ବହ୍ନିକନ୍ୟା (୧୪)
ବହ୍ନିକନ୍ୟା (୧୪)
କଂସ-ବଧ ପରେ ମଥୁରା ରାଜ ସିଂହାସନରେ ବସିବା ପାଇଁ ଯାଦବ ବୀରମାନେ କୃଷ୍ଣଙ୍କୁ ଅନୁରୋଧ କରିଥିଲେ।କିନ୍ତୁ ବିନମ୍ରତା ସହିତ ସେ ତାହା ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ମୁକୁଟ କଣ ଆବଶ୍ୟକ?ବିନା ମୁକୁଟରେ ସମଗ୍ର ଆର୍ଯ୍ୟାବର୍ତ୍ତରେ ସେ ଦ୍ବାରକାପତି ନାମରେ ବିଦିତ ।
ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ଯାହାର ଜୀବନର ପ୍ରମୁଖ ଲକ୍ଷ ସେ ମଥୁରା ରାଜସିଂହାସନରେ ସନ୍ତୁଷ୍ଟ ହୋଇଥାନ୍ତେ କିପରି !ଉଗ୍ରସେନଙ୍କୁ ରାଜ୍ୟଭାର ସମର୍ପଣ କରି ଏବଂ ପରେ ଦ୍ଵାରକାରେ ଯାଦବଙ୍କୁ ବିସ୍ଥାପିତ କରି, ତାଙ୍କର ପ୍ରମୁଖ ଲକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ସେ ଅଗ୍ରସର ହେଲେ। ଦୁଷ୍ଟ ଦଳନ ପାଇଁ ହାତରେ ଚକ୍ର ଏବଂ ମଥାରେ ଚକ୍ରାନ୍ତ।
କିନ୍ତୁ ରାଜ ଦରବାରରେ ମଧ୍ୟ ତାଙ୍କର ନୀତିକୁ କେତେକ ଯାଦବ ବୀର ସମର୍ଥନ କରୁ ନଥିଲେ।
********************************************
ରାଜ ଦରବାରେ ସିଂହାସନେ ବିଜେ
ସ୍ବୟଂ ରାଜା ଉଗ୍ରସେନ,
ବାମପାଶେ ଗୁରୁ ଗର୍ଗାଚାର୍ଯ୍ୟ,ପୁଣି
ଅକୃର ଆର୍ଯ୍ୟ ଆସୀନ।
ଦକ୍ଷିଣ ପାର୍ଶ୍ବରେ ବସିଛନ୍ତି ଶୂର
ବସୁଦେବ ଧୀରମଣି,
ତାଙ୍କସଙ୍ଗେ ଛନ୍ତି ଆସୀନ ଉଦ୍ଧବ,
କୃଷ୍ଣ,ବଳରାମ ପୁଣି।
ଯୁଯୁଧାନ,କୃତବର୍ମା,ଶକ୍ରାଜିତ,
ବୃହଦ୍ବଳ ଆଦି ମିଶି,
ଯଦୁବଂଶ ମହାରଥିଗଣ ନିଜ
ଆସନେ ଅଛନ୍ତି ବସି।
ସଭାମଧ୍ୟେ ଚାଲିଅଛି ରାଜନୀତି,
କୂଟନୀତି ଆଲୋଚନା,
କୃଷ୍ଣଙ୍କ ନେତୃତ୍ବେ ବଢୁଛି ଯେପରି
ଯାଦବ ବଂଶ ମହିମା।
ମହାବଳୀ ହଳୀ ଉଠି ବାହୁତୋଳି
ବୋଇଲେ "ହେ ନରବର,
ଆର୍ଯ୍ୟାବର୍ତ୍ତେ ଆଜି ଯଦୁବଂଶ ଧ୍ବଜା
ଉଡାଇଛି ଭ୍ରାତା ମୋର।
ଏହି ମୋ ଅନୁଜ ବାସୁଦେବ ଆର୍ଯ୍ୟ
ଯଦୁବଂଶ ପୂର୍ଣ୍ଣ ଇନ୍ଦୁ,
ଜମ୍ବୁଦ୍ବୀପ ନଭେ ଉଜ୍ଜ୍ବଳେ ଚମକେ,
ବିଚ୍ଛୁରିତ ଜ୍ୟୋସ୍ନା ବିନ୍ଦୁ।
ସାଗର ପଥରେ ଦ୍ବାରକାର ପୋତ
ବଡ ନାମ ଅର୍ଜିଛନ୍ତି ,
ଦେଶ ଦେଶାନ୍ତରୁ ଯାଦବ ବଣିକେ
ସୁବର୍ଣ୍ଣ ବୋହି ଆଣନ୍ତି।
ଧର୍ମ ସଂସ୍ଥାପନା ପଥେ ଜରାସନ୍ଧ
ହୋଇବାରୁ ଅନ୍ତରାୟ ,
କଳେ ବଳେ କଉଶଳେ ଯଦୁବୀରେ
କରି ପାରିଛନ୍ତି ଜୟ।
ବୈଦର୍ଭୀ ସହିତେ ପରିଣୟ ଅନ୍ତେ
ଆମ୍ଭ ଭ୍ରାତା କେଶବର
ହୋଇଛନ୍ତି ଅନୁଗତ ଜରାସନ୍ଧ-
ମିତ୍ର ଭୀଷ୍ମକ ଆମ୍ଭର ।
ଜରାସନ୍ଧ ଦର୍ପ ହ୍ରାସହେବା ଜାଣି
ଚେଦି ରାଜ ଦମଘୋଷ,
ଯାଦବଙ୍କ ପ୍ରତି ଗୁପ୍ତ ଆନୁଗତ୍ୟ
ପ୍ରକାଶିଛନ୍ତି ନରେଶ।
ଧର୍ମ ସଂସ୍ଥାପନା ପାଇଁ କୁରୁଶ୍ରେଷ୍ଠ
ଗଙ୍ଗାସୁତଙ୍କ ସହିତେ,
କରୁଅଛୁ ଆମ୍ଭେ ପ୍ରୟାସ ସତତ
ଏ ବିଶାଳ ଆର୍ଯ୍ୟାବର୍ତ୍ତେ।
ସାରା ଆର୍ଯ୍ୟବର୍ତ୍ତେ ଯଦୁବଂଶୀଙ୍କର
ଉଡୁଛି କୀର୍ତ୍ତି ପତାକା,
କେବଳ କୌରବ ରାଜ ଦରବାରେ
ରହିଅଛି କିଛି ଶଙ୍କା।
ସେଠାରେ ଶକୁନି ମାତୁଳ ସହିତ
ଖଳବୁଦ୍ଧି ଦୁର୍ଯ୍ୟୋଧନ,
ବାରୁଣାବନ୍ତରେ ପଣ୍ଡୁପୁତ୍ରେ ଲାକ୍ଷା
ଗୃହେ କରିଛି ଦହନ।
ଅବଶ୍ୟ ସନ୍ଦେଶ ଦେଇଛନ୍ତି ଆସି
ଯଦୁବଂଶ ଗୁପ୍ତଚରେ,
ପାଣ୍ଡବଙ୍କ ମୃତ୍ୟୁ ସେଠାରେ ରହିଛି
ସନ୍ଦେହର ବଳୟରେ।
ପାଣ୍ଡବେ ଆମ୍ଭର ଅତି ପ୍ରିୟ,ଯେଣୁ
କୁନ୍ତୀ ପିଉସୀଙ୍କ ପୁତ୍ର,
କୌରବଙ୍କ ପ୍ରତି ଯଦୁବଂଶ ନୀତି
କରିବ ତା ପ୍ରଭାବିତ।
ଏଣେ ଗୁରୁ ଦ୍ରୋଣ ପାଞ୍ଚାଳ ନରେଶ
ସଙ୍ଗେ ରଖି ତିକ୍ତଭାବ,
ହସ୍ତିନା,ପାଞ୍ଚାଳ ମଧ୍ୟେ ସୃଜିଛନ୍ତି
ଗୁରୁ ଅଯଥା ଆହବ।
ଶୁଣିଅଛୁ ଆମ୍ଭେ ନିଜ ସ୍ବାର୍ଥ ରକ୍ଷା
କରିବାକୁ ଗୁରୁ ଦ୍ରୋଣ
ହସ୍ତିନାର ରାଜନୀତିରେ କୌରବ
ପକ୍ଷେ ଅଛନ୍ତି ବ୍ରାହ୍ମଣ।
ନିଜ ରାଜ୍ୟ ଅହିଛତ୍ରେ କେବେ ପାଦ
ରଖିନାହାନ୍ତି ସେ ଥରେ,
ତଥାପି ଚାହାଁନ୍ତି ସାରା ପାଞ୍ଚାଳକୁ
ନେବେ ନିଜ ଅଧିକାରେ।
ପୋଷି ଘୃଣା ଭାବ ଦ୍ରୋଣ ପ୍ରତି ପଣ
ଯାଜ୍ଞାସେନ ନେଇଛନ୍ତି,
ପ୍ରତିଶୋଧ ନେବେ,ଯେଉଁ ଅପମାନ
ଦ୍ରୋଣାଚାର୍ଯ୍ୟ ଦେଇଛନ୍ତି।
ଆର୍ଯ୍ୟାବର୍ତ୍ତପାଇଁ ନୁହେଁ ଶୁଭଙ୍କରୀ
ସମ୍ବାଦ କଦାପି ଏହି,
ଧର୍ମ ସଂସ୍ଥାପନା ପଥେ ଅନ୍ତରାୟ
ଅଟେ ହେ ଯାଦବ ସାଇଁ।
ଧର୍ମ ରକ୍ଷାକାରୀ ହସ୍ତିନା,ପାଞ୍ଚାଳ
ଅଟନ୍ତି ଦୁଇ ଶକତି,
ସେ ଯେବେ ଲଢିବେ କ୍ଷୁର୍ଣ୍ଣହେବ ସିନା
ଆର୍ଯ୍ୟାବର୍ତ୍ତ ଧର୍ମନୀତି।
ଏଥିପାଇଁ କିଛି ପ୍ରତିକାର ଅଟେ
ବିଚାର୍ଯ୍ୟ ହେ ମହାବଳୀ,"
କହି ଏ ବଚନ ତହୁଁ ସ୍ବଆସନ
ଅଧିକାର କଲେ ହଳୀ।
ନିଜ ଆସନରୁ ଉଠି ଶକ୍ରାଜିତ
ବୋଇଲେ "ହେ ଯଦୁବୀରେ,
ଅଯଥା କାହିଁକି ମଥା ଖେଳାଇବା
ଆମ୍ଭେ ସେ ରାଜନୀତିରେ?
ଲଢିଲେ ଲଢନ୍ତୁ ପାଞ୍ଚାଳ,ହସ୍ତିନା
ଆମ୍ଭର ତହିଁ କି କାର୍ଯ୍ୟ,
ଯାଦବେ କାହିଁକି ଅଯଥା ତହିଁରେ
ଲିପ୍ତ ହୋଇବେ ହେ ଆର୍ଯ୍ୟ?
ଜରାସନ୍ଧ ସହ କଳହରେ ମାତି
ବହୁ କଷ୍ଟ ଭୋଗିଲେଣି,
ଧନ ହାନୀ,ପ୍ରାଣ ପୀଡା ଯଦୁବଂଶ
ଅନେକ ସହ୍ୟ କଲାଣି।
ଆର୍ଯ୍ୟାବର୍ତ୍ତେ ଧର୍ମ ସ୍ଥାପିତ ହେଉ ବା
ହେଉ ତାର ଅବକ୍ଷୟ,
ସେଥିପାଇଁ କିପାଁ ଯାଦବଙ୍କ ହେବ
ଧନ,ଜନ,ମାନ କ୍ଷୟ?"
"ସାଧୁ ଶକ୍ରାଜିତ ସାଧୁ"ବୋଲି ଥୋକେ
ସଭାରେ କରନ୍ତେ ଗୋଳ,
'ଅଯଥାରେ କିମ୍ପା କର ସାଧୁବାଦ'
ବୋଲନ୍ତି ଶ୍ରୀକାମପାଳ।
ଶକ୍ରାଜିତ ବୀର ବୁଦ୍ଧି କି ତୁମ୍ଭର
ବିଭ୍ରମ ହେଲାଣି ତାତ ?,
ଧର୍ମ ସଂସ୍ଥାପନା ପାଇଁ ଯଦୁବଂଶେ
ଆମ୍ଭେ ବେନିଭ୍ରାତ ଜାତ।
କଂସକୁ ନିଧନ କରି ମଥୁରାକୁ
କରିଅଛୁ ଆମ୍ଭେ ତ୍ରାଣ,
ସେହିପରି ଆର୍ଯ୍ୟାବର୍ତ୍ତେ ଧର୍ମଅର୍ଥେ
ବିସର୍ଜି ପାରିବୁ ପ୍ରାଣ।
ନିଜ ସ୍ବାର୍ଥନେଇ ଦ୍ବାରକାରେ ଶୋଇ
ରହିବା ହେ କେତେଦିନ?
ଅଧର୍ମ ଉତ୍ପାତେ ଦ୍ବାରକା ବି ଦିନେ
ସିନ୍ଧୁରେ ହୋଇବ ଲୀନ।"
କ୍ରମଶଃ
