ବହ୍ନିକନ୍ୟା (୧୨)
ବହ୍ନିକନ୍ୟା (୧୨)
ବହ୍ନିକନ୍ୟା
....୧୨....
କୃଷ୍ଣଙ୍କୁ ଜାମାତା କରିବା ପରିକଳ୍ପନା
********************************************
ସେ ସମୟରେ ବାସୁଦେବ କୃଷ୍ଣ ନିଃସନ୍ଦେହ ଜଣେ ଅଦ୍ୱିତୀୟ ବ୍ୟକ୍ତିତ୍ବ ଭାବେ ପରିଗଣିତ ହେଉଥିଲେ।ଯେଭଳି ଭାବରେ ସେ କଂସକୁ ହତ୍ୟା କରି, ତାର ଶ୍ବଶୁର ପ୍ରବଳ ପ୍ରତାପୀ ଜରାସନ୍ଧକୁ ପରାସ୍ତ କରିଥିଲେ ଏବଂ ଦମଘୋଷ-ପୁତ୍ର ଚେଦି ରାଜକୁମାର ଶିଶୁପାଳର ଗର୍ବ ଖର୍ବ କରି ବୈଦର୍ଭୀ ଋକ୍ମିଣୀଙ୍କ ପାଣି ଗ୍ରହଣ କରିଥିଲେ ,ତାହା ଆର୍ଯ୍ୟାବର୍ତ୍ତର ସମସ୍ତ ରାଜାମାନଙ୍କୁ ଆଚମ୍ବିତ କରିଥିଲା।ଦ୍ରୁପଦ ଚିନ୍ତା କଲେ , କୃଷ୍ଣ-ବାସୁଦେବଙ୍କୁ ଜାମାତା କରିପାରିଲେ,ପ୍ରବଳ ପରାକ୍ରମୀ ଯାଦବଙ୍କ ସହିତ ବନ୍ଧୁତା ତାଙ୍କର ସମସ୍ତ ସମସ୍ୟା ଦୂର କରି ପାରିବ। ସଂଯୋଗ ବଶତଃ ଯାଜ୍ଞସେନୀଙ୍କର ମଧ୍ୟ କୃଷ୍ଣଙ୍କ ପ୍ରତି ଦୁର୍ବଳତା ଥିଲା।
********************************************
ଦେଖି ପିତାଙ୍କର ହୃଦସିନ୍ଧୁ ଉଦ୍ବେଳିତ,
କହନ୍ତି କୃଷ୍ଣା "ମୋ କଥା ଥରେ ଶୁଣ ତାତ।
ଭାରତ ଭୂଖଣ୍ଡେ ଧର୍ମ ସଂସ୍ଥାପନା ପାଇଁ,
ଅବତୀର୍ଣ୍ଣ ହୋଇଛନ୍ତି କୃଷ୍ଣ ଯଦୁସାଇଁ।
ଅଲୌକିକ ଶକ୍ତିର ସେ ଦେଇଣ ପ୍ରମାଣ,
ହସ୍ତେ ତୋଳି ପାରିଛନ୍ତି ଗିରି ଗୋବର୍ଦ୍ଧନ।
କାଳିୟ ଦଳନ କରି ଯମୁନା ଜଳରେ,
ରାକ୍ଷସ କଂସକୁ ବଧିଛନ୍ତି ମଥୁରାରେ।
ଜରାସନ୍ଧକୁ ହରାଇ ଗୋମନ୍ତକ ପଥେ,
କାଳଯବନ ମରାଇ ମୁଚୁକୁନ୍ଦ ହସ୍ତେ,
ଦ୍ବାରକାରେ ସୁରକ୍ଷିତେ ବିସ୍ଥାପି ଯାଦବ,
ବିଦର୍ଭର ଦର୍ପ ଦଳି ଅଛନ୍ତି ମାଧବ।
ଶାଳକ ଋକ୍ମ ମସ୍ତକ କରାଇ ମୁଣ୍ଡନ,
ବୈଦର୍ଭୀ ଋକ୍ମିଣୀ ବିଳସନ୍ତି ନାରାୟଣ।
ପାଞ୍ଚାଳ ସଙ୍ଗେ ଯଦୁଙ୍କ ହୋଇଲେ ସମ୍ବନ୍ଧ,
ନ ହୋଇବେ କେହି ପାଞ୍ଚାଳର ସମାସ୍କନ୍ଦ।
ହୋଇପାରିଲେ ତା ଦ୍ରୋଣ ଯିବେ କାହୁଁ ବଳି?
ପ୍ରତିଜ୍ଞା ପୂରଣ ହେବ ଆହେ ମହାବଳୀ।"
କନ୍ୟାର ମୁଖୁ ଶ୍ରୀକୃଷ୍ଣ ପ୍ରଶଂସାକୁ ଶୁଣି,
ସ୍ମିତ ହସି ବୋଇଲେ ପାଞ୍ଚାଳ ନରମଣି।
"କଲ୍ୟାଣୀ! ତୁ ମନକଥା କହିଦେଲୁ ମୋର,
ଦୁର୍ଲଭ ମଣି ଅଟନ୍ତି କୃଷ୍ଣ ଯୋଗେଶ୍ବର।
ଗୁରୁ ସନ୍ଦୀପନୀ ଠାରୁ ଶୁଣିଅଛି ଯାହା,
ବଡ ଅଲୌକିକ କୀର୍ତ୍ତିମନ୍ତ ଯଦୁନାହା।
ସୁଦର୍ଶନ ଚକ୍ର,କୌମୁଦକୀ ଗଦା ହସ୍ତେ,
ଶାରଙ୍ଗ ଧନୁକୁ ବିଶ୍ବେ ଡରନ୍ତି ସମସ୍ତେ।
ତାଙ୍କ ସମ ଧନୁର୍ଦ୍ଧର ତ୍ରିଲୋକରେ ନାହିଁ,
କୁଟନୀତି ପଣେ ଅଦ୍ବିତୀୟ ଯଦୁସାଇଁ।
ବୁଦ୍ଧିମାନ,ସନ୍ତୁଳିତ ମସ୍ତକ କନ୍ଧରେ,
ଅବିଚଳିତ ସେ ସଦା ବିଷମ ସ୍ଥିତିରେ।
ମୁଖେ ଲାଗି ରହିଥାଏ କମନୀୟ ହସ,
ଅଦ୍ବିତୀୟ ଯାଦୁକାରୀ ଅଟେ ପୀତବାସ।
କୃଷ୍ଣବାସୁଦେବ ହେଲେ ଜାମାତା ମୋହର,
ଦ୍ରୋଣ କିବା ଛାର,ଜିଣିପାରେ ତିନିପୁର।
ଆଜି ସନ୍ଦୀପନୀଙ୍କୁ ମୁଁ ଦେଉଛି ପ୍ରସ୍ତାବ,
ବୁଝି ଜଣାଇବେ ବାସୁଦେବ ମନୋଭାବ।"
ଏହା ଭାଳି କାଳ ବ୍ୟୟ ନକରି ପାଞ୍ଚାଳ,
ଡକାଇଲେ ଗୁରୁ ସନ୍ଦୀପନୀଙ୍କୁ ଚଞ୍ଚଳ।
କ୍ରମଶଃ.......