ଭିଟାମାଟି
ଭିଟାମାଟି
ଜନ୍ମମାଟି ମୋର ପ୍ରିୟ ଷଠିଘର
ଯେଉଁଠି ଜନମ ମୋର,
ସେହି ଭିଟାମାଟି ଲେଖିଛି ନାଆଁଟି
ସେହି ତ ସରଗପୁର |୧|
ସାତ ପୁରୁଷର ଝାଟିମାଟି ଘର
ସରଗ ଠାରୁ ସୁନ୍ଦର,
ସେହି ଘରଟିରେ ଛୁଏଁ ଜହ୍ନମାମୁଁ
କଇଁ ଭରା ସରୋବର |୨|
ଗାଆଁ ସେ ମୁଣ୍ଡର ବୁଢ଼ା ବରଗଛ
ସାକ୍ଷୀ ଏ ଯୁଗଯୁଗର,
ଦେଖିଛି ଯତନେ ଅନେକ ସପନେ
ଭିଟାମାଟି ଥର ଥର |୩|
ଛୋଟ ଘରଟିରେ ଆମ ପରିବାର
ସପନର ସୌଦାଗର,
ବିକିଛୁ ସପନ ଆଣିଛୁ ଗଗନ
ମିଠା ଗନ୍ଧ ପବନର |୪|
ବାଡ଼ି ଆମ୍ବଗଛ ନଈ ତାର ପଛ
ଟିକି ଟିକି ତାରା ମାଛ,
ତୋଟାମାଳ ଛାଇ ଅଜା ସାଙ୍ଗେ ଆଈ
ଉଙ୍କିମାରେ ଜଳ ସ୍ବଚ୍ଛ |୫|
ଆସେ ନୂଆଖାଇ ସେନେହ ଦେଖାଇ
ପୂର୍ବ ପୁରୁଷଙ୍କ ପୂଜା,
କେତେ କେତେ ଯାତ କେତେ ଭୋଜିଭାତ
ମଜା ଆଣେ କେତେ ବାଜା |୬|
ଯିଏ ଯେତେ ଦୂରେ ଥାଉ ପଛେ ଘରେ
ଭିଟାମାଟି ଆଣେ ଡାକି,
ସେନେହ ଅଜାଡ଼ି ପରଦା ବିଛାଡ଼ି
ସାଜିଅଛି ପ୍ରିୟ ସଖୀ |୭|
ଭିଟାମାଟି ଛାଡ଼ି ମନଯାଏ ଉଡ଼ି
ସପନର ସହରକୁ,
ଏକା ନିମିଷକେ ଫେରେ ଆସେ ପୁଣି
ଭିଟାମାଟି ପଣତକୁ |୮|
ଏଇ ଷଠିଘର ଜନମ ମୋହର
ଚାଲିଯିବି ଦିନେ ଛାଡ଼ି,
କିନ୍ତୁ ଯୁଗ ଯୁଗ ପାଇଁ ରହିଥିବ
ଜୀବନ କବିତା ଭିଡ଼ି |୯|
ଏଇ ଭିଟାମାଟି ଏ ଜୀବନ ଷଠି
ଅନନ୍ତ ଯୁଗର ସାଥି,
ଜନମ ଜନମ ଲେଖିଛି କରମ
ଆନନ୍ଦ କବିତା ନଥି |୧୦|
