ଭକ୍ତର ଭଗବାନ
ଭକ୍ତର ଭଗବାନ
ମହାଭାରତ ଯୁଦ୍ଧେ ମୁଁ ଧରିବିନି ଅସ୍ତ୍ର
ପ୍ରତିଜ୍ଞା କରି କୁହନ୍ତି ଏକଥା ଶ୍ରୀକୃଷ୍ଣ
କୃଷ୍ଣଙ୍କ ପ୍ରତିଜ୍ଞା ଶୁଣି ପିତାମହ ଭୀଷ୍ମ
ମୋର ଅଟଳ ପ୍ରତିଜ୍ଞା ଧରାଇବି ଅସ୍ତ୍ର ।।
କେମିତି ରହିବ ଅସ୍ତ୍ର ନଧରି ସମ୍ଭାଳି
ଚାହିଁ ମୁଁ ଦେଖିବି ନିଶ୍ଚେ ପ୍ରଭୁ ବନମାଳୀ
ଗଙ୍ଗା ପୁତ୍ର ମୁଁ ଯେ ଭୀଷ୍ମ ପ୍ରତିଜ୍ଞା କରୁଛି
ଯୁଦ୍ଧେ ଅସ୍ତ୍ର ଧରାଇବି ସତ୍ୟ ମୁଁ କହୁଛି ।।
ଜଣେ ଭଗବାନ ଜଣେ ଭକତ ପ୍ରବର
ଦୁହିଙ୍କ ପ୍ରତିଜ୍ଞା ସତ୍ୟ ବଚନ ଅଟଳ
ଅର୍ଜୁନ ରଥେ ସାରଥୀ ସ୍ଵୟଂ କୃଷ୍ଣ ଚନ୍ଦ୍ର
କୌରବ ସେନାରେ ଭୀଷ୍ମ ସେନାପତି ପଦ ।।
ସେଦିନ ନବମ ଦିନ ଯୁଦ୍ଧ ଖରତର
ଭୀଷ୍ମ ଅରଜନୁ ମଧ୍ୟେ ଚାଲିଛି ସମର
ଭୀଷ୍ମଦେବ ନିକ୍ଷେପନ୍ତି ଶତ ଶତ ଶର
ନିରୁପାୟ ଅରଜୁନ ହୁଅନ୍ତି କାତର ।।
ନିରୁପାୟ ଅରଜୁନ ଦେଖି ଦେବ ହରି
ରଥ ଛାଡି ଚକ୍ର ହସ୍ତେ ପ୍ରଭୁ ଚକ୍ରଧାରି
ଏହା ଦେଖି ଭୀଷ୍ମ ଦେବ ବୋଲନ୍ତି ବଚନ
ପ୍ରତିଜ୍ଞା ଭାଙ୍ଗି ଧରିଲ ହସ୍ତେ ସୁଦର୍ଶନ ।।
ଧନୁଶର ଛାଡି ଭୀଷ୍ମ କୃଷ୍ଣଙ୍କ ଅଗ୍ରତେ
ମୁକ୍ତି ଦିଅ ଦୀନଜନେ ଦିଅ ମାରି ମୋତେ
ମୋ ପ୍ରତିଜ୍ଞା ରକ୍ଷା ପାଇଁ ପ୍ରତିଜ୍ଞା ନିଜର
ଭାଙ୍ଗିଲ ଭକତ ବନ୍ଧୁ ଭକତ ବତ୍ସଳ ।।
ସେଦିନ ଭାରତ ଯୁଦ୍ଧ ଭୂମିରେ ଅଦ୍ଭୁତ
ଅପୂର୍ବ ଅମୀୟ ଦୃଶ୍ୟ ହେଲା ଅଭିନିତ
ଭକତ ଭଗବାନଙ୍କ(ୟେ)ପବିତ୍ର କଥନ
ଯୁଗ ଯୁଗ ପାଇଁ ରଚିଗଲେ ନାରାୟଣ ।।
ଭକ୍ତ ସତ୍ୟ ରକ୍ଷା ଅର୍ଥେ ପ୍ରତିଜ୍ଞା ନିଜର
ଭାଙ୍ଗିଦେଲ ଭଗବାନ ବ୍ରହ୍ମାଣ୍ଡ ଠାକୁର
ଭକ୍ତ ମାନ ରକ୍ଷା ପାଇଁ ତୁମ ଅବତାର
ଯୁଗେ ଯୁଗେ ମହାପ୍ରଭୁ ଜନମ ତୁମର ।।
ତେଣୁ ତୁମେ ଭଗବାନ ମୁଁ ତୁମର ଦାସ
ତବ ପଦ କିଙ୍କର ୟେ ନଧରିବ ଦୋଷ
ଭକତ ଜୀବନ ଧନ ଭକତ ବତ୍ସଳ
ଅପାର କରୁଣା ଦାତା ଦୀନେ ଦୟାକର ।।
