STORYMIRROR

Hrushikesh Satpathy

Others

5.0  

Hrushikesh Satpathy

Others

ଭିନ୍ନ ମୋର ରଥ ଯାତ୍ରା

ଭିନ୍ନ ମୋର ରଥ ଯାତ୍ରା

1 min
14.1K


ବଡ ଦାଣ୍ଡ ଆଜି ଉଛୁଳି ଉଠୁଛି

ଭକତ ମାନଙ୍କ ପ୍ରେମ ଜୁଆରେ ।

ମୋ' ମନ ରାଇଜ ଖୁସିରେ ଉଛୁଳେ

ଯାଉଛି ରହିବି ମାଉସୀ ଘରେ ।

ପ୍ରଥମ ଭକତ ପୁରୀ ଗଜପତି

ହାତୀରେ ପାଲିଙ୍କି ସଵାରୀ କରି।

ଛେରା ପହଁରାରେ ଉତ୍ସବ ମୁଖର

ଏ ମୋର ଅଗଣା ଦେଲେ ମୁଖରୀ।

ବାଇଶି ପାହାଚ ଏ ମୁଣ୍ଡ ସେ ମୁଣ୍ଡ

ଭକତଙ୍କ ଭିଡ ପଚାରେ କିଏ !

ଅଧର ପଣାକୁ ଅମୃତ ମନରେ

ମୋ' ବନ୍ଧୁ ଭକତ ଖୁସିରେ ପିଏ ।

ନିର୍ମାଲ୍ୟ ଆଶାରେ ଆବାଲ୍ୟ ବନିତା

ଚାହିଁ ରହିଛନ୍ତି ଚାତକ ପରି।

ମୁଁ ଅନେଇଛି ସହାସ୍ୟ ବଦନେ

ଭକତ ପ୍ରେମିକ ନୟନ ଭରି।

ଆଖିରୁ ତାଙ୍କରି ଲୋତକ ଝରୁଛି

ଲୋତକ ନୁହେଁ ସେ ପ୍ରୀତିର ଝର।

ମୋ'ଆଖିର ଲୁହ ନିଜେ ମୁଁ ପିଉଛି

ଚାହୁଁନି ଜାଣନ୍ତୁ ଭକତ ମୋର।

ଲୁହର ଢେଉଟି ପରାଜିତ କରେ

ସାଗର ଲହରୀ ପ୍ରୀତି ଫୁଲରେ ।

ହେ ମୋର ଭକତ ଆଜି ମୋ'ଶପଥ

ଭରି ଯାଉ ତୁମ ମନ ଖୁସିରେ।

ତୁମେ ରହିଥିବ ମୋ'ରଥକୁ ଘେରି

ମୁଁ ଚାଲିଯିବି ମାଉସୀ ଘର ।

ତୁମେ ଛୁଇଁଥିବ ମୋ'ପଦ ଯୁଗଳ

ମୁଁ ଯାଇ ଛୁଇଁବି ମାଉସୀ ଶିର।

କହିବି, ମାଆ ଲୋ ! ଲୋଡ଼ା ନାହିଁ ମୋତେ

ପୋଛିବାକୁ ଯିବୁ ଲୋତକ ମୋର।

ଭରିଦେ ଲୋ,ମାଆ !ଆଞ୍ଜୁଳା ଆଞ୍ଜୁଳା

ସେନେହ ସୋହାଗ ଭକ୍ତଙ୍କୁ ମୋର ।

ଏ ମୋର ଯାତରା ସଂସାରେ ନିଆରା

ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ।

ମାନବ ଧର୍ମର ବିକଳ୍ପ ସଂସାର

ରଚିବାକୁ ଇଚ୍ଛା ସାରା ସୃଷ୍ଟିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍