ବହ୍ନିକନ୍ୟା (୬)
ବହ୍ନିକନ୍ୟା (୬)
ଗୁରୁଦକ୍ଷିଣା
===================================
ଗୁରୁଙ୍କୁ ଦକ୍ଷିଣା ଦେବାପାଇଁ କୁରୁ-ପୁତ୍ରେ,#
ମିଳିଲେ ସମସ୍ତେ ଯାଇ 'ଅହିଛତ୍ର' କ୍ଷେତ୍ରେ।*
ସେ ସମୟେ ଅହିଛତ୍ର ଉତ୍ସବରେ ଭରା ,
ମହାଦେବଙ୍କ ପୂଜାରେ ମଗ୍ନ ରାଜ୍ୟସାରା।
ଗଙ୍ଗାକୂଳେ ବିରାଜିତ ଏହି ପୁଣ୍ୟ ସ୍ଥଳି,
ପୂଜା ପାଆନ୍ତି ସେଠାରେ ଦେବ ଚନ୍ଦ୍ରମୌଳି।
ପ୍ରତି ସମ୍ବତ୍ସରେ ରାଜା କରେ ଯଜ୍ଞ,ପୂଜା,
ମୁଖରିତ ହୁଏ ପୀଠ ବାଜେ ନାନା ବାଜା।
ବେଦଧ୍ବନୀ କରି ଯଜ୍ଞ କରନ୍ତି ବ୍ରାହ୍ମଣ,
ଦାନ ଧର୍ମ କରି ପୁରେ ଫେରନ୍ତି ରାଜନ।
ମନ୍ଦିର ବେଢାରେ ପ୍ରବେଶନ୍ତେ ନୃପବର,
ଘୋର ଗର୍ଜନେ ଧାଇଁଲା ଦୁର୍ଯ୍ୟୋଧନ ବୀର।
କୌରବଙ୍କ ଆକ୍ରମଣ ଦେଖି ରକ୍ଷୀଗଣ,
ଅସ୍ତ୍ର,ଶସ୍ତ୍ର ଘେନି କଲେ ପ୍ରତିଆକ୍ରମଣ।
ହସ୍ତିନାର ଆକ୍ରମଣ ବାର୍ତ୍ତା କାମ୍ପିଲ୍ୟରେ,@
ପହଞ୍ଚନ୍ତେ ଅସ୍ତ୍ର ଧରି ତଡିତ ବେଗରେ,
ଦୁର୍ଦ୍ଧର୍ଷ ପାଞ୍ଚାଳ ସେନା ଆସି ପହଞ୍ଚିଲେ,
ଚାହୁଁ ଚାହୁଁ କୌରବଙ୍କୁ ରଣେ ହରାଇଲେ।
ଦୁର୍ଯ୍ୟୋଧନ,ଦୁଃଶାସନ,ଦୁର୍ଜୟ, ବିକର୍ଣ୍ଣ,
ପ୍ରାଣ ଭୟରେ ସକଳେ କଲେ ପଳାୟନ।
ବସନ ସମ୍ଭାଳି ଧାଏଁ ଅଶ୍ବତ୍ଥାମା ବୀର,
ପୃଷ୍ଠରୁ ଧାବନ୍ତି ସୈନ୍ୟ ବଳ କାମ୍ପିଲ୍ୟର।
ଦେଖି କୌରବଙ୍କ ଦଶା ହସିଲେ ପାଣ୍ଡବେ,
ଆରକ୍ତ ମାନଗୋବିନ୍ଦ ମୁଖ ପରାଭବେ।
ବାଲିବନ୍ଧେ ମହାବେଗା ଚିତ୍ରୋତ୍ପଳା ପରି,
ନପାରିଲେ କଉରବେ ପାଞ୍ଚାଳେ ସଂହାରି।
କଉରବ ଗଉରବ ମ୍ଳାନ ହେବା ଦେଖି
ଲମ୍ଫ ଦେଲେ ଧନଞ୍ଜୟ ଅପେକ୍ଷା ନରଖି।
ଚାହୁଁ ଚାହୁଁ ଯୁଧିଷ୍ଠିର ସଙ୍ଗେ ଧନଞ୍ଜୟ,
ବିପୁଳ ପାଞ୍ଚାଳ ସେନା କ୍ଷଣେ କଲେ କ୍ଷୟ।
ଗଦାଘାତେ ବୃକୋଦର ଶତ୍ରୁ କରେ ପଦା,
ମାଦ୍ରୀ-ସୁତେ କ୍ଷୟକଲେ ଅକଳଣ ଯୋଦ୍ଧା।
ଅର୍ଜୁନଙ୍କ ରଣ ଦେଖି ଦ୍ରୁପଦ ରାଜନ,
ଆଶ୍ଚର୍ଯ୍ୟ ହୋଇ ଉଚ୍ଚରେ କଲେ ଜୟଗାନ।
ବିଚାରିଲେ ବାଣ ନୁହେଁ,ଏ ବଜ୍ର ପ୍ରହାର,
ସ୍ବଦେହରେ ବିଜେ ସତେ ଦେବ ସୁନାଶିର।
ଅଗ୍ନି ବର୍ଷେ ଆକାଶରୁ, ସୈନ୍ୟ ଗଲେ ଘୁଞ୍ଚି,
ମହାକାଳ ସମ ପାର୍ଥ ସେ ସ୍ଥାନେ ପହଞ୍ଚି
ବିଶାଳ ଶ୍ବେନ ଯେସନେ ଶଶକକୁ ଧରି,
ଉଡିଯାଏ ଆକାଶକୁ ,ପାର୍ଥ ସେହିପରି,
ଝାମ୍ପିନେଲା ରଥୋପରୁ ରାଜା ଦ୍ରୁପଦଙ୍କୁ,
ଗୋଚର ନୋହିଲା ତାହା ଉଭୟ ପକ୍ଷକୁ।
ମନେହେଲା ବ୍ୟାଘ୍ର, ମୃଗ କଣ୍ଠମୂଳ ଧରି,
ଶୂନ୍ୟରେ ଉଠାଇ ନେଲା ତୁଳା ଖଣ୍ଡ ପରି।
ଛତ୍ରଭଙ୍ଗଦେଲେ ଏହା ଦେଖି ସୈନ୍ୟବଳ,
ମାନଗୋବିନ୍ଦ ଝିଙ୍କିଣ ଦ୍ରୁପଦଙ୍କ ବାଳ,
ଧକ୍କାମାରି ଗୁରୁଙ୍କର ପାଦେ ନିକ୍ଷେପିଲା,
ସବୁ ଶିଷ୍ଟାଚାର ଦୁର୍ଯ୍ୟୋଧନ ଭୁଲିଗଲା।
ଏକା ଯୁଧିଷ୍ଠିର କରୁଥିଲେ ଯା ବାରଣ,
ଭାସିଗଲା ସେ ବାରଣ, ସ୍ରୋତେ ଯଥା ତୃଣ।
ଆହା!ବିଶାଳ ପାଞ୍ଚାଳ ରାଜ୍ୟର କେଶରୀ,
ପଡିଥିଲେ ଦ୍ରୋଣ ପାଦେ ଯୂପ-ପଶୁ ପରି।
ରାଜାର ନତ ମସ୍ତକ ଅସିମୁନେ ଟେକି,
ପଚାରନ୍ତି ଦ୍ରୋଣ "ଆହା!କି ଦଶା ହେଲାକି?
ଶେଳବିଦ୍ଧ ମୋ ଛାତିରେ ତୁମ୍ଭ ଅପମାନ,
କେମନ୍ତେ ଭୁଲିବି କୁହ ପାଞ୍ଚାଳ ରାଜନ?
ପୂର୍ଣ୍ଣ ରାଜ ଦରବାରେ ଅପମାନ ପାଇ,
ଆସିଥିଲି ବନ୍ଧୁ ତୁମ୍ଭ ଗଳାଧକ୍କା ଖାଇ।
ବିଚିତ୍ର ଏ କାଳ,ରହେ ସଦା କି ସମାନେ?
ଆଜି ଯେ ଭିକାରି,କାଲି ସେ ରାଜେନ୍ଦ୍ରାସନେ।
ଏବେ ଯେବେ ପ୍ରାଣେ ଆଶା ଅଛି ମହୋଦୟ ,
ପାଦେ ପଡି କ୍ଷମା ମାଗି ଅର୍ଦ୍ଧେ ରାଜ୍ୟ ଦିଅ।
ଅହିଛତ୍ର କ୍ଷେତ୍ର ମୋତେ କର ସମର୍ପଣ,
ତା ହେଲେ ଦ୍ରୁପଦ ତୁମ୍ଭେ ପାଇବ ଜୀବନ।"
କ୍ଷମା ଆଚରିଲେ ରାଜା ନିଜ ପ୍ରାଣ ପାଇଁ,
ଅର୍ଦ୍ଧରାଜ୍ୟ ଅହିଛତ୍ର କ୍ଷେତ୍ର ଛାଡିଦେଇ।
========+++++++++=========
ଘୋର ଅପମାନେ ପ୍ରାଣ ଜଳେ ସେ ଦିନରୁ,
ଦ୍ରୋଣ ଝିଙ୍ଗାସ, ନଯାଏ ଦ୍ରୁପଦ ମନରୁ।
ତହୁଁ ଘୋର ତପସ୍ୟା ଆଚରି ଯାଜ୍ଞସେନ,
ଯଜ୍ଞରୁ ସମ୍ଭୂତ କଲେ କୃଷ୍ଣା,ଧୃଷ୍ଟଦ୍ୟୁମ୍ନ।
କୁରୁ ବଂଶ ଧ୍ବଂସ ପାଇଁ ଜନ୍ମ ଦ୍ରୌପଦୀର,
ଦ୍ରୋଣ ମୃତ୍ୟୁ ପାଇଁ ଜାତ ଧୃଷ୍ଟଦ୍ୟୁମ୍ନ ବୀର।
ଏ ତିନି ଜଳନ୍ତି ଯଜ୍ଞକୁଣ୍ଡେ ଘୃତ ପରି,
ଜାଳିଦେବେ ସତେ କୁରୁ,ଗୁରୁ ତୃଣ ପରି।
ପିତାଙ୍କ ଦୁଃଖରେ ଦୁଃଖୀ ସତତ ଦ୍ରୌପଦୀ,
ପ୍ରତିଶୋଧ ପାଇଁ ପ୍ରତିକ୍ଷଣେ ବିଚାରନ୍ତି।
ପାର୍ଥ ବଳେ ବଳ ସିନା ହସ୍ତିନା ରାଜ୍ୟର,
ସେ ନଥିଲେ ଧ୍ବଂସ ହେବ ଗର୍ବ କୌରବର।
ଆଜି ପାର୍ଥ ଜତୁଗୃହେ ହେଲା ସିନା ଦାହ,+
ତା ନହେଲେ ତାଙ୍କ ସହ କରିଣ ବିବାହ,
ଧ୍ବଂସ କରି ପାରିଥାନ୍ତେ ହସ୍ତିନା ରାଜ୍ୟକୁ,
ଉପଯୁକ୍ତ ଶିକ୍ଷା ଦେଇ ଥାଆନ୍ତେ ଦ୍ରୋଣକୁ।
ଏମନ୍ତେ ଚିନ୍ତା କରନ୍ତି କୃଷ୍ଣା ଯାଜ୍ଞସେନୀ,
ନିଶି ଅନ୍ତେ ମନ୍ଦିରରେ ଶୁଭେ ଘଣ୍ଟା ଧ୍ବନୀ।
କ୍ରମଶଃ......
#କୁରୁ-ପୁତ୍ର.... କୁରୁବଂଶର ପୁତ୍ରଗଣ(କୌରବ+ପାଣ୍ଡବ)
*ଅହିଛତ୍ର......ପାଞ୍ଚାଳ ରାଜ୍ୟର ପ୍ରମୁଖ ନଗ୍ର
@କାମ୍ପିଲ୍ୟ:---ପାଞ୍ଚାଳର ରାଜଧାନୀ
+ ପାଣ୍ଡବଙ୍କର ଜତୁଗୃହରୁ ପଳାୟନ ବିଷୟରେ ଦ୍ରୌପଦୀ ଅଜ୍ଞାତ ଥିଲେ
