STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଭଲା ଫନି କାଶ ନାଟ

ଭଲା ଫନି କାଶ ନାଟ

1 min
120


ଭଲା 'ଫନି' ଥିଲା କେଉଁଠି କେଜାଣି

ଆସିଲା ଗ୍ରୀଷମ କାଳେ

ନାଟ ଲଗାଇଲା ହଟ ଭିଆଇଲା

ବଞ୍ଚିଗଲି ଯୋଗବଳେ  

ବହିଲା ଅଣଚାଶ ବାଆ ,

ମଦ ବେଦ ସବୁ ହେଲା ଏକକାର

ପୋଡିଯାଉଛି ମୋ ହିଆ  ।। 


ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ଶ୍ରୀହୀନ 

ରାଜଧାନୀ ଦୁଃଖ ଯାହା 

କଟକ ନଗର ବରଷ ହଜାର

ଲୋକ କହୁଛନ୍ତି ଆହା   

ଭଲା କି ସମୟ ହେଲା ,

ସହରର ଛାତି ଶୁନଶାନ ରାତି 

ଅଦିନେ ବଜ୍ର ପଡିଲା   ।।


ଗଳି କନ୍ଦି ଠାରୁ ରାଜପଥ ଯାଏ

'ଫନି' ପାଦ ଚିହ୍ନ ଦିଶେ

ମାଟିରେ ମିଶିଲା କୋଠାବାଡି ଯେତେ 

ହାହାକାର ଅବଶେଷେ

ଆକାଶ ପଡିଲା ଛିଡି ,

କୋମଳ ଦେହକି ସହିବ ସହଜେ

ସବୁତ ଗଲା ବିଗିଡି    ।। 


ଡହ ଡହ ତାତି ବହୁଛି ବୈଶାଖୀ 

ପାଣି ମିଳୁନାହିଁ ମୁନ୍ଦେ

ସହରଟା ସାରା ବିଜୁଳି ସପନ

ଝାଇଁ ଝାଇଁ ମୁଣ୍ଡ ବିନ୍ଧେ

ମୋବାଇଲ ହସେ ଧୀରେ ,

ଏତେ ଦିନ ପରେ ମିଳିଛି ବିଶ୍ରାମ

ହରି ନାମ ଜପ କରେ  ।।


ବହଳ ଅନ୍ଧାର ରାଜୁତି କରୁଛି 

ଠାଏ ଠାଏ ଭଙ୍ଗା ଖୁଣ୍ଟ

ଟାଣ ଖରା ପୁଣି ବାଧକ ସାଜିଛି  

ମନରେ ରହୁନି ଆଣ୍ଟ

ଜୀବନଟା ହୀନିମାନ,

ସହରରେ ରହି ଗର୍ବ କରୁଥିଲି

ଭାଙ୍ଗିଗଲା ବଡପଣ  ।। 


ଧୋବଧବଳିଆ ବାବୁଭାୟାମାନେ

ଛାଡିଲେ ସ୍ମାର୍ଟ ସିଟି 

ଏତେଦିନ ପରେ ମନେ ପଡିଗଲା 

ଗାଁ ଗଣ୍ଡା ଭିଟା ମାଟି 

ସକେଇ କହନ୍ତି ଧୀରେ ,

ପିଲା କହୁଛନ୍ତି ଏସନ ଟିକିଏ

ଛୁଟି କଟାଇବେ ଗାଁ ରେ  ।।


ଗାଁ ମଫସଲେ ବୁଢା ବାପ ମାଆ

ଚାତକେ ଥିଲେ ତ ଚାହିଁ 

ରଙ୍କର ରତନ ଗଳାମାଳି ତାଙ୍କ  

ଫେରୁଛି ଜନମ ଭୂଇଁ 

ପାଦ ଲାଗୁନାହିଁ ତଳେ,

ନାତି ନାତୁଣୀଙ୍କ ସହ ବିତିଯିବ

ସମୟ ତ ଅବହେଳେ  ।।


ଚାଳ ଛପରର ମଫସଲ ଘର

ହେଲା ତ ସରଗ ପୁର

ରିଲିଫ ଚାଉଳ ମୁଗଡାଲି ସାଥେ

ଲାଗିଲା ସମ୍ପର୍କ ଡୋର

ଭଲା 'ଫନି' କଲା ନାଟ,

ବୁଢା ବାପ ସହ ହାକିମ ପୁଅଙ୍କ 

କରିଦେଲା ଭେଟ ଭାଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍