STORYMIRROR

Kulamani Sarangi

Others

3  

Kulamani Sarangi

Others

ବହ୍ନିକନ୍ୟା (୧୧)

ବହ୍ନିକନ୍ୟା (୧୧)

3 mins
11.9K

ବହ୍ନିକନ୍ୟା

.....୧୧....

ଦ୍ରୁପଦଙ୍କ ଚିନ୍ତା

===================================

ଆର୍ଯ୍ୟାବର୍ତ୍ତରେ ଧର୍ମପଥଗାମୀ ଶାସକ ମାନଙ୍କ ଭିତରେ ପାଞ୍ଚାଳ ନରେଶ ଦ୍ରୁପଦ ଅନ୍ୟତମ ଥିଲେ।ରାଜର୍ଷି ସଦୃଶ ଦାନଧର୍ମ ପୂଜାକର୍ମରେ ସମୟ ଅତିବାହିତ କରି ସେ ସୁଚାରୁ ରୂପେ ପ୍ରଜା ପାଳନ କରୁଥିଲେ।ରାଜ୍ୟର ମଙ୍ଗଳ ପାଇଁ ଏବଂ ବାତାବରଣ ଶୁଦ୍ଧିକରଣ ପାଇଁ, ଆର୍ଯ୍ୟାବର୍ତ୍ତର ବିଭିନ୍ନ ସ୍ଥାନରୁ ବେଦଜ୍ଞ ବ୍ରାହ୍ମଣ ମାନଙ୍କୁ ଡକାଇ ସେ ସତତ ଯଜ୍ଞହୋମର ଆୟୋଜନ କରୁଥିଲେ ଏବଂ ଯାଜ୍ଞସେନ ନାମ ଧାରଣ କରିଥିଲେ।କିନ୍ତୁ ମଗଧ ସମ୍ରାଟ ଜରାସନ୍ଧର ପ୍ରକୃତି ସମ୍ପୂର୍ଣ୍ଣ ଭିନ୍ନ ଥିଲା।ପ୍ରଜା ପ୍ରପୀଡକ ଅଧର୍ମ ପଥ ଗାମୀ ଏହି ରାଜପରିବାର ସହିତ ବନ୍ଧୁତା ଚାହୁଁ ନଥିଲେ ଦ୍ରୁପଦ। ଶକ୍ତିଶାଳୀ ମଗଧ ସହିତ ସେ ଶତ୍ରୁତା ମଧ୍ୟ ଚାହୁଁ ନଥିଲେ । 


ହସ୍ତିନା ସହିତ ପାଞ୍ଚାଳର ସୀମା ବିବାଦ ଲାଗି ରହିଥିଲା।ଗୁରୁ ଦ୍ରୋଣ ଯେପରି ଭାବରେ ପାଞ୍ଚାଳ ରାଜ୍ୟର ଅହିଛତ୍ର କ୍ଷେତ୍ର ଛଡ଼ାଇ ନେଇଛନ୍ତି,ତାହା ଭୁଲି ପାରିନାହାନ୍ତି ଦ୍ରୁପଦ।ସେ ଅପମାନର ପ୍ରତିଶୋଧ ନେବା ତାଙ୍କ ଜୀବନର ପ୍ରମୁଖ ଲକ୍ଷ।ଏ ପରିପ୍ରେକ୍ଷୀରେ ମଗଧରୁ ଆସିଥିବା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଜରାସନ୍ଧ ସହିତ ଶତ୍ରୁତା ଅର୍ଜନ କରିବା କେତେଦୂର ସମିଚୀନ,ଚିନ୍ତା କରୁଥିଲେ ଦ୍ରୁପଦ।ଏହି ପ୍ରତ୍ୟାଖ୍ୟାନ ପରେ ଜରାସନ୍ଧ ଯେବେ ହସ୍ତିନା ସହିତ ବନ୍ଧୁତା ସ୍ଥାପନ କରି ପାଞ୍ଚାଳ ବିରୁଦ୍ଧରେ ଯୁଦ୍ଧ କରେ,ତାହେଲେ ଦ୍ରୋଣ ଦେଇଥିବା ଅପମାନର ପ୍ରତିଶୋଧ ସ୍ବପ୍ନରେ ହିଁ ରହିଯିବ।


ଅପର ପକ୍ଷେ ଦ୍ରୋଣଙ୍କୁ ହରାଇବା ପାଇଁ ଅଧର୍ମୀ ଜରାସନ୍ଧ ସହିତ ବନ୍ଧୁତା କଲେ ଯାଦବ ମାନେ କ୍ରୋଧିତ ହୋଇ, ହସ୍ତିନା ସହିତ ଏକତ୍ରିତ ହୋଇ ପାଞ୍ଚାଳ ସହିତ ଶତ୍ରୁତା କରିବେ।ଯାଦବ ମାନଙ୍କର ଶକ୍ତି ବିଷୟରେ ଅବଗତ ଥିଲେ ଦ୍ରୁପଦ।


    ଯାଦବପତି ଶ୍ରୀକୃଷ୍ଣଙ୍କର ଧର୍ମପଥଗାମୀ ପାଣ୍ଡବଙ୍କ ପ୍ରତି ଶୁଭଦୃଷ୍ଟି ବିଷୟରେ ସେ ଜାଣିଥିଲେ। କୁରୁ-ପୁତ୍ର ମାନଙ୍କ ସହିତ ପାଣ୍ଡୁପୁତ୍ରମାନଙ୍କର ଶତ୍ରୁତା ବିଷୟରେ ମଧ୍ୟ ସେ ସମ୍ପୂର୍ଣ୍ଣ ଅବଗତ ଥିଲେ।କୌରବ-ପାଣ୍ଡବଙ୍କର ଏହି ଶତ୍ରୁତା ଭିତରେ ଦ୍ରୋଣ ଅପ୍ରକାଶିତ ଭାବେ କୌରବଙ୍କର ସମର୍ଥନ କରୁଥିଲେ, କାରଣ ପୁତ୍ର ଅଶ୍ବତ୍ଥାମା ଦୁର୍ଯ୍ୟୋଧନର ପ୍ରିୟ ମିତ୍ର ଥିଲେ।


ତେଣୁ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କୁ ଜାମାତା କରି, ପାଞ୍ଚାଳର ଶକ୍ତି ବୃଦ୍ଧି କରି,ଦ୍ରୋଣଙ୍କର ଦ୍ବାରା ପରିଚାଳିତ କୌରବ ବାହିନୀ ବିରୁଦ୍ଧରେ ରଣ କରିବାପାଇଁ ପୂର୍ବରୁ ଚାହୁଁ ଥିଲେ ଦ୍ରୁପଦ। 


ଇତି ମଧ୍ୟରେ ପାଣ୍ଡବ ମାନେ ଜତୁଗୃହରେ ଦଗ୍ଧ ହେବା ସମ୍ବାଦ ତାଙ୍କର କର୍ଣ୍ଣଗୋଚର ହୋଇଛି।

===================================


ମନ୍ଦିରରୁ ସଂଧ୍ୟା ସାରି ଦ୍ରୁପଦ ନରେଶ,

ଫେରୁଥିଲେ,ପଥେ ଦେଖି କୃଷ୍ଣାଙ୍କୁ ବିରସ,

ପଚାରିଲେ "କାହିଁକି ମା ମୁଖଚନ୍ଦ୍ର ତୋର,

ମଳିନ ପଡିଯାଇଛି ରାଜଜେମା ମୋର?


କେଉଁ ଚିନ୍ତା ହୃଦୟେ ମା କରିଛି ତୋ ବାସ,

କିଏ ଚୋରି କରି ନେଲା ତୋ ଅମୂଲ୍ୟ ହସ?

ମନରୁ ହଜି ଯାଇଛି ସରସ କିପାଇଁ,

ହଜି ଯାଇଛି କି କିଛି, ଦେବି ମୁଁ ଖୋଜାଇ।

ଭାଙ୍ଗି ଯାଇଥିଲେ କିଛି ଗଢିଦେବି ତ୍ବରା,

ମନୁ ଦୁଃଖ ଦୂରକର ମୋ ଦୁଃଖ ପାଶୋରା।


ଜାଣୁ ,ତୋର ଶୁଷ୍କ ମୁଖ ଦେଖି ପାରେ ନାହିଁ,

ଅତି ଅଲିଅଳ କନ୍ୟା ଯାଜ୍ଞସେନୀ ତୁହି।

ତୋ ଅନ୍ତର ବ୍ୟଥା ସଦା ହୃଦୟକୁ ମୋର,

କରଇ ବ୍ୟଥିତ,ମାଆ ଅଜଣା କି ତୋର?"


ପିତାଙ୍କ ଚରଣ ଧୂଳି ମଥାରେ ଲଗାଇ,

ମନ୍ଦିର ପୂଜା ପ୍ରସାଦ କିଛି ମୁଖେ ଦେଇ,

ପିତା ହସ୍ତ ଧରି ,ନେଇ ନିଜ ପ୍ରକୋଷ୍ଠରେ,

ବସାଇ ଆସନେ କୃଷ୍ଣା ବୋଲନ୍ତି ସଧୀରେ।


"ନଜାଣ କି ତାତ ମୋର ଦୁଃଖର କାରଣ?

ମୋ ଅନ୍ତର କଥା ତୁମ୍ଭେ ବାଲ୍ୟକାଳୁ ଜାଣ।

ଜନ୍ମରୁ ମୁଁ ପାଇନାହିଁ ମାତାର ମମତା,

ଯଜ୍ଞକୁଣ୍ଡରୁ ମୁଁ ଯେଣୁ ଅଯୋନୀସମ୍ଭୂତା।


ମାତା,ପିତା,ଦେବତା ସବୁ ତ ତୁମେ ମୋର।

ବାତ୍ସଲ୍ୟ ଭରି ଦେଇଛ ଜୀବନେ ପିଅର।

ଋଣୀ ଆମ୍ଭେ ପୁତ୍ର କନ୍ୟା ତବ ମମତାର,

ଏ ଜୀବନେ ଅସମ୍ଭବ ପରିଶୋଧ ତାର।


ଦ୍ରୋଣଙ୍କର ତୁମ୍ଭପ୍ରତି ଅପମାନ କଥା,

ଚିନ୍ତାକରି ମନେ ଜାଗେ ଅକଳନ ବ୍ୟଥା।

ଯେଉଁ ଅପମାନ ଦେଲା ପାଣ୍ଡବ ଅର୍ଜୁନ,

ଯେଉଁ ବ୍ୟବହାର କଲେ ଭୀମ,ଦୁର୍ଯ୍ୟୋଧନ।

ଯେପରି ଘୋଷାରି ତୁମ୍ଭକୁ ସେ ଘେନିଗଲେ,

ଅପରାଧୀ ସମ ଦ୍ରୋଣ ପାଦେ ନିକ୍ଷେପିଲେ,

କିପରି ଭୁଲି ପାରିବ ଏ କନ୍ୟା ତୁମ୍ଭର,

ଦ୍ରୋଣ ଦର୍ପ ଚୂର୍ଣ୍ଣ ପାଇଁ ଜନମ ଯେ ମୋର।


ଯଜ୍ଞରୁ ସମ୍ଭୂତା ମୁହିଁ ସେଥିପାଇଁ ତାତ,

ମୋ ସଙ୍ଗେ ଯଜ୍ଞରୁ ଜାତ ଧ୍ରୁଷ୍ଟଦ୍ୟୁମ୍ନ ଭ୍ରାତ।

ପଣ ଆମ୍ଭର ଦ୍ରୋଣର ଦର୍ପ ଚୂର୍ଣ୍ଣ କରି,

ଶୀତଳ କରିବୁ ତାତ ପ୍ରାଣକୁ ତୁମ୍ଭରି।"


ଧନଞ୍ଜୟ ନିନ୍ଦା ଶୁଣି ବୋଇଲେ ଦ୍ରୁପଦ,

ଅର୍ଜୁନ ପାଇଁ ମୋ ହୃଦେ ତିଳେ ନାହିଁ କ୍ଷେଦ।

ଅତି ଭଦ୍ର,ସଂସ୍କାରୀ ସେ ପାଣ୍ଡୁ ପାଞ୍ଚଭାଇ,

ବନ୍ଦୀ ସିନା କଲେ ମୋତେ ଗୁରୁ ଆଜ୍ଞାପାଇ।

ଯେ ସମୟେ ଘୋଷାରିଲା ଦୁଷ୍ଟ ଦୁର୍ଯ୍ୟୋଧନ,

ନକର ଏମନ୍ତ ବୋଲି ବୋଇଲେ ଅର୍ଜୁନ।

କରିଲେ ବାରଣ ସେ ସମୟେ ଯୁଧିଷ୍ଠିର,

ବୋଇଲେ 'ରାଜାକୁ ଦିଅ ସମ୍ମାନ ତାହାର।'


ଦୁଷ୍ଟ କଉରବ ଶତଭାଇ ଦେଲେ ଗାଳି,

ଦୁର୍ଯ୍ୟୋଧନ ମାରେ ଧକ୍କା,ଦୁଃଶା ମାରେ ତାଳି।

ସଦା ଅଧର୍ମ ପଥରେ ଯାଆନ୍ତି କୌରବେ,

ଧର୍ମପଥେ ରହିଥାନ୍ତି ପ୍ରଚଣ୍ଡ ପାଣ୍ଡବେ।

ତେଣୁ ଦିନେ ଭାବିଥିଲି ପାଣ୍ଡବ ଅର୍ଜୁନେ,

ବିଭାଦେବି ତୋତେ ପଣ ପୂର୍ଣ୍ଣ ଅଭିଯାନେ।


କିନ୍ତୁ ଜେମା ତୋ ପିତାର ସ୍ବପ୍ନ ମଉଳିଲା,

ଦ୍ରୋଣର ଅହଂକାରଟି ଅଧିକେ ବଢିଲା।

ପାଣ୍ଡବଙ୍କୁ ଶତ୍ରୁରୂପେ ସଦା ଦେଖେ ଦ୍ରୋଣ,

କୌରବଙ୍କ ଆଶ୍ରାପାଇ ଉଦ୍ଧତ ବ୍ରାହ୍ମଣ।


ଦୁର୍ଯ୍ୟୋଧନ ସଖା ଯେଣୁ ପୁତ୍ର ଅଶ୍ବତ୍ଥାମା,

ପୁତ୍ର ମୋହେ ଅନ୍ଧ ହୋଇ ଦ୍ରୋଣ ଦୁରାତମା।

ବାରୁଣାବନ୍ତର ଷଡଯନ୍ତ୍ରେ ଭାଗି ହେଲା,

ପାଣ୍ଡବଙ୍କୁ ବାରୁଣାବତକୁ ପଠାଇଲା।

ଯେ ପର୍ଯ୍ୟନ୍ତ କୁରୁ ବଂଶ ନ ହୋଇଛି ଧ୍ବଂସ,

ଦ୍ରୋଣ ନାଶ ଆଶା ପୂର୍ଣ୍ଣ ନୋହିବ ଅବଶ୍ୟ।

ଅର୍ଦ୍ଧେକ ପାଞ୍ଚାଳ ଅଛି ଦ୍ରୋଣର ଅଧୀନ,

ଏକ ଭୁଜ ସତେ କାଟି ନେଇଛି ବ୍ରାହ୍ମଣ !


ଅହିଛତ୍ରେ ଅଶ୍ବତ୍ଥାମା କରୁଛି ରାଜୁତି,

ହସ୍ତିନା ସଭାରେ ଦ୍ରୋଣ କରେ ରାଜନୀତି।

ଅଧର୍ମର ଅବତାର ଅଟେ ଅନ୍ଧ ସୁତ,

ସହଜେ ତ ସିଂହାସନେ ବନ୍ଧା ଗଙ୍ଗାପୁତ୍ର।


ତାତ୍ସଲ୍ୟ କରିବାକୁ ସେ ପ୍ରଭୁ ନାରାୟଣ,

ନିଜ ନାମ ରଖିଛି ପନ୍ନଗ ନାରାୟଣ।

କୃଷ୍ଣଙ୍କର ନାମ ଯେଣୁ ରହିଛି ଗୋବିନ୍ଦ,

ନିଜକୁ ବୋଲାଏ ସେହୁ ଶ୍ରୀମାନଗୋବିନ୍ଦ।

କିନ୍ତୁ ଗଦାଯୁଦ୍ଧେ ଦୁଷ୍ଟ ଅଟେ ବଳୀୟାନ,

ତା ସଙ୍ଗେ ତାଳ ଦେବାକୁ ଥିଲା ଭୀମସେନ।


ଭାବିଥିଲି ଜାମାତା ମୁଁ କରି ଅର୍ଜୁନକୁ,

ହରାଇବି ଗୁରୁ ଦ୍ରୋଣ ସଙ୍ଗେ କୌରବଙ୍କୁ।

ଦ୍ରୋଣ ସମକକ୍ଷ ଏକା ଥିଲା ଧନଞ୍ଜୟ ,

ସେ ତ ଗଲା ଏବେ କିସ କରିବା ଉପାୟ?


ଏବେ ମଗଧ ନରେଶ ଦେଇଛି ପ୍ରସ୍ତାବ,

ମେଘସନ୍ଧି ସଂଗେ ପରିଣୟ କରାଇବ।

ମଗଧ ସହିତେ ହେଲେ ଆମ୍ଭର ସମ୍ବନ୍ଧ,

କୃଷ୍ଣ,ବଳରାମ ସଙ୍ଗେ ହୋଇବ ବିବାଦ।

ଯାଦବ ଗଣ କୌରବ ସଙ୍ଗେ ମେଳହୋଇ,

ପାଞ୍ଚାଳକୁ କ୍ଷଣେ ଦେବେ ଶୂନ୍ୟରେ ଉଡାଇ।


ଯଦୁ ସେନା ସମର୍ଥନ ଯେବେ ଲଭେ ଦ୍ରୋଣ,

ଅସମ୍ଭବ ହେବ ଆମ୍ଭ ପ୍ରତିଜ୍ଞା ପୂରଣ।

ସହଜେ ତ ଅଧର୍ମୀ ଅଟଇ ଜରାସନ୍ଧ,

କିପରି ସମ୍ଭବ ଧୂର୍ତ୍ତ ସହିତ ସମ୍ବନ୍ଧ?

ମଗଧ ଚକ୍ରବର୍ତ୍ତୀର ହସ୍ତରେ ଖେଳନା,

ହୋଇ ଅଧର୍ମ ମାର୍ଗରେ ଯିବା ଆମ୍ଭେ ସିନା"

ଏତେ ଭାଳି ଯାଜ୍ଞସେନ ମନେ ହେଲେ ଦୁଃଖୀ,

ଘୋର ଅନ୍ଧକାର ମୟ ଭବିତବ୍ୟ ଦେଖି।


କ୍ରମଶଃ----'


Rate this content
Log in