ଚେ
କରିଦିଏ ନଷ୍ଟଭ୍ରଷ୍ଟ
ସମାଜ ସଂସ୍କାର ସବୁ ଲାଗେ ତୁଛ
ସଂଯମତା ଲାଗେ କଷ୍ଟ ।
ନର ରୂପୀ ଦୈତ୍ୟ ନାରୀ ଅବା ମାଂସ
ପାପ ଆଚରଣ କରି
ଦେହର ଭୋକକୁ ମେଣ୍ଟାଏ ପାପୀଷ୍ଟ
ଅବିବେକି ପଶୁ ପରି ।
ରୂପ ଯୌବନଟା ଚାଲିଗଲା ପରେ
ରହିଯାଏ ଅବଶୋଷ
ଭକ୍ତି ଭାବ ଭୋକ ହୃଦେ କରେ ବାସ
ଭାବପଙ୍କେ ଦ୍ବନ୍ତି ଝାସ ।
ସ୍ନେହଶ୍ରଦ୍ଧା, ପ୍ରେମ ଏହିପରି ଭୋକ
ମେଣ୍ଟେନାହିଁ ଜୀବନରେ
ସମ୍ପର୍କ ଆଳରେ ଅଚିହ୍ନା ବି ଚିହ୍ନା
ହୋଇଯାଏ ଦୁନିଆରେ ।
ଲୋଭ,ଈର୍ଷା ଅବା ଅହଂକାର ଭୋକ
ମନେ ଯେବେ ଦେଖାଦିଏ
ଅମୃତ ସଦୃଶ ହୃଦୟରୁ ଶାନ୍ତି
କ୍ଷୀଣ ହୋଇହୋଇ ଯାଏ ।
ନୂଆ କଥା ନୂଆ ଭାଷା ଜାଣିବାରେ
ଭୋକ ଥିଲେ ମସ୍ତିଷ୍କରେ
ଶିକ୍ଷାଦୀପ ବଳେ ବିକାଶ ଲଭିବ
ନିଶ୍ଚେ ଏଇ ପୃଥିବୀରେ ।
କେଉଁ ଭୋକ କରେ ଜୀବନକୁ ନର୍କ
କେଉଁ ଭୋକ ଦିଏ ସୁଖ
କେଉଁ ଭୋକ ତୁମେ ଆୟତ୍ତ କରିବ
ଭାବି ମତାମତ ରଖ ।
