STORYMIRROR

Kulamani Sarangi

Others

3  

Kulamani Sarangi

Others

ବହ୍ନିକନ୍ୟା (୭)

ବହ୍ନିକନ୍ୟା (୭)

1 min
11.7K


କୃଷ୍ଣଙ୍କ ପ୍ରତି ଦ୍ରୌପଦୀଙ୍କ ଦୁର୍ବଳତା

*******************************************


===================================


ଗୁରୁ ସନ୍ଦୀପନୀ ଠାରୁ ଶୁଣିଥିଲେ

 କୃଷ୍ଣା କୃଷ୍ଣଙ୍କ ବର୍ଣ୍ଣନ,

ଚିକ୍କଣ କାଳିଆ,ମୟୂର ଚୂଳିଆ

 ଶଙ୍ଖ,ଚକ୍ର ଶୋଭାବନ।

କନ୍ଧରେ ଶୋଭିତ ଶାରଙ୍ଗ ଧନୁ ସେ

 କୌମୋଦକୀ ଗଦାଧାରୀ,

ରଙ୍ଗ ଅଧରରେ ସଦା ମୃଦୁହାସ,

କୃଷ୍ଣ ଦ୍ବାରକା କେଶରୀ।

ଅଙ୍ଗେ ପୀତବାସ,ଶ୍ୟାମଳ ଶରୀରେ

 ସଦା ପରିପୂର୍ଣ୍ଣ ଲାସ୍ୟ,

ସମ୍ପଦେ,ବିପଦେ ସଦା ନିର୍ବିକାର,

ରହିଥାନ୍ତି ହସ ହସ।

ଶରୀର ତାଙ୍କର କୋମଳ,ସୁନ୍ଦର ,

ବାହୁରେ ବଳ ହସ୍ତୀର,

ଏ ବିଶ୍ବ ମଣ୍ଡଳେ ସମର କୌଶଳେ 

ନାହିଁ ତାଙ୍କ ପଟାନ୍ତର।

ଅହର୍ନିଶ ସେ ତ ଜାଗ୍ରତ ରହନ୍ତି 

ନିଦ୍ରାଜୟୀ ଚନ୍ଦ୍ରବଂଶୀ,

ସେ ଯେବେ ଶୋଇବେ,କିଏ ଜଗାଇବ 

ବିଶ୍ବକୁ ବଜାଇ ବଂଶୀ?

ସମ୍ରାଟ ନୁହନ୍ତି,ସାମ୍ରାଜ୍ୟ ପାରନ୍ତି,

କେତେ ସେ ଗଢି ସଂସାରେ,

ତାଙ୍କ ପାଦପୂଜା,ପାଇଁ କେତେ 

ରାଜା ଅଭିଳଷନ୍ତି ଅନ୍ତରେ।

ଗଳାରେ ଶୋଭିତ କୌସ୍ତୁଭମଣିର 

ଜ୍ୟୋତିର୍ମୟ ଦିବ୍ୟମାଳ,

ଚନ୍ଦନ ଚର୍ଚ୍ଚିତ ନୀଳ କଳେବର,

କର୍ଣ୍ଣରେ ମଣି କୁଣ୍ଡଳ।


ଶୁଣିଥିଲେ କୃଷ୍ଣା,ଗୋପ ବୃନ୍ଦାବନେ 

ମୋହନ ମୁରଲୀ ଧରି,

ଯମୁନା ତଟରେ ପ୍ରୀତି ମଧୁଚକ୍ର 

ଥିଲେ କୃଷ୍ଣ ସୃଷ୍ଟିକରି।

ଝରି ଯାଉଥିଲା ରଙ୍ଗ ଅଧରରୁ 

ହସର ଅମୃତ ଧାରା,

ମୋହନ ବଂଶୀରୁ ବହିଯାଉଥିଲା 

ଝଂକାର, ବେପଥୁଭରା।

ଯମୁନା ଜଳରେ ଉଠଇ ତରଙ୍ଗ 

ଶୁଣି ସେ ମୁରଲୀ ସ୍ବନ,

ଚଞ୍ଚଳ ପାଦରେ ଧାଏଁ ଗୋପବାଳା,

ପୁଲକିତ ତନୁ ମନ।

ମୁଖେ ତୃଣ ଧରି,ଅପଲକେ ମୃଗ- 

ଶିଶୁ ଶୁଣଇ ସେ ସୁର,

ଖିର ତେଜି ବତ୍ସା,ଅନାଇଁ ଶୁଣେ ସେ 

ଅମୃତମୟ ଲହର।

ସୁର ତାଳେ ତାଳେ, ପୁଷ୍ପଲତା ଡାଳେ,

ନାଚନ୍ତି ମଧୁମାଳତି,

ଯମୁନା ଘାଟରେ ବୃଷଭାନୁ ଜେମା,

ହୁଅନ୍ତି ଚଞ୍ଚଳମତି।

ଛନ୍ଦା ଚରଣରେ କେତେ ଛନ୍ଦ ଭରା 

ସଂଗୀତ କେତେ ଠାଣିରେ !

ଅଙ୍ଗେ ଭରା ପୂର୍ଣ୍ଣମାସୀ ଶୀତଳତା,

ଅମୃତ କେତେ ବାଣୀରେ !

ଶ୍ୟାମଳ ଗଳାରେ କାଇଁଚର ମାଳ ,

ମେଘରେ ବିଜୁଳି ପରି,

ଆଖିର ଝଲକେ ଚୋରା ଚାହାଣି,ଯା 

ଲକ୍ଷ ହୃଦ କରେ ଚୋରି।


ଶୁଣିଛନ୍ତି କୃଷ୍ଣା,ଏପରି ଦୁର୍ଲ୍ଲଭ 

ରୂପ ଦେଖିବାର ପାଇଁ,

ସାତଜନ୍ମ ତପ ନୁହେ ପରିମିତ ,

ଏ ମନୁଷ୍ୟ ଜନ୍ମ ନେଇ।

ମନୁଷ୍ୟ ଲୋକରେ ଧର୍ମ ରକ୍ଷା ପାଇଁ,

ଜନ୍ମିଛନ୍ତି ନାରାୟଣ,

କୃଷ୍ଣ-ବାସୁଦେବ ନାମେ ଆଲୋକିତ 

କରୁଛନ୍ତି ଧରାଧାମ।


ଆପେ ଦ୍ରବିଗଲା ମନ,ବାସୁଦେବ- 

କଥା ଭାଳନ୍ତେ ପାଞ୍ଚାଳୀ,

ଭକ୍ତି,ପ୍ରୀତି ପୂର୍ଣ୍ଣ ହୃଦୟେ,ମାନସେ 

କୃଷ୍ଣ କଥା ହେଲେ ଭାଳି।

ମାନସ ପଟରେ ଗଢି ହୋଇଗଲା 

ସୁନ୍ଦର ଏକ ମନ୍ଦିର,

ସେ ମନ ମନ୍ଦିରେ,ପୀରତି ଅର୍ଘ୍ୟରେ 

ପୂଜିଲେ ସେ ନଟବର।

ମନ ଉଦ୍ୟାନରୁ ବାଛି ବାଛି ସୁଗନ୍ଧିତ 

ଫୁଲେ ଗୁନ୍ଥି ହାର,

ମନମୋହନଙ୍କ ଗଳାରେ ଲମ୍ବାଇ 

ଦେଲେ ସେ ପ୍ରୀତି ସମ୍ଭାର।

ବିଚାରିଲେ ମନେ, କୃଷ୍ଣ ଯେବେ ତାଙ୍କ 

କରନ୍ତେ ପାଣିଗ୍ରହଣ !

ଯାଦବ,ପାଞ୍ଚାଳ ଏକ ହୋଇ ସ୍ଥାପି- 

ପାରନ୍ତେ ଶାଶ୍ବତ ଧର୍ମ।

ସେ ବିଶାଳ ଶକ୍ତି ସମକ୍ଷରେ ଦିନେ 

ଅଧର୍ମ ମାନନ୍ତା ହାର,

ଛାର ଗୁରୁ ଦ୍ରୋଣ କ୍ଷୁଦ୍ର ଅଣୁ ସମ 

ଉଡିଯାନ୍ତେ ବହୁ ଦୂର।


କ୍ରମଶଃ.............


Rate this content
Log in