STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଭିନ୍ନ ଏକ ସମ୍ପର୍କ

ଭିନ୍ନ ଏକ ସମ୍ପର୍କ

1 min
815



-

ଖୁବ୍ ଇଛାଟିଏ ଥିଲା

ତୁମକୁ ବାନ୍ଧି ରଖିବାକୁ

ଗଢିବାକୁ ନୀଡଟିଏ

ଅଜଣା ବୃକ୍ଷର ଡାଳରେ

ତୋଳିବାକୁ ସ୍ବପ୍ନର ସହରଟିଏ

ଲଙ୍ଗଳା ପାହାଡର ଫୁଙ୍ଗୁଳା ମଥାରେ ।।


ତୁମକୁ ନେଇ ଶବ୍ଦ ମୋର

ଫୁଟୁଥିଲେ ଫୁଲ ହୋଇ

ବାସୁଥିଲେ ମହ ମହ

ଗଢୁଥିଲି ପ୍ରେମର କୋଣାର୍କ

ଆନମନା ହେଉଥିଲି ବାର ବାର

ତୁମ ଅନାବିଳ ପ୍ରୀତିର

ମହୁଲି ନିଶାରେ ।।


ଅଦିନରେ ଝରୁଥିଲା ଫଗୁଣରୁ ଫଗୁ

ମେଘରୁ ମହ୍ଲାର

ଅନାବୃତ ସ୍ବପ୍ନମାନେ

ଧସେଇ ପଶୁଥିଲେ

ହୃଦୟର ମୋ ଶୂନ୍ୟ ପଂଜୁରୀକୁ

ମୋ ଇଛା ବିରୋଧରେ ।।


ତୁମକୁ ମୁଁ ଚିହ୍ନି ନଥିଲି

ତୁମେ ବି ମୋତେ ନୁହେଁ

ତୁମେ ମୋତେ ଜାଣିନଥିଲ

ମୁଁ ବି ତୁମକୁ ନୁହେଁ,ବିଲକୁଲ୍ ନୁହେଁ

ପରସ୍ପର ଅଜଣା ଅଚିହ୍ନା

ତଥାପି ତୁମେ ଢାଳିଦେଉଥିଲ

ପ୍ରୀତି ର ମଦିରା

ମୋ' ଓଠର ଶୁଷ୍କ ପିଆଲାରେ

ଛୁଇଁ ଯାଉଥିଲି ମୁଁ

ଆଉ ଛୁଇଁ ଯାଉଥିଲ ତୁମେ

ନିଥର ରାତିର ନିଃଶବ୍ଦ ପ୍ରହରେ ,

ମୋ' ଅବୁଝା ମନର ଖୋଲା ପୃଷ୍ଠା ସବୁ

ଉଡୁଥିଲେ ଫଡ ଫଡ ଡେଣାମେଲି

ଆକାଶକୁ ଛୁଇଁବା ଲକ୍ଷ୍ୟରେ ।।


ସମ୍ପର୍କର ଡୋର ଲମ୍ବିଥିଲା

ଶବ୍ଦରୁ ଶବ୍ଦ କୁ

ଫୁଲରୁ ଫୁଲକୁ

ଡାଳରୁ ଡାଳକୁ

ପକ୍ଷୀମାନେ ଉଡୁଥିଲେ

ନୀଳ ଆକାଶରେ

ଆଖିରେ ଆଖିଏ ସ୍ବପ୍ନ ଭରି ।।


ଝୁମୁଥିଲ ତୁମେ ଆଉ ଝୁମୁଥିଲି ମୁଁ

ତୁମେ ଥିଲ ପାହାଡର ସେପଟେ

ମୁଁ ଥିଲି ପାହାଡର ଏପଟେ

ମଝିରେ ସାତ ସମୁଦ୍ର

ତେର ନଈର ଦୂରତ୍ବ

ଝଲମଲ ହେଉଥିଲା

ସ୍ପଷ୍ଟ ଦିବାଲୋକେ

ଲକ୍ଷ୍ମଣ ଙ୍କ ତିନିଗାର

ତୁମ ଓ ମୋ ମଧ୍ୟେ ।।


ରାତିର ନୀରବତା ବଢିଚାଲିଥିଲା

ଲିଭୁଥିଲା ବୟସର ରଂଗ

ବହୁଥିଲା ସାଇଁ ସାଇଁ ଶୀତୁଆ ପବନ

ପାହାନ୍ତିଆ ଜହ୍ନର ଚୁନା ଚୁନା ଜ୍ୟୋସ୍ନା

ପଶିଆସୁଥିଲା ଝର୍କା ଦେଇ

ଭିଜୁଥିଲା ମନ ପ୍ରାଣ ମୋର

ଝରୁଥିଲା ଅମାନିଆ ଶ୍ରାବଣର ଧାର

ମୋ ଆଖିର ନିଭୃତ କୋଣରୁ

ହଜୁଥିଲା ଅଦୃଶ୍ୟ ଠିକଣା

ଧୀରେ ଧୀରେ

ଭିନ୍ନ ଏକ ସମ୍ପର୍କର ।।


ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ

ଜି-କେନ୍ଦୁଝର।


Rate this content
Log in