ଭକ୍ତର ଭାବାବେଗ
ଭକ୍ତର ଭାବାବେଗ
ମୋ ପରି ଦୁଃଖୀ କେ ନାହିଁ ଏ ଜଗତେ
ମୋ ଦୁଃଖତ ସୀମାତୀତ
ମୋ ଦୁଃଖ ଦେଖିଲେ ତରଳେ ପାଷାଣ
ଜଳ ହୁଏ ବାଷ୍ପୀଭୂତ l
ତୁମର ହୃଦୟ କେଉଁଥିରେ ଗଢ଼ା
କହ ହେ ଜଗତନାଥ
କେଉଁ ଯଶଗୁଣେ ବଡ ଦେଉଳରେ
ଉଡାଉଛ ବଡ ନେତ l
ଶୟନେ ସ୍ୱପନେ ତୁମକୁ ମୁଁ ସ୍ମରେ
ହୃଦେରଖି ଭକ୍ତିଭାବ
ବିହିତ କର୍ମ ହିଁ କରୁଥାଏ ସଦା
ମିଥ୍ୟା ନୁହେଁ ରାଧାଧବ l
କ୍ଷମାର ସାଗର ପତିତ ତାରଣ
ବୋଲି ଉଡେ ଯଶବାନା
ମୋ ବେଳକୁ ପ୍ରଭୁ କାହିଁକି ନିର୍ଦ୍ଦୟ
ଉଦାସୀନ ଆନମନା l
କୃତକର୍ମ ଫଳ ଭୋଗନ୍ତି ସଂସାରେ
ବୋଲି ଶାସ୍ତ୍ରେ ଅଛି ଲେଖା
ତୁମେ ଦୟାକଲେ ହୁଅଇ ଲାଘବ
ତୁମେତ ବିପଦେ ସଖା l
ଅଜାମିଳ ଭଳି ମହାପାପୀ ଯଦି
ତରିଗଲା ନାମଜପି
ମୋପାଇଁ କାହିଁକି ନିଷ୍ଠୁର ନିର୍ଦ୍ଦୟ
ମୁଁ କି ତାଠୁ ବଡ ପାପୀ ? l
ତବ ରେଣୁ ସ୍ପର୍ଶେ ପାଷାଣୀ ଅହଲ୍ୟା
ପୂନର୍ର ଜନ୍ମ ଲଭିଥିଲେ
ତବ ଆଜ୍ଞା ବଳେ ଵିଵସ୍ତ୍ରା ଦ୍ରୌପଦୀ
ଇଜ୍ଜତ ବଞ୍ଚାଇ ଥିଲେ l
ଘୋର ବନସ୍ତରେ ବ୍ୟାଧ କବଳରୁ
ମୃଗୁଣୀକି ରକ୍ଷାକଲ
ଚକ୍ରପେଷି ପ୍ରଭୁ ନକ୍ରକୁ ବିନାଶି
ଗଜକୁ ଉଦ୍ଧରିଥିଲ l
କୋଟି ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ତୁମେ
ତୁମବିନୁ କେହି ନାହିଁ
ତୁମେ ନରଖିଲେ ଆଉ କେ ରଖିବ
କହ ହେ ଜଗତ ସାଇଁ l
କୋଟି ପ୍ରଣିପାତ ଜଣାଉଛି ପ୍ରଭୁ
ହୋଇ ନତଶିର ପାଦେ
ମୋ ଦୁଃଖକୁ ପ୍ରଭୁ କର ନିବାରଣ
ଦୟଭାବ ରଖି ହୃଦେ l
ସଦାନନ୍ଦ ପ୍ରତିହାରୀ
Email-snpratihari7@gmail.com
Mob9937367709
5-1-2019
